ଅଣ୍ତାରୁ ବାହାରିଲେ ୨ ଏମୁ ଛୁଆ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୭୦ ନମ୍ବର ଖୁଆଡ଼ ମଧ୍ୟରେ ରହୁଥିବା ଏମୁ ପକ୍ଷୀ ଅଣ୍ତାରୁ ୨ଟି ଛୁଆ ବାହାରିଛନ୍ତି। ଗତ କିଛି ଦିନ ହେଲା ଏକ ଏମୁ ପକ୍ଷୀ ଅଣ୍ତାଦାନ କରିଥିଲା। ସେ ଦେଇଥିବା କେତେକ ଅଣ୍ତା ଅସାବଧାନତା କାରଣରୁ ଭାଙ୍ଗି ଯାଇଥିଲା। ଆଉ ଥିବା ୨ଟି ଅଣ୍ତା ଉପରେ ମଝିରେ ମଝିରେ ବସି ପେଟ ତଳେ ରଖି ଉଷୁମ କରୁଥିଲା। ଶୁକ୍ରବାର ସେଥିରୁ ୨ଟି ଛୁଆ ବାହାରିଛନ୍ତି। ଛୁଆ ଦୁଇଟି ମା’ ଏମୁ ସହ ବିଚରଣ କରି ଖାଦ୍ୟ ଖାଉଛନ୍ତି। ନନ୍ଦନକାନନରେ ବର୍ତ୍ତମାନ ୨ଟି ପୁରୁଷ, ୩ଟି ମାଈ ଓ ଆଜି ଜନ୍ମିତ ଛୁଆ ୨ଟିଙ୍କୁ ମିଶାଇ ମୋଟ ୭ଟି ଏମୁ ପକ୍ଷୀ ଅଛନ୍ତି। ଏହି ପ୍ରଜାତି ପକ୍ଷୀ ସାଧାରଣତଃ ମରୁଭୂମି ଅଞ୍ଚଳରେ ଦେଖାଯାଆନ୍ତି। ଏମାନେ ଉଡ଼ି ପାରନ୍ତି ନାହିଁ। ହେଲେ ଘଣ୍ଟାକୁ ପ୍ରାୟ ୫୦ କିମି ବେଗରେ ଦୌଡ଼ି ପାରନ୍ତି। ମାଈ ପକ୍ଷୀ ୧୧ଟି ପର୍ଯ୍ୟନ୍ତ ଅଣ୍ତାଦାନ କରିଥାଏ।

ସମ୍ବନ୍ଧିତ ଖବର