ଟଙ୍କା ପାଇଁ କାର ଧୋଇଥିଲେ, ପିଜ୍ଜାହଟରେ ଡେଲିଭରି ବଏ ଭାବେ କାମ କରିଥିଲେ, ଏବେ ଜମ୍ମୁ-କଶ୍ମୀର ପୁଲିସରେ ସବ୍‌ଇନ୍ସପେକ୍ଟର

ଜମ୍ମୁ: ଜମ୍ମୁ-କଶ୍ମୀର ପୁଲିସରେ ସବ୍‌ଇନ୍ସପେକ୍ଟର ଭାବେ ନିୟୋଜିତ ହୋଇଥିବା ମୋଇନ୍‌ ଖାନ୍‌ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ବହୁ ସଂଘର୍ଷ କରିଛନ୍ତି। ଆସନ୍ତୁ ଜାଣିବା କିପରି ମୋଇନ ପିଜ୍ଜା ଡେଲିଭରି ବଏରୁ ଜମ୍ମୁ-କଶ୍ମୀର ପୁଲିସରେ ନିୟୋଜିତ ହୋଇ ପାରିଲେ।

ମୋଇନ୍‌ ଖାନ୍‌ କହନ୍ତି, ମୁଁ ନଗରୋଟାର ଥଣ୍ଡାପାନି  ଗ୍ରାମରେ ବସବାସ କରେ। ମୋର ମାତା-ପିତା ଅଶିକ୍ଷିତ। ମୁଁ ଘର ଭିତରେ ଗ୍ରାଜୁଏସନ୍‌ ପୂରା କରିଥିବା ପ୍ରଥମ ବ୍ୟକ୍ତି । ମୋ ବଡ଼ ଭାଇକୁ ଡାଉନ୍‌ ସିଣ୍ଡ୍ରୋମ ଓ ତାଙ୍କ ଚିକିତ୍ସା ଜାରି ରହିଛି। ଏବେ ମୁଁ ଉଧମପୁରସ୍ଥିତ ପୁଲିସ ଟ୍ରେନିଂ ଆକାଡେମୀରେ ଟ୍ରେନିଂ ହାସଲ କରୁଛି। ମୋ ପିତା ମହମ୍ମଦ ସରିଫ କ୍ଷୀର ବ୍ୟବସାୟ କରୁଥିଲେ। ଏହାପରେ ଗୁଜୁରାଟରେ ଏକ ଢ଼ାବା ଖୋଲିଥିଲେ। କିନ୍ତୁ ୨୦୦୯ରେ ତାଙ୍କର ଏକ ଦୁର୍ଘଟଣା ହୋଇଯାଇଥିଲା। ଏହାପରେ ପରିବାରର ପୂରା ଭାର ମୋ ଉପରେ ଆସି ଯାଇଥିଲା। ତେଣୁ ମୁଁ ଛୋଟ-ମୋଟ କାମ କରିବା ଆରମ୍ଭ କରି ଦେଇଥିଲି।

ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ୨୦୧୨ରେ କମର୍ସରେ ଗ୍ରାଜୁଏସନ୍‌ କଲି। ଏହାପରେ ୨୫୦୦ଟଙ୍କାରେ ପିଜ୍ଜା ହଟରେ କାମ କଲି। ଏଥିସହିତ ବିବିଏ ବି ପଢ଼ୁଥିଲି ଓ ଟଙ୍କା ପାଇଁ କାର ଧୋଇବା କାମ ବି କରୁଥିଲି। ୨୦୧୬ରେ ସବ୍‌-ଇନ୍ସପେକ୍ଟର ପଦରେ ଭର୍ତ୍ତି ପାଇଁ ଏକ ବିଜ୍ଞାପନ ବାହାରିଥିଲା। ଏହି ବିଜ୍ଞାପନ ଦେଖି ମୁଁ ଆବେଦନ କରିଥିଲି। ମୋର ଜଣେ ସାଙ୍ଗ କହିଥିଲା କି ଆଇପିଏସ୍‌ ଅଫିସର ଏକ ହଲ୍‌ରେ ଯେଉଁ ଛାତ୍ରମାନେ ଆର୍ଥିକ ଭାବେ ଦୁର୍ବଳ ସେମାନଙ୍କୁ କୋଚିଂ ଦେଉଛନ୍ତି। ସାଙ୍ଗଠାରୁ ଏହି କଥା ଶୁଣିବା ପରେ ମୁଁ ସେଠାରେ କୋଚିଂ ନେଇଥିଲି ଏବଂ ପରୀକ୍ଷାରେ ସଫଳତା ହାସଲ କରିଥିଲି। ୨୦୧୮ ଡିସେମ୍ବରରେ ପରୀକ୍ଷା ଫଳ ବାହାରିଥିଲା। ଏକ ସପ୍ତାହ ଭିତରେ ମୁଁ ଟ୍ରେନିଂ ଏକାଡେମୀରେ ଯୋଗ ଦେଇଥିଲି।’

ସମ୍ବନ୍ଧିତ ଖବର