ଭୁବନେଶ୍ବର : ଜମିବ ଯଲିଉଡ୍ର ମହାମେଳା। ନିରବ ରାତିରେ କୋଳାହଳ ଭରିବ ସଂଳାପ। ରାତି ପାହିଲେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହେଇଯିବ। ତେବେ ୧୪ରୁ ଆରମ୍ଭ ହେବ ଯାତ୍ରା ମଉଜ। ଚଳିତ ବର୍ଷ ୧୧ଟି ନାମୀ ଯାତ୍ରା ଦଳ ଖଣ୍ଡଗିରି ଯାତ୍ରାମେଳାରେ ଯାତ୍ରାପ୍ରେମୀଙ୍କ ମନୋରଂଜନ କରିବେ। ପ୍ରଥମ ପର୍ଯ୍ୟାୟରେ ୧୪ ତାରିଖରୁ ୪ଟି ପେଣ୍ଡାଲ୍ରେ ଯାତ୍ରା ଆରମ୍ଭ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ମହତାବ ପେଣ୍ଡାଲ୍ରେ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ କରିବ ‘ସ୍ବର୍ଣ୍ଣମହଲ’। ଅରୁଣ ବାରିକଙ୍କ ରଚିତ ଓ ତାପସ ସ୍ବାଇଁଙ୍କ ନିର୍ଦେଶିତ ନାଟକ ‘ଆମ ଗାଁ ଜଗନ୍ନାଥ ତୁମ ଗାଁ ଲକ୍ଷ୍ମୀ’ ଏବଂ ଚିନ୍ମୟ ଦାସଙ୍କ ରଚିତ ଓ କିଶୋର ଖଣ୍ଡୁଆଳଙ୍କ ରଚିତ ‘ପ୍ରେମ ସବାରିରେ ପ୍ରୀତି ନାୟିକା’କୁ ନେଇ ମଂଚକୁ ଓହ୍ଲାଇବ ସ୍ବର୍ଣ୍ଣମହଲ। କଳିଙ୍ଗ ପେଣ୍ଡାଲ୍ରେ ଦୀର୍ଘଦିନ ଧରି ଦର୍ଶକଙ୍କୁ ବାନ୍ଧି ରଖିଥିବା ପ୍ରତାପ-ଜିତା ଯୋଡ଼ିଙ୍କୁ ଏଥର ସ୍ବର୍ଣ୍ଣମହଲ ମଞ୍ଚରେ ଦେଖିବାକୁ ମିଳିବ। ଏଥିସହ ଦୁର୍ଗା ଭୂୟାଁ, ସଂଜୟ, ରାଧା, କାବେରୀ, ଜ୍ଞାନ, ଜଗା ପଣ୍ଡା, ରବି ଶତପଥୀ, ଧେଡ଼ିଆ ମୁନାଙ୍କୁ ମଂଚରେ ଦେଖିବାକୁ ମିଳିବ। ଘାଟିକିଆ ପେଣ୍ଡାଲ୍ରେ ୧୪ରୁ ନାଟକ ପରିବେଷଣ କରିବ ‘ଧଉଳି ଗଣନାଟ୍ୟ’। ଚଳିତ ବର୍ଷ ଗୌର ଦାସଙ୍କୁ ପାଥେୟ କରି ମଂଚସ୍ଥ ହେବ ନାଟକ ‘କହ ଗୌର ଦାସ କାହାର ଦୋଷ’। ଦୀପକ ଜେନାଙ୍କ ରଚିତ ଏବଂ ଗୁରୁପ୍ରସାଦ ମିଶ୍ରଙ୍କ ନିର୍ଦେଶିତ ଏହି ନାଟକ ସହ ନିହାର ମହାନ୍ତିଙ୍କ ରଚିତ ଓ ନିର୍ଦେଶିତ ନାଟକ ‘କଳାକାହ୍ନୁ ମୋ’ର କାଳିଆ ସୁନା’ ନାଟକ ମଂଚସ୍ଥ ହେବ। ଗୌର ଦାସ, ମୁନା-ନମିତା, ମହେନ୍ଦ୍ର ଦାସ (ଭିକୁ ସେଠ୍), ବୁଢ଼ା-କବିତା, ସାନମଣି, ନରି ପଣ୍ଡାଙ୍କୁ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। କଳିଙ୍ଗ ପେଣ୍ଡାଲ୍ରେ ଏଥର ପ୍ରଥମ ପର୍ଯ୍ୟାୟରେ ୧୪ରୁ ୧୮ ପର୍ଯ୍ୟନ୍ତ ନାଟକ ପରିବେଷଣ କରିବ ‘ଗୌରୀ ଗଣନାଟ୍ୟ’। ପ୍ରଦୀପ ବେହେରାଙ୍କ ରଚିତ ଓ ନିର୍ଦେଶିତ ନାଟକ ‘ବାଘ ବୁଲୁଛି ରାଜଧାନୀରେ’ ଏବଂ ହର ବାରିକଙ୍କ ରଚିତ ଓ ନିର୍ଦେଶିତ ନାଟକ ‘ଗୌରୀ ନାନୀର ନୂଆ ଠିକଣା’ ମଂଚସ୍ଥ ହେବ। ଗୌରୀ ପେଣ୍ଡାଲ୍ରେ ପ୍ରିୟ, ରୀନା ପଣ୍ଡା, ଦୀପୁ, କୁନା-ରଂଜି, ବାପୁନି, ଝୁନା, ବୁଦ୍ଧିଆନା, ନିଲୁଆ, ଜୟନ୍ତ ଏବଂ ସଂଜୀବଙ୍କୁ ଦେଖିବାକୁ ମିଳିବ।
ବାରଭୂଜା ସାଂସ୍କୃତିକ ପରିଷଦ ଏଥର ଜାଗା ବଦଳାଇ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ନାଟକ ପରିବେଷଣ କରିବାକୁ ଯାଉଛି। ତେବେ ଏଠାରେ ପ୍ରଥମ ପର୍ଯ୍ୟାୟ ଯାତ୍ରା ୧୫ରୁ ଆରମ୍ଭ ହେବ। ‘ଶିବାନୀ ଗଣନାଟ୍ୟ’ ୧୯ ତାରିଖ ପର୍ଯ୍ୟନ୍ତ ନାଟକ ଭେଟିଦେବ। ଚଳିତ ବର୍ଷ ଶିବାନୀ ‘ରଜନୀ ସଜନୀ ରାତି ପାହିଲା’ ଏବଂ ‘ବରଣି କନିଆ ବରଷା ରାଣୀ’ ନାଟକ ଭେଟିଦେବ। ଟିକି, କାହ୍ନା, ଭିକାରୀ ସ୍ବାଇଁଙ୍କ ଭଳି ନାମୀ କଳାକାରଙ୍କୁ ଶିବାନୀ ମଞ୍ଚରେ ଦେଖିବାକୁ ମିଳିବ।