ପ୍ରାଥମିକ ସମବାୟ ସମିତିକୁ ସମବାୟ ନିବନ୍ଧକଙ୍କ କଣ୍ଟ, ଡିସେମ୍ବର ସୁଦ୍ଧା ଅନଲାଇନ ବ୍ୟବସ୍ଥା ନ କଲେ ସରକାରୀ ଯୋଜନାରୁ ବଞ୍ଚିତ ହେବେ

ଭୁବନେଶ୍ବର : ଚାଷୀ ପଞ୍ଜୀକରଣ, ଖରିଫ ଋଣ ପ୍ରଦାନ ଓ ଅନ୍ୟ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ପ୍ରାଥମିକ ସମବାୟ ସମିତିଗୁଡ଼ିକ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ଡିଜିଟାଲ ପ୍ଲାଟଫର୍ମ ବ୍ୟବସ୍ଥା କରି ନ ଥିବା ପ୍ୟାକ୍ସଗୁଡ଼ିକୁ ଆସନ୍ତା ଆର୍ଥିକ ବର୍ଷରୁ ଧାନ ସଂଗ୍ରହ, ଚାଷୀ ପଞ୍ଜୀକରଣ କାର୍ଯ୍ୟରେ ଭାଗ ନେଇପାରିବେ ନାହିଁ। ଆଜି ସମବାୟ ନିବନ୍ଧକ ଏପରି କଡ଼ା ଚିଠି ଲେଖି ସବୁ ଜିଲ୍ଲା ସମବାୟ ବ୍ୟାଙ୍କ, ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ପ୍ୟାକ୍ସର କମ୍ପ୍ୟୁଟରୀକରଣ କାର୍ଯ୍ୟରେ ଅସୁବିଧା ଥାଏ ତା’ହେଲେ ତୁରନ୍ତ ସମ୍ପୃକ୍ତ ଜୋନର ଏଆର୍‌ସିଏସ୍‌, ସମବାୟ ବ୍ୟାଙ୍କ କିମ୍ବା ଜିଲ୍ଲା ଡିଆର୍‌ସିଏସ୍‌ଙ୍କୁ ଜଣାଇବାକୁ ମଧ୍ୟ ନିବନ୍ଧକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିବନ୍ଧକ ଚିଠିରେ ଦର୍ଶାଇଛନ୍ତି, ରାଜ୍ୟରେ କାର୍ଯ୍ୟରତ ସମସ୍ତ ପ୍ରାଥମିକ ସମବାୟ ସମିତିରେ ସ୍ବଚ୍ଛତା ଓ ଚାଷୀଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ପ୍ୟାକ୍ସଗୁଡ଼ିକୁ ସ୍ବୟଂକ୍ରିୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଚାଷୀମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ଏମଆଇଏସ ବ୍ୟବସ୍ଥା, କୃଷି ଋଣ ପ୍ରଦାନକୁ ଅନଲାଇନ ଯୋଗେ ଅନୁଧ୍ୟାନ କରିବାକୁ ସରକାର ପଞ୍ଜୀକୃତ ଚାଷୀଙ୍କ ଆଧାର ସଂଯୋଗ କାର୍ଯ୍ୟ ଜାରି ରଖିଛନ୍ତି। ଇ-ଗଭର୍ଣ୍ଣାନ୍ସ ବ୍ୟବସ୍ଥା ‘ସକ୍ଷମ’ ଦ୍ବାରା ଜିଲ୍ଲା ସ୍ତରରେ ଥିବା ଏଆର୍‌ସିଏସ୍‌, ଡିଆର୍‌ସିଏସ୍‌ ଅଫିସ ସହିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ସଂଯୋଗ କରାଯିବ। ଏହାଦ୍ବାରା ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡ଼ିକ ବାର୍ଷିକ ଅଡିଟ ଓ ତଦାରଖ ସହଜ ହୋଇପାରିବ। ସମବାୟ ଗୋଦାମ ଗୃହଗୁଡ଼ିକର ଜିଓ ଟ୍ୟାଗିଂ କରାଯିବା ସହ ଚାଷୀଙ୍କଠୁ ସଂଗ୍ରହ ହେଉଥିବା ଉତ୍ପାଦଗୁଡ଼ିକର ଉଚିତ ରକ୍ଷଣାବେକ୍ଷଣକୁ ମଧ୍ୟ ଅନଲାଇନ ଯୋଗେ ତଦାରଖ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହିସବୁ ଦୃଷ୍ଟିରୁ ସବୁ ପ୍ରାଥମିକ ସମବାୟ ସମିତିଗୁଡ଼ିକୁ ଇଣ୍ଟରନେଟ ଦ୍ବାରା ରାଜ୍ୟସ୍ତରରେ ଥିବା ସମବାୟ ବିଭାଗ ଓ ଅନ୍ୟ କୃଷି ନିର୍ଦ୍ଦେଶାଳୟ ସହିତ ଗୋଟିଏ ନେଟଵାର୍କରେ ସଂଯୋଗ କରାଯିବ।

ସମ୍ବନ୍ଧିତ ଖବର