ଜୁଏଲାରିରେ ପୁରୁଣା ଏବେ ନୂଆ

ସଜେଇ ହେବାକୁ କିଏ ବା ଭଲ ନପାଏ। ମାତ୍ର ମହିଳାଙ୍କ କ୍ଷେତ୍ରରେ ଏ ସଉକଟା ଟିକେ ବେଶି। ଯେଉଁଠି ଗହଣା ଉପରେ ନଜର ପଡ଼େ, ମହିଳାଙ୍କ ତନ ମନ ଆପଣାଛାଏଁ ସେଇ ଆଡ଼କୁ ବୁଲିଯାଏ। ଅତ୍ୟାଧୁନିକ ପରିଧାନ ହେଉ ବା ପାରମ୍ପରିକ ସାଜସଜ୍ଜା, ନୂଆ ଡିଜାଇନ୍‌ର ଅଳଙ୍କାର ଉପରେ ମହିଳାଙ୍କର ନଜର ଥାଏ। ଏବେ ପୁଣି ପାରମ୍ପରିକ ଅଳଙ୍କାର ନୂଆ ରୂପ ବଜାରରେ ପ୍ରବେଶ କରିଛି। ସହର ହେଉ କି ଗାଁ, ଷ୍ଟାଇଲିଷ୍ଟ୍‍ ଲୁକ୍‌ ଦେବାପାଇଁ ଫ୍ୟାସନ୍‌ ଟ୍ରେଣ୍ଡରେ ଏବେ ସାମିଲ ହୋଇଛି ନୂଆ କିସମର ଅଳଙ୍କାର। ମୁଣ୍ଡର ହେଡ୍‌କ୍ଲିପ୍‌ଠାରୁ ଆରମ୍ଭ କରି ହାତର ଚୁଡ଼ି, ମୁଦି, ବେକର ହାରଠାରୁ ପାଦ ମୁଦି ଯାଏଁ ଏବେ ସବୁଥିରେ ଏକ ନିଆରା ଶୈଳୀର ଛାପ ଦେଖିବାକୁ ମିଳିଛି। ଏଭଳି ଅଳଙ୍କାରକୁ ନେଇ ସସ୍ମିତା ସାହୁଙ୍କ ସ୍ୱତନ୍ତ୍ର ଉପସ୍ଥାପନା

ଫେରିଛି ୭୦ ଦଶକର କାନଫୁଲ

କାନଫୁଲ ନାରୀର ସ୍ୱତନ୍ତ୍ର ଆଭୂଷଣ। ତେବେ ‘କପ୍‌ କାନଫୁଲ’ର ଏବେ ବେଶ୍‌ ଚାହିଦା। ପୂରା କାନକୁ ଏହା ଏକ ନିଆରା ଲୁକ୍‌ ଦେଉଛି। ୟୁନିଟ୍‌-୨ ମାର୍କେଟର ସୃଷ୍ଟି ଫ୍ୟାସନ୍‌ ଓ୍ଵାର୍ଲଡ୍‌ର ବିକାଶ ଗୁପ୍ତା କୁହନ୍ତି, ଏଭଳି କାନଫୁଲ ୭୦ ଓ ୮୦ ଦଶକରେ ଅଧିକ ବ୍ୟବହୃତ ହେଉଥିଲା। ଧୀରେ ଧୀରେ ଲୁପ୍ତ ହୋଇଯାଇଥିବା ଏହିଭଳି ବିଭିନ୍ନ ଡିଜାଇନ୍‌ର କାନଫୁଲ ଏବେ ପୁଣି ଫ୍ୟାସନ୍‌ରେ ସାମିଲ ହୋଇଛି। ଏହାଛଡ଼ା ପୁରୁଣା ପେଣ୍ଡିଫୁଲ, ଝୁମୁକା, ସୂତା ଛୁଞ୍ଚି କାନ ଫୁଲ ମଧ୍ୟ ମହିଳାଙ୍କ ପସନ୍ଦର ସର୍ବାଗ୍ରେ ରହିଛି। ପକ୍ଷୀ ପର କାନଫୁଲକୁ ମଧ୍ୟ ଏବେ ଯୁବତୀମାନେ ଆଦରିଲେଣି।

ପାଉଁଜିର ସ୍ଥାନ୍‌ ଆଙ୍କ୍‌ଲେଟ୍‌

ଆଙ୍ଗୁଠିରେ ପିନ୍ଧିବା ପାଇଁ ବିଭିନ୍ନ ପ୍ରକାର ମୁଦି ବଜାରରେ ଉପଲବ୍ଧ। ମୁଦି ସହ ବ୍ରେସ୍‌ଲେଟ୍‌, ଟୁ ଇନ୍‌ ଓ୍ଵାନ୍‌ ରିଙ୍ଗ୍‌, ଉଭୟ ପୁରୁଷ ମହିଳାଙ୍କ ପାଇଁ ବୁଢ଼ା ଆଙ୍ଗୁଠିରେ ଲଗାଇବା ମୁଦି, ଅବିବାହିତ ଝିଅଙ୍କ ପାଇଁ ଗୋଡ଼ ଆଙ୍ଗୁଠିରେ ଲଗାଇବା ପାଇଁ ବିଭିନ୍ନ ଡିଜାଇନ୍‌ର ବ୍ଲାକ୍‌ ମେଟାଲ୍‌ ରିଙ୍ଗ୍‌ ବଜାରରେ ଉପଲବ୍ଧ। ତେବେ ଝୁମ୍‌କି ଚୁଡ଼ି, ଚୂଡ଼ା ଓ ଲାଖର ଚାହିଦା ଅଧିକ। ସେହିପିରି ଏବେ ପାରମ୍ପରିକ ପାଉଁଜିର ସ୍ଥାନ ନେଇଛି ଆଙ୍କ୍‌ଲେଟ୍‌। ପାଉଁଜିରେ ଗୋଲ୍‌ଡେନ୍‌ ରଙ୍ଗ ଏବେ ନୂଆ ଟ୍ରେଣ୍ଡ୍‌ ସୃଷ୍ଟି କରିଛି। ଶାଢ଼ି ଧଡ଼ି ହେଉ ବା ହ୍ୟାଣ୍ଡ ବ୍ୟାଗ୍‌ ଅବା ମୁଣ୍ଡର କ୍ଲିପ୍‌ଠାରୁ ଆରମ୍ଭ କରି କାନଫୁଲ, ଆଙ୍କ୍‌ଲେଟ୍‌ ଓ ମୁଦି। ସବୁ ଗୋଲ୍‌ଡେନ୍‌ ରଙ୍ଗର କମ୍ବିନେସନ୍‌ ସହ ଏବେ ବଜାରକୁ ଆସୁଛି। କାନଫୁଲ, ଚୁଡ଼ି ଓ ମୁଦି ଆଦିରେ କପର୍‌ ମେଟାଲ୍‌ ଏବଂ ଗୋଲ୍‌ଡେନ୍‌ କୋଟିଂ ବେଶି ପସନ୍ଦ ବୋଲି କହିଛନ୍ତି ବ୍ୟବସାୟୀ ନନ୍ଦିତା ଭଂଜ।

ହେଡ୍‌କ୍ଲିପ୍‌ରେ ଟିଆରା

ରାଜକୁମାରୀ ଭଳି ସଜେଇ ହେବାକୁ ପ୍ରତିଟି ନାରୀର ଇଚ୍ଛା ଥାଏ। ଏହି ଇଚ୍ଛାକୁ ସାକାର କରୁଛି ଟିଆରା। ଏହା ଦେଖିବାକୁ ରାଜକୁମାରୀମାନଙ୍କ ତାଜ୍‌ ଭଳି। ମୁଣ୍ଡର ହେଡ୍‌ କ୍ଲିପ ଭଳି ସଦୃଶ ଦେଖାଯାଏ। ତେବେ ଏଥିରେ ଲାଗିଥିବା ରଙ୍ଗବେରଙ୍ଗ ଗୋଲାପ ଓ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍‌ ଫୁଲ ଯୋଗୁଁ ଏହା ଟିକେ ନିଆରା। କୁନି ଝିଅଠୁ ନେଇ କଲେଜ ପଢ଼ୁଆ ଛାତ୍ରୀ ଓ କର୍ମଜୀବୀ ମହିଳା। ମୁଣ୍ଡରେ ହେଡ୍‌ କ୍ଲିପ୍‌ ଲଗାଇବାକୁ ପସନ୍ଦ କରୁଥିବା ମହିଳାମାନେ ଏବେ ଟିଆରାକୁ ଆପଣେଇଛନ୍ତି। ଏହା ମାତ୍ର ୪୦ଟଙ୍କାରେ ବଜାରରେ ଉପଲବ୍ଧ। ଏହାକୁ ଜିନ୍‌ସ୍‌ ହେଉ ବା ସାଲ୍‌ଓ୍ଵାର୍‌ରେ ସମସ୍ତ ବୟସର ମହିଳା ପିନ୍ଧି ପାରୁଛନ୍ତି।

ବେକ ପାଇଁ ଚୋକର୍‌ ଓ ଡୋକ୍ରା ଅଳଙ୍କାର

ବେକ ପାଇଁ ମହିଳାମାନେ ପସନ୍ଦ କରୁଛନ୍ତି ଚୋକର୍‌। ଏହା ସାଧାରଣତଃ କଳା ରଙ୍ଗର ଓ ବେକକୁ ଚିପି ହୋଇ ରହୁଥିବାରୁ ଆଧୁନିକ ପୋଷାକ ସହ ଏବେ ଏହା ଭାରି ମାନୁଛି। କଳା, ଧଳାର ଓ ମେହେନ୍ଦି ରଙ୍ଗର ସରୁ ଚେନ୍‌ ମଧ୍ୟ ମହିଳାମାନେ ବେଶି ପସନ୍ଦ କରୁଛନ୍ତି। ମୋତି ହାର ମଧ୍ୟ ଏବେ ଅନେକ ମହିଳାଙ୍କ ବେକର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ଡୋକ୍ରା ଅଳଙ୍କାରକୁ ବି ଅନେକ ଆପଣେଇଛନ୍ତି। ବିଭିନ୍ନ ହସ୍ତତନ୍ତ ଶାଢ଼ି ହେଉ କିମ୍ବା ଡ୍ରେସ୍‌ ସହ ଏହି ଡୋକ୍ରା ହାର ମହିଳାଙ୍କୁ ଏକ ସ୍ୱତନ୍ତ୍ର ଲୁକ୍‌ ଦେଉଛି।

ସମ୍ବନ୍ଧିତ ଖବର