ଗାଁକୁ ଫେରିଲେ ବନ୍ୟା ଦୁର୍ଗତ: ଆଉ କେରଳ ନାଁ ଧରିବିନି

0 634

ଭୁବନେଶ୍ୱର(ସତ୍ୟନାରାୟଣ ରାଉତରାୟ): ସମୟ ଭୋର୍‌ ୬ଟା। ଘରେ ଶୋଇଥାଉ। ଚାହୁଁ ଚାହୁଁ ଘର ସାରା ପାଣି ମାଡ଼ିଗଲା। କିଛି ବୁଝିବା ଆଗରୁ ସବୁକିଛି ପାଣିରେ ବୁଡ଼ିଗଲା। ବାହାରକୁ ଆସି ଦେଖିଲୁ ଚାରିଆଡ଼େ ଖାଲି ପାଣି। ଏହା ଦେଖି ଫ୍ୟାକ୍ଟ୍ରି ମାଲିକକୁ ଫୋନ୍‌ କଲୁ। ସ୍ଥିତି ଏମିତି ହେଲା ଯେ, ବେକେ ଯାଏଁ ପାଣି ହେଇଗଲା। ଶେଷରେ ମାଲିକ ଫୁଲଓ୍ଵାରିକୁ ଆଣିବାରୁ ରକ୍ଷା ପାଇଗଲୁ। ସେଦିନ କଥା ମନେ ପଡ଼ିଗଲେ ଏବେ ବି ଦେହ କ’ଣ ହେଇଯାଉଛି। ଜୀବନ ଥିବ ଆଉ କେରଳ ଯିବିନି। କେରଳ ନାଁ ବି ଧରିବିନି। ପଇସା ପଛେ ଗଲେ ଯାଉ, ଆଉ କେରଳ ଫେରିବିନି। କେରଳ ବନ୍ୟାକୁ ୬ଦିନ କାଳ ଅଙ୍ଗେ ନିଭାଇ ଆଜି ଟ୍ରେନ୍‌ରେ ଓଡ଼ିଶା ଫେରିବା ପରେ ଥରଥର ଓଠରେ ନିଜର ଏହି ତିକ୍ତ ଅନୁଭୂତିକୁ ବ୍ୟକ୍ତ କରିଥିଲେ କେନ୍ଦୁଝର ହରିଚନ୍ଦନପୁରର ପରେଶ ମହାରଣା। ପେରମ୍ବା କାଞ୍ଜିରଗଡ଼ରେ ରହି ଏକ ପ୍ଲାଏଉଡ୍‌ କମ୍ପାନିରେ କାମ କରୁଥିବା ପରେଶ କହିଛନ୍ତି, ଘଣ୍ଟାକୁ ମତେ ସେଠି ୩୮ଟଙ୍କା ମିଳୁଥିଲା। ରଥଯାତ୍ରା ପରଠୁ ଯାଇଥିଲି। ହେଲେ ଏଯାଏଁ ମାଲିକ ଟଙ୍କାଟିଏ ଦେଇନି। ସେ ଟଙ୍କା ପଛେ ନମିଳୁ, ଆଉ କିନ୍ତୁ କେରଳ ଯିବିନି। ଏଇଠି ଘର ପାଖେ ରହି କାମ କରିବି। ପ୍ରାକୃତିକ ଦୁର୍ବିପାକର ଭୟାବହ ଦୃଶ୍ୟକୁ ଆଖି ସାମ୍ନାରେ ଭେଟିଥିବା ପରେଶ କଥା କହିବା ବେଳେ ଆଜି ବି ଥରୁଥିଲେ। ଯେମିତି ସେ ଏବେଏବେ ବନ୍ୟା ପାଣିରୁ ଉଠି ଆସିଛନ୍ତି।

ଆଲୁଓ୍ଵା ଅଞ୍ଚଳରେ ଏକ ସରକାରୀ କଲେଜ୍‌ରେ ପାଇପ୍‌ ମିସ୍ତ୍ରି ଭାବେ କାମ କରୁଥିବା କେନ୍ଦ୍ରାପଡ଼ାର ରୋମିଓ କୁମାର ଜେନା ବି ସମାନ କଥା କହିଛନ୍ତି। ସେ ଭୋର ସମୟରୁ ଯାଇ କଲେଜ୍‌ରେ ପାଇପ୍‌ ସଜାଡ଼ୁଥିଲେ। ଏତିକି ବେଳେ ପାଣି ମାଡ଼ି ଆସିଥିଲା। ତେଣୁ ତୁରନ୍ତ ସେ ଜାଗା ଛାଡ଼ି ନିଜେ ରହୁଥିବା ଭଡ଼ାଘରକୁ ଚାଲି ଆସିଥିଲେ। ହେଲେ ଆସିବା ବେଳକୁ ତାଙ୍କ ଘରର ସମସ୍ତ ଆସବାବପତ୍ର ବୁଡ଼ି ଯାଇଥିଲା। ଶେଷରେ ତାଜାରେ ଥୋଇଥିବା ଏକ ଟ୍ରଲି ବ୍ୟାଗ୍‌କୁ ମୁଣ୍ଡାଇ ସେ ସେ ଜାଗା ଛାଡ଼ି ଚାଲି ଆସିଲେ। ମାଲିକଙ୍କୁ ଫୋନ୍‌ କରିବାରୁ ସେ ତାଙ୍କୁ ଏକ ସ୍କୁଲ୍‌ରେ ଆଣି ଛାଡ଼ି ଦେଇଥିଲେ। ସୌଭାଗ୍ୟବଶତଃ ରକ୍ଷା ସିନା ପାଇଗଲି କିନ୍ତୁ ଏଣେ ମୋ ଘର ଲୋକଙ୍କ ଭିତରେ କାନ୍ଦ ବୋବାଳି ପଡ଼ିଗଲା। ମତେ ଫୋନ୍‌ କରି କହିଲେ, ଯୋଉଠି ଅଛୁ ଶୀଘ୍ର ଚାଲିଆସ। ତେବେ ପାଖରେ ପଇସାପତ୍ର ନଥିଲା। ଯେବେ ଶୁଣିଲି ସରକାର ଓଡ଼ିଶାକୁ ଫେରିବାକୁ ଟ୍ରେନ୍‌ ବ୍ୟବସ୍ଥା କରିଛନ୍ତି, ଚାଲି ଆସିଲି। ପ୍ଲାଏଉଡ୍‌ କମ୍ପାନିରେ କାମ କରୁଥିବା ଭଦ୍ରକର ମାନସ ବାରିକ, ଜିତେନ୍ଦ୍ର ବାରିକ ଓ ରମେଶ ପଲାଇଙ୍କ କହିବା ମୁତାବକ ଭୋର୍‌ରୁ ସେମାନେ ରହୁଥିବା ଆଜବେଷ୍ଟସ୍‌ ଘରେ ପାଣି ପଶିଗଲା। ପାଣି ଧୀରେଧୀରେ ବଢ଼ିବାରୁ ମାଲିକ କହିଲେ, ସେଠୁ ପଳେଇ ଆସ। ତେବେ ଘରୁ ବାହାରି ବାଟରେ ଆସିବା ବେଳେ ବେକେ ପର୍ଯ୍ୟନ୍ତ ପାଣି ହେଇଗଲା। ଡ୍ରେସ୍‌, ବ୍ୟାଗ୍‌ ଯାହା ଥିଲା ସବୁ ଭାସିଗଲା। ଯାହା ଅଳ୍ପକିଛି ଟଙ୍କା ରଖିଥିଲୁ ଖୋଜି ଆଣିବାକୁ ବି ଫୁର୍‌ସତ ମିଳିଲାନି। ଡରରେ ଏକ ମସଜିଦ୍‌କୁ ଆସି ସେଇଠି ରହିଲୁ। ମାଲିକ କହିଲେ, ତମେ ଟ୍ରେନ୍‌ରେ ଘରକୁ ପଳାଅ। ହେଲେ ଆସିବା ବେଳେ ଟଙ୍କାଟିଏ ଦେଲେନି। ଏପଟେ ଟ୍ରେନ୍‌ ୩୨ ଘଣ୍ଟା ଜାଗାରେ ୩୯ ଘଣ୍ଟା ଲାଗିଗଲା। ମାନସଙ୍କ କହିବା ମୁତାବକ, ୪ଦିନ କାଳ ଗୋଟେ ଓଳା ଖାଇ ରହିବାକୁ ପଡ଼ୁଥିଲା। ତେଣୁ ପ୍ରବଳ ଭୋକ ହେଉଛି। ହେଲେ ପାଖରେ ଟଙ୍କାଟିଏ ନାହିଁ। କେମିତି ଭଦ୍ରକ ଯିବି ସେକଥା ବି ଭାବି ପାରୁନି। ମାନସ ଯେତେବେଳେ ତାଙ୍କର ଏହି ଦୁର୍ଦ୍ଦଶାର କଥା ବଖାଣୁଥିଲେ, ତାଙ୍କ ରୋମ ଟାଙ୍କୁରା ଦେହ ଓ ବିକଳ ସ୍ୱଭାବ ଦେଖି ଲାଗୁଥିଲା ଯେମିତି ସେମାନେ ଅନେକ ଦିନରୁ ଭୋକିଲା ଅଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.