‘ଏସ୍‌ଏସ୍‌ଏଲ୍‌ଭି’ ବନାମ ‘ସ୍ମାର୍ଟ‌୍‌ ଡ୍ରାଗନ୍‌’

ଝରକା

କ୍ଷୁଦ୍ର କୃତ୍ରିମ ଉପଗ୍ରହଗୁଡ଼ିକୁ ବୋହି ନେଇ ଅନ୍ତରୀକ୍ଷରେ ସ୍ଥାପନ କରିବା ସକାଶେ ଇସ୍ରୋ ଦ୍ବାରା ନିର୍ମିତ ଛୋଟ ରକେଟ୍‌ ବା ‘ସ୍ମଲ୍‌ ସାଟେଲାଇଟ୍‌ ଲ˚ଚ୍‌ ଭେଇକ୍ଲ’(ଏସ୍‌ଏସ୍‌ଏଲ୍‌ଭି)ର ଚାହିଦା ଅନ୍ତର୍ଜାତୀୟ ବଜାରରେ ବେଶ୍‌ ଅଧିକ। ଏବେ ସେହି ବଜାରରେ ପ୍ରବେଶ କରିବା ଲାଗି ଚୀନ ଉଦ୍ୟତ। ଚୀନ ଦ୍ବାରା ନିର୍ମିତ ‘ଏସ୍‌ଏସ୍‌ଏଲ୍‌ଭି’ତୁଲ୍ୟ କ୍ଷୁଦ୍ର ରକେଟର ନାମକରଣ କରାଯାଇଛି ‘ସ୍ମାର୍ଟ ଡ୍ରାଗନ୍‌’ ବା ‘ଏସ୍‌ଡି’(କଠିନ ଇନ୍ଧନ ଚାଳିତ) ଏବ˚ ‘ଟେଙ୍ଗଲଙ୍ଗ’(ତରଳ ଇନ୍ଧନ ଚାଳିତ)। ‘ଏସ୍‌ଡି’ ସିରିଜ୍‌ର ରକେଟଗୁଡ଼ିକ ୨୦୦ କିଲୋଗ୍ରାମ ଓଜନରୁ ଆରମ୍ଭ କରି ଦେଢ଼ ଟନ୍‌ ଓଜନ ପର୍ଯ୍ୟନ୍ତ କୃତ୍ରିମ ଉପଗ୍ରହ ବୋହି ନେବାରେ ସମର୍ଥ ହେବେ। ତେବେ ଏହି ଶୃଙ୍ଖଳାର ସବୁ ରକେଟ୍‌ କାର୍ଯ୍ୟକ୍ଷମ ହେବା ଲାଗି ଚୀନକୁ ଆହୁରି ଦୁଇ ବର୍ଷ ଲାଗିଯିବ।

ତେବେ, ଏ ବ୍ୟବସାୟରେ ଚୀନକୁ ନିଜ ଲାଗି ସ୍ଥାନ ତିଆରି କରିବାକୁ ପଡ଼ିବ। କାରଣ, ଇସ୍ରୋ ଏ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିସାରିଛି। ପ୍ରକାଶ ଥାଉ କି ଏ ପର୍ଯ୍ୟନ୍ତ ‘ଏସ୍‌ଏସ୍‌ଏଲ୍‌ଭି’ ଜରିଆରେ ବିଭିନ୍ନ ଦେଶର ୨୯୭ଟି କୃତ୍ରିମ ଉପଗ୍ରହ ପୃଥିବୀର କକ୍ଷ ପଥରେ ସ୍ଥାପିତ ହୋଇ ସାରିଲେଣି ଏବ˚ ଏକକାଳୀନ ୧୦୪ଟି କୃତ୍ରିମ ଉପଗ୍ରହ ସ୍ଥାପନ କରିବାର ରେକର୍ଡ ଇସ୍ରୋ ନିକଟରେ ରହିଛି।

‘ଏସ୍‌ଏସ୍‌ଏଲ୍‌ଭି’ ରକେଟ୍‌ଗୁଡ଼ିକୁ ମାତ୍ର ୩-୫ ଦିନ ଭିତରେ ଖଞ୍ଜି ଦେଇ କାର୍ଯ୍ୟକ୍ଷମ କରାଇ ହୁଏ। ତେଣୁ ଚାହିଦା ଅନୁସାରେ ଏ ସବୁକୁ ସାଙ୍ଗେ ସାଙ୍ଗେ ନିର୍ମାଣ କରାଯାଇଥାଏ। ଚୀନର ‘ଟେକ୍‌ନୋଲୋଜି’ ବା ପ୍ରଯୁକ୍ତି ଅପେକ୍ଷାକୃତ ଶସ୍ତା ବୋଲି ଯଦିଓ ସୁନାମ ରହିଛି, ସେଗୁଡ଼ିକର କାର୍ଯ୍ୟଦକ୍ଷତା ଅନେକ ସ୍ଥଳରେ ସ˚ଶୟମୂଳକ। ତେଣୁ ‘ଏସ୍‌ଡି’ ରକେଟ୍‌ଗୁଡ଼ିକ ‘ଏସ୍‌ଏସ୍‌ଏଲ୍‌ଭି’ ସହ ପ୍ରତିଦ୍ବନ୍ଦ୍ବିତା କଲା ବେଳେ କେତେ ଦୂର ସଫଳ ହେବେ ତାହା କହିହେଉ ନାହିଁ। ତଥାପି, ଏହା ଇସ୍ରୋ ଲାଗି ଏକ ସତର୍କ ଘଣ୍ଟି। ଏ ବଜାରରେ ଏକ ନମ୍ବର ହୋଇ ରହିବାକୁ ହେଲେ ଇସ୍ରୋ ପକ୍ଷରୁ କୌଣସି ପ୍ରକାର ତ୍ରୁଟିବିଚ୍ୟୁତି ସ୍ଥାନ ପାଇବା ଉଚିତ ହେବନାହିଁ।

ସମ୍ବନ୍ଧିତ ଖବର