ନବୀନ ନିବାସରେ ଦିଲୀପ ରାୟ, ନବୀନଙ୍କ ସହ ଚାଲିଛି ରୁଦ୍ଧଦ୍ବାର ବୈଠକ !

ଭୁବନେଶ୍ୱର: ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ପହଂଚିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦିଲୀପ ରାୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ବିଜେପି ଛାଡ଼ିଥିବା ଦିଲୀପ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ବିଷାରଦମାନେ ପୂର୍ବାନୁମାନ କରୁଛନ୍ତି। ସୂତ୍ର ଅନୁସାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଦିଲୀପ ରାୟଙ୍କ ରୁଦ୍ଧଦ୍ବାର ବୈଠକ ଚାଲିଛି। ଦୀର୍ଘ ୧୭ ବର୍ଷ ପରେ ଦିଲ୍ଲୀପ ପୁଣିଥରେ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।

ଦିଲ୍ଲୀପ ବିଜେଡିରେ ସାମିଲ ହେବେ ବୋଲି ବେଶ କିଛି ଦିନ ହେବ ଚର୍ଚ୍ଚା ହେଉଛି । ଗତ ନଭେମ୍ବର ୩୦ରେ ଉଭୟ ଦିଲ୍ଲୀପ ଓ ବିଜୟ ବିଜେପିରୁ ଇସ୍ତଫା ଦେଇଥିଲେ । ସେବେଠାରୁ ଚର୍ଚ୍ଚା ହେଉଥିଲା ଏହି ଦୁଇ ବରିଷ୍ଠ ନେତା ବିଜେଡିକୁ .ଫେରି ପାରନ୍ତି । ଆଉ ଏସବୁ ଭିତରେ ଦୀର୍ଘ ଦିନ ପରେ ପୁଣି ଥରେ ନବୀନ ନିବାସ ମୁହାଁ ହୋଇଛନ୍ତି ଦିଲ୍ଲୀପ ।

କୁହାଯାଉଛି ଦିଲ୍ଲୀପଙ୍କୁ ଦଳରେ ସାମିଲ କରି ତାଙ୍କୁ କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ବିରୋଧରେ ପ୍ରାର୍ଥୀ କରିବାକୁ ବିଜେଡି ଯୋଜନା କରୁଛି । ଯେହେତୁ କେନ୍ଦ୍ରାପଡା ବିଜୁବାବୁଙ୍କ କର୍ମସ୍ଥଳୀ ରହିଥିଲା ତେଣୁ ଦିଲ୍ଲୀପଙ୍କୁ ପ୍ରାର୍ଥୀ କରି ଦଳ ଏଠାରେ ବିଜୟ ବାନା ଉଡାଇବାକୁ ଯୋଜନା କରୁଛି । ଏହାପୂର୍ବରୁ ୨୦୦୨ ମସିହାରେ ଦିଲ୍ଳୀପକୁ ଦଳରୁ ବହିଷ୍କାର କରିଥିଲା ବିଜେଡି । ତେବେ ଦିଲ୍ଲୀପ ଯଦି ବିଜେଡିରେ ଯୋଗ ଦିଅନ୍ତି ତେବେ ଅନ୍ୟତମ ହେଭିୱେଟ ନେତା ବିଜୟ ମହାପାତ୍ରଙ୍କ ଗତି କୁଆଡେ ତାହା ଏବେ ସବୁଠୁୂ ବଡ ପ୍ରଶ୍ନ ।

ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ବିଜେଡିର  ବହୁ ବରିଷ୍ଠ ନେତା ଓ ଜିଲ୍ଲାର ବିଜେଡି କର୍ମକର୍ତ୍ତା ଦିଲୀପଙ୍କୁ ସାକ୍ଷାତ କରିଥିଲେ। ତେବେ ଦିଲୀପ କେଉଁ ଦିନ ବିଜେଡିରେ ମିଶିବେ ତାହା ସ୍ପଷ୍ଟ ହୋଇ ନ ଥିଲା। ଇତିମଧ୍ୟରେ ଦିଲୀପଙ୍କ ସମର୍ଥକମାନେ ରାଉରକେଲାରୁ ଭୁବନେଶ୍ବର ଆସି ପହଞ୍ଚିଛନ୍ତି।ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ତଥା ବରିଷ୍ଠ ବିଜେଡି ନେତା ଆନନ୍ଦ ମହାନ୍ତି ତାଙ୍କ ସମର୍ଥକମାନଙ୍କ ସହିତ ଦିଲୀପଙ୍କୁ ଭେଟି ଜିଲ୍ଲାର ସାମ୍ପ୍ରତିକ ବିଜେଡି ରାଜନୀତି ସମ୍ପର୍କରେ ଅବଗତ କରିଥିଲେ। ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରୁ ଯୁବନେତା ବେନେଡିକ୍ଟ ତିର୍କୀ ମଧ୍ୟ ଦିଲୀପଙ୍କୁ ସାକ୍ଷାତ କରି ଦଳକୁ ଆସିଲେ ବିଜେଡି ଆହୁରି ମଜବୁତ ହେବ ବୋଲି କହିଥିଲେ। ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ସଂଜୀବ ପ୍ରତାପ ସିଂଦେଓ (ଲାଲୁ) ମଧ୍ୟ ଦିଲୀପଙ୍କୁ ଭେଟିଥିଲେ। ସେହିପରି ଯୁବନେତା ପ୍ରକାଶ ପାଶୱାନ ମଧ୍ୟ ତାଙ୍କ ସହିତ ଆଲୋଚନା କରିଥିଲେ। ଅପରାହ୍‌ଣରେ ହକି ତାରକା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କୀ ମଧ୍ୟ ଯାଇ ଦିଲୀପଙ୍କୁ ଭେଟିଥିଲେ। ଏହାପୂର୍ବରୁ ନାରୀନେତ୍ରୀ ମିନତୀ ଦେବତା ଦିଲୀପଙ୍କୁ ସାକ୍ଷାତ କରି ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ବିଜେଡିରେ ତାଙ୍କର ଯୋଗଦାନ ଦଳକୁ ଶୃଙ୍ଖଳିତ ଏବଂ ମଜବୁତ କରି ନିର୍ବାଚନରେ ଦଳର ବିଜୟ ସମ୍ଭାବନାକୁ ସୁନିଶ୍ଚିତ କରିବ ବୋଲି କହିଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ରରୁ ବିଜୁ ଜନତା ଦଳର ଟିକେଟ୍‌ ଆଶାୟୀମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ଦିଲୀପ ରାୟଙ୍କୁ ଭେଟି ନିଜ ସପକ୍ଷରେ ଲବି କରିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି, ଦିଲୀପଙ୍କ ପାଖରେ ସ୍ଥାନୀୟ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ସାରଦା ନାୟକଙ୍କର ଏକାଧିକ ବିରୋଧୀଙ୍କୁ ଦେଖିବାକୁ ମିଳିଥିଲା। ଦିଲୀପ ପୁଣି ବିଜେଡିକୁ ଆସୁଥିବା ପ୍ରଚାର ହେବାପରେ ରାଉରକେଲାରେ ସାରଦାଙ୍କ ବିରୋଧୀ ଶିବିର ଖୁସି ବ୍ୟକ୍ତ କରିଛନ୍ତି। ଏକଦା ସାରଦାଙ୍କ ଅତି ଘନିଷ୍ଠ ଥାଇ ପରେ ବିରୋଧୀ ହୋଇଥିବା ବିଜେଡ଼ିର ଆବାହକ ବିକାଶ ମାନସିଂହ ଆସନ୍ତାକାଲି ଏକ ବନ୍ଧୁମିଳନ ଆଳରେ ସାରଦାଙ୍କ ବିରୋଧୀଙ୍କୁ ଏକଜୁଟ୍‌ କରିବା ପାଇଁ ଉଦ୍ୟମ କରୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧିତ ଖବର