ମେୟରଙ୍କୁ କ୍ଲିନ୍‌ଚିଟ୍‌ ଦେଇ ନାହିଁ ଓଏଚ୍‌ଆର୍‌ସି

ସେକ୍ସ ଭିଡିଓ ଓ ଋଷି ମୃତ୍ୟୁ ମାମଲା

ଭୁବନେଶ୍ୱର: ବହୁ ଚର୍ଚିତ ସେକ୍ସ ଭିଡିଓ ଓ ଋଷି ମୃତ୍ୟୁ ମାମଲାରେ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ରାଜ୍ୟ ମାନବାଧିକାର କମିସନ (ଓଏଚ୍‌ଆର୍‌ସି) କ୍ଲିନଚିଟ୍‌ ଦେଇ ନାହିଁ। ଆଜି ଏ ନେଇ କମିସନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦିଆଯାଇଛି। କମିସନ କହିଥିଲେ ଯେ ମେୟର ଶ୍ରୀ ଜେନାଙ୍କୁ ଓଏଚ୍‌ଆର୍‌ସି ଦୋଷମୁକ୍ତ କରିଛନ୍ତି ବୋଲି କିଛି ଗଣମାଧ୍ୟମ(‘ସମ୍ବାଦ’ ନୁହେଁ)ରେ ଖବର ପ୍ରକାଶ ପାଇଥିଲା। ମାତ୍ର ଏହା ସତ ନୁହେଁ। ଏବେ ବି ଏହି ଘଟଣାର ଶୁଣାଣି କମିସନରେ ଜାରି ରହିଛି। ଆସନ୍ତା ମାସ ୧୨ ତାରିଖରେ ଏହାର ପରବର୍ତୀ ଶୁଣାଣି ହେବ ବୋଲି କମିସନ ପକ୍ଷରୁ କୁହାଯାଇଛି। ଏଠାରେ ପ୍ରକାଶ ଥାଉକି, ବହୁ ଚର୍ଚିତ ସେକ୍ସ ଭିଡିଓ ଓ ଋଷି ମୃତ୍ୟୁ ମାମଲାରେ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଗତକାଲି କମିସନରେଟ୍‌ ପୁଲିସ ପକ୍ଷରୁ କ୍ଲିନ୍‌ଚିଟ୍‌ ଦିଆଯାଇଥିଲା। ଏଭଳି ଏକ ରିପୋର୍ଟ କମିସନରେଟ ପୁଲିସ ପକ୍ଷରୁ ଓଏଚ୍‌ଆର୍‌ସିଙ୍କୁ ପ୍ରଦାନ କରାଯାଇଥିଲା। ମାତ୍ର କିଛି ଗଣମାଧ୍ୟମରେ ଭୁଲ କ୍ରମେ ଓଏଚ୍‌ଆର୍‌ସି କ୍ଲିନଚିଟ୍‌ ଦେଇଛନ୍ତି ବୋଲି ପ୍ରକାଶ ପାଇଥିଲା। ଯାହାକୁ ନେଇ କମିସନଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜିର ସାମ୍ବାଦିକ ସମ୍ମିଳନୀରେ ଜଷ୍ଟିସ୍‌ ବୀର କିଶୋର ମିଶ୍ର, ସଚିବ ଆନନ୍ଦ ଚନ୍ଦ୍ର ସିହଳ, ଯୁଗ୍ମ ସଚିବ ଜ୍ୟୋତି ପ୍ରଧାନ, ଏଡିଜି ଏସ୍‌ଏନ୍‌ ନରଭାନି ପ୍ରମୁଖ ଉପସ୍ଥିତ ରହି ଏହି ଖବରକୁ ଖଣ୍ଡନ କରିଥିଲେ।

ସମ୍ବନ୍ଧିତ ଖବର