ଓପିଟିସିଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ବିଦ୍ୟୁତ କର୍ମଚାରୀ ମିଳିତ ମଞ୍ଚ

ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ୧୩ ଦଫା ଦାବି ନେଇ ଆଜି ବିଦ୍ୟୁତ କର୍ମଚାରୀ ମିଳିତ ମଞ୍ଚର ସଦସ୍ୟମାନେ ସହିଦନଗର ସ୍ଥିତ ଓପିଟିସିଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଛନ୍ତି। ସଂଘର ସଭାପତି ଅକ୍ଷୟ ତ୍ରିପାଠୀ ଓ ସମ୍ପାଦକ ପବିତ୍ର ମୋହନ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର କର୍ମଚାରୀ ଓପିଟିସିଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ର ହୋଇ ନାରାବାଜି କରିବା ସହ ଧାରଣାରେ ବସିଥିଲେ। ଏମିତିକି କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ। ସମାନ କାମକୁ ସମାନ ଦରମା, ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଆଇଟିଆଇ କର୍ମଚାରୀମାନଙ୍କ ଏଣ୍ଟ୍ରି ଲେଭେଲ୍‌ ଗ୍ରେଡ୍‌-୩ କରିବା, ୧ ଜାନୁଆରି ୨୦୧୫ ମସିହାରୁ ୧୦ମ ମଜୁରୀ ନିର୍ଦ୍ଧାରଣ କରିବା, ଅଟୋ ପ୍ରମୋସନ ବ୍ୟବସ୍ଥା ସମସ୍ତ ନନ୍‌ ଏକ୍ଜିକ୍ୟୁଟିଭ୍‌ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରିବା, ଖାଲିପଡ଼ିଥିବା ପଦବି ପୂରଣ କରିବା, ଉଚ୍ଚ ଶିକ୍ଷିତ କର୍ମଚାରୀମାନଙ୍କୁ ଖାଲିପଡ଼ିଥିବା ପଦବିରେ ନିଯୁକ୍ତି ଦେବା ଆଦି ୧୩ ଦଫା ଦାବିକୁ ନେଇ ମିଳିତ ମଞ୍ଚ ସମର୍ଥକମାନେ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ଏହାପରେ ମଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ଓପିଟିସିଏଲ୍‌ ମାନବ ସମ୍ବଳ ନିର୍ଦେଶକ ରାଜେନ୍ଦ୍ର ସେନାପତିଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା ଏପ୍ରିଲ୍‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦାବିଗୁଡ଼ିକୁ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଧାରଣାରୁ ଉଠିଥିଲେ। ଯଦି ଦାବିଗୁଡ଼ିକୁ ପୂରଣ କରା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର