ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏନ୍‌ସିଇଆର୍‌ଟି ବହି ପଢ଼ାଯାଉନି

ଅନାବଶ୍ୟକ ବହି ଆଣି କ୍ଲାସକୁ ଆସୁଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ସ‌ଚେତନ ହେବାକୁ ସ୍କ୍ବାଡ୍‌ର ପରାମର୍ଶ

ଭୁବନେଶ୍ବର: ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏନ୍‌ସିଇଆରଟି (ନ୍ୟାସନାଲ କାଉନସିଲ୍‌ ଅଫ୍‌ ଏଜୁକେସନ ରିସର୍ଚ୍ଚ ଓ ଟ୍ରେନିଂ) ଦ୍ବାରା ପ୍ରକାଶିତ ପାଠ୍ୟପୁସ୍ତକ ପଢ଼ାଇବା ଲାଗି ନିୟମ ହୋଇଛି। ଏନେଇ ପ୍ରତି ଶିକ୍ଷାବର୍ଷ ଆରମ୍ଭରୁ ସିବିଏସ୍‌ଇ ପକ୍ଷରୁ ଲମ୍ବା ଚଉଡ଼ା ଚିଠି ରାଜ୍ୟକୁ ପଠାଯାଉଛି। ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ବି କୁହାଯାଉଛି। ତେବେ ରାଜଧାନୀରେ ଥିବା ଅଧିକାଂଶ ବିଦ୍ୟାଳୟ ଏହି ନିୟମକୁ ମାନୁନାହାନ୍ତି। ପ୍ରାୟ ୯୦ ପ୍ରତିଶତ ବିଦ୍ୟାଳୟରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏନ୍‌ସିଇଆରଟି ବଦଳରେ ଘରୋଇ ପ୍ରକାଶନୀ ସଂସ୍ଥା ଦ୍ବାରା ପ୍ରକାଶିତ ପାଠ୍ୟପୁସ୍ତକ ପଢ଼ାଯାଉଛି। ତେବେ କିଛି ବିଦ୍ୟାଳୟ କର୍ତୃପକ୍ଷ ଷଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏନ୍‌ସିଇଆରଟି ପୁସ୍ତକ ପଢ଼ାଉଛନ୍ତି। ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ, ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ବାରା ଗଠିତ ହୋଇଥିବା ସ୍କ୍ବାଡ୍‌ଗୁଡ଼ିକ ଗତ ଏକ ମାସ ଧରି ରାଜଧାନୀର ବିଭିନ୍ନ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗସ୍ତ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

କେବଳ ସେତିକି ନୁହେଁ। ବ୍ୟାଗ୍‌ ଯାଞ୍ଚ ସମୟରେ ବି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। କେତେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନଠାରୁ ପ୍ରାୟ ଏକ କେଜି ଅଧିକ ବହି ସାଙ୍ଗରେ ଆଣି ବିଦ୍ୟାଳୟକୁ ଆସୁଥିବା ଯାଞ୍ଚ ବେଳେ ଧରାପଡ଼ିଛି। ଗୋଟିଏ ଯୋଡ଼ିଏ ବିଦ୍ୟାଳୟକୁ ଛାଡ଼ି ଦେଲେ କୌଣସି ବି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ରଖିବା ପାଇଁ ଲକ୍‌ର ବ୍ୟବସ୍ଥା ନାହିଁ। ପିଲାମାନେ ଘରୁ ଆସିବା ସମୟରେ ଅନାବଶ୍ୟକ ବହି, ଖାତା ସମେତ ଅନ୍ୟ ସାମଗ୍ରୀ ସାଙ୍ଗରେ ଆଣି ବିଦ୍ୟାଳୟକୁ ଆସୁଛନ୍ତି। ଯେଉଁଥିପାଇଁ ବ୍ୟାଗ୍‌ ଓଜନ ଅଧିକ ରହୁଛି। ୫ମ ଶ୍ରେଣୀ ଯାଏ ପଢ଼ୁଥିବା କିଛି ଛାତ୍ରଛାତ୍ରୀ ସାଙ୍ଗରେ ୫୦୦ ମିଲି ଲିଟର ପାଣି ଭର୍ତ୍ତି ବୋତଲ ଆଣି ଆସୁଛନ୍ତି। କାନ୍ଧରେ ପକାଉଥିବା ବ୍ୟାଗ୍‌ରେ ପାଣି ବୋତଲ ରଖୁଥିବାରୁ ଓଜନ ବଢ଼ିଯାଉଥିବା ନଜରକୁ ଆସିଛି। କେତେକ ସ୍କୁଲ କର୍ତୃପକ୍ଷ ଏନେଇ ଛାତ୍ରଛାତ୍ରୀଙ୍କୁ ସ‌ଚେତନ କରାଇବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ପିଲାମାନେ ଆଉ ଓଜନିଆ ବ୍ୟାଗ୍‌ ଆଣୁନାହାନ୍ତି। ତେବେ ଯାଞ୍ଚ ସମୟରେ ଜଣାପଡ଼ିଛି ଯେ ଅଭିଭାବକଙ୍କ ହେୟଜ୍ଞାନ ଓ ଅସାବଧାନତା ଯୋଗୁଁ ପିଲାଙ୍କ ବ୍ୟାଗ୍‌ ଓଜନ ଅଧିକ ରହୁଛି। ପିଲାମାନେ ବିଦ୍ୟାଳୟକୁ ଯିବା ସମୟରେ ଅଭିଭାବକ ସେମାନଙ୍କ ବ୍ୟାଗ୍‌କୁ ଠିକ୍‌ ଭାବେ ଦେଖୁନାହାନ୍ତି। ଆଜି କେଉଁ ବିଷୟ ପଢ଼ାଯିବ, ଗତକାଲି କ’ଣ ପଢ଼ାଯାଇଥିଲା, ଶିକ୍ଷକମାନେ ହୋମୱାର୍କ ଦେଇଛନ୍ତି କି ନାହିଁ ଆଦି ବିଷୟରେ ପିଲାଙ୍କୁ ପଚାରୁ ନାହାନ୍ତି। ଯେଉଁଥିପାଇଁ ଅଧିକାଂଶ ପିଲା ଗତକାଲି ପଢ଼ାଯାଇଥିବା ବହିକୁ ବ୍ୟାଗ୍‌‌ରେ ଆଣି ଆସୁଛନ୍ତି ବୋଲି ସ୍କ୍ବାଡ୍‌ର ଜଣେ ସଦସ୍ୟ କହିଛନ୍ତି।

ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳି କହିଛନ୍ତି ଯେ ଗଠନ କରାଯାଇଥିବା ସ୍କ୍ବାଡ୍‌ ସେପ୍ଟେମ୍ବର ମାସରେ ସହରରେ ଥିବା ଅଧିକାଂଶ ବିଦ୍ୟାଳୟକୁ ଗସ୍ତ କରିଥିଲେ। ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଅଧିକ ଫୋକସ୍‌ରେ ରଖାଯାଇଥିଲା। ଯାଞ୍ଚ ସମୟରେ କିଛି ସ୍ଥାନରେ ତ୍ରୁଟି ଦେଖିବାକୁ ମିଳିଛି। ତେବେ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବୁ ନାହିଁ। ଯାଞ୍ଚ ସମୟରେ ଯେଉଁ ତଥ୍ୟ ମିଳିଛି ସେନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରାଯିବ। ତା’ପରେ ସେମାନେ ଯାହା କିଛି ନିଷ୍ପତ୍ତି ନେବେ। ତେବେ ବ୍ୟାଗ୍‌ ଓଜନ ନେଇ ଅଭିଭାବକମାନେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର