ଧର୍ମେନ୍ଦ୍ରଙ୍କୁ ପ୍ରଶଂସା ମହଙ୍ଗା ପଡ଼ିଲା : ପିନାକୀଙ୍କୁ ଦଳ ଭିତରୁ ବିରୋଧ

ଭୁବନେଶ୍ୱର : ରାଜ୍ୟରେ ବିଜେଡି-ବିଜେପି ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ପୁଣି ଜଣେ ବିଜେଡି ସାଂସଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିବା ଘଟଣା ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଏହାକୁ ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା ଜାରି ରହିଛି। ସେପଟେ ବିଜେଡିରେ ବି ଝଡ଼ ହୋଇଛି। ଦଳର ନେତାମାନେ ଧର୍ମେନ୍ଦ୍ରଙ୍କ ସଂପର୍କରେ ଟିପ୍‌ପଣୀ ରଖିଥିବା ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଘେରିଯାଇଛନ୍ତି। ପିନାକୀ ଦଳ ବିରୋଧୀ କାମ କରିଛନ୍ତି ବୋଲି ବି ଏହି ନେତାମାନେ କହିବାକୁ ପଛାଇନାହାନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ଭୁବନେଶ୍ୱରର ମୁଦ୍ରା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ବିଜେଡି ସାଂସଦ ପିନାକୀ ମିଶ୍ର। କହିଥିଲେ, ଗଲା ୪୦ ବର୍ଷ ଭିତରେ ଦେଶ ଏଭଳି ଜଣେ ପେଟ୍ରୋଲିୟମ ମନ୍ତ୍ରୀ ପାଇଛି, ଯିଏକି ଦକ୍ଷ ଓ କଠିନ ପରିଶ୍ରମୀ ବ୍ୟକ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି। ସାଂସଦ ଆହୁରି କହିଥିଲେ,ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ଅନେକ ଚ୍ୟାଲେଞ୍ଜର ସମୁଖୀନ ହେବାକୁ ପଡିବ। ଚ୍ୟାଲେଞ୍ଜକୁ ସଫଳତାର ସହ ସମ୍ମୁଖୀନ ହେବା ଲାଗି ଶୁଭେଚ୍ଛା ଜଣାଇଥିିଲେ ପିନାକୀ।

ପିନାକୀଙ୍କ ପ୍ରଶଂସାର କେଇ ଘଣ୍ଟା ପରେ କିନ୍ତୁ ବିଜେପି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଥିଲେ। ଚିଟ୍‌ଫଣ୍ଡ, ଖଣି ଦୁର୍ନୀତି ଭିତରକୁ ଭିଡ଼ି ମୁଖ୍ୟମନ୍ତ୍ରୀଙ୍କୁ ସମ୍ମୁଖ ବିତର୍କ ଲାଗି ଆହ୍ଵାନ ଦେଇଥିଲେ। ଏପରିସ୍ଥଳେ ପିନାକୀଙ୍କ ମନ୍ତବ୍ୟ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ନିଆଁ ଲଗାଇ ଦେଇଛି। ଦଳୀୟ ନେତାମାନେ ଏହାକୁ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି।

ଯଦିଓ ପିନାକୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ନିବିଡ଼ତା ନେଇ ଦଳ ଭିତରେ ଏକ ଧାରଣା ରହିଛି, ତା ସତ୍ତ୍ୱେ ଆଜି ଦଳର ବିଧାୟକ ଦେବାଶିଷ ସାମନ୍ତରାୟ କଡ଼ା ଭାଷାରେ ତାଙ୍କୁ ସମାଲୋଚନା କରିବାକୁ ପଛାଇନାହାନ୍ତି। କହିଛନ୍ତି, ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରି ପିନାକୀ ଦଳ ବିରୋଧୀ କାମ କରିଛନ୍ତି। ସାଂସଦ ପେଟ୍ରୋଲିୟମ ବିଭାଗର ସବୁ ବିଫଳତା ଜାଣି ସୁଦ୍ଧା ପ୍ରଶଂସା କରିବା ଆଦୌ ଠିକ୍‌ ହୋଇନାହିଁ। ଧର୍ମେନ୍ଦ୍ର ଭାରତବର୍ଷକୁ ବହୁ ପଛକୁ ନେଇଯାଇଛନ୍ତି ଓ ସେ ଜଣେ କୁଶଳୀ ମନ୍ତ୍ରୀ ନୁହନ୍ତି ବୋଲି ଦେବାଶିଷ କହିଛନ୍ତି। ତୈଳ ଦର କ୍ରମାଗତ ଭାବେ ବଢ଼ିଚାଲିଛି, ଖାଉଟି ହନ୍ତସନ୍ତ ହେଉଛନ୍ତି। ଏଭଳି ପରିସ୍ଥିତିରେ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶଂସା ଠିକ୍‌ ନୁହେଁ ବୋଲି ମତ ରଖିଛନ୍ତି ଶ୍ରୀ ସାମନ୍ତରାୟ।

ପିନାକୀଙ୍କୁ ସମାଲୋଚନା ସେତିକିରେ ଶେଷ ହୋଇନାହିଁ। ଦଳର ବରିଷ୍ଠ ଉପସଭାପତି ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମଧ୍ୟ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି, ଧର୍ମେନ୍ଦ୍ର ପିନାକୀଙ୍କୁ ଭଲ ଲାଗିଥିବେ, ସେଥିପାଇଁ ସେ ଏମିତି କହିଥିବେ। ଗୋଟିଏ ସମୟରେ ଚନ୍ଦ୍ରସ୍ୱାମୀ ମଧ୍ୟ ପିନାକୀଙ୍କୁ ଭଲ ଲାଗିଥିଲେ। ଇନ୍ଦିରାଗାନ୍ଧୀ ଓ ସଂଜୟ ଗାନ୍ଧୀ ବି ତାଙ୍କୁ ଭଲ ଲାଗିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ମତ, ମୁଁ କଣ କହିବି? ତେବେ ଧର୍ମେନ୍ଦ୍ର ଓଡ଼ିଶା ବିରୋଧୀ ବୋଲି ଦାମ କହିଥିଲେ।

ବିଜେପି ଉପସଭାପତି ସମୀର ମହାନ୍ତି ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ସଂପର୍କରେ ପିନାକୀଙ୍କ ମନ୍ତବ୍ୟ ନିରାଟ ସତ କଥା। ଅପ୍ରିୟ ସତ୍ୟ ସବୁୁବେଳେ ସମସ୍ତଙ୍କୁ ପୀଡ଼ା ଦେଇଥାଏ।

ଏଠାରେ ଉଲ୍ଲେଖଥାଉକି, ପୂର୍ବରୁ ଧର୍ମେନ୍ଦ୍ର ଓ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଓ ସାଂସଦ ବୈଜୟନ୍ତ ପଣ୍ଡା ବିତର୍କର ବଳୟ ଭିତରକୁ ଆସିଥିଲେ। ହେଲେ ନିକଟରେ ନିର୍ବାଚନ ପାଣ୍ଠି ଅଡୁଆ ପ୍ରସଙ୍ଗରେ ନବୀନଙ୍କୁ ସୁରକ୍ଷା ଦେବାକୁ ଯାଇ ବିଜେପି ବିରୋଧରେ ବିଷୋଦ୍‌ଗାର କରିଥିବା ପିନାକୀ ହଠାତ୍‌ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିବା ଘଟଣାରେ ରାଜନୈତିକ ପର୍ଯ୍ୟବେକ୍ଷକ ବିସ୍ମୟ ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର