ଅଶ୍ୱଚାଳନା ପଦକ ପଛରେ ଓଡ଼ିଆ : ଭାରତକୁ ଗର୍ବିତ କଲେ କର୍ନେଲ୍‌ ରାଜେନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର: ଏସୀୟ କ୍ରୀଡ଼ାରେ ଦୀର୍ଘ ୩୬ ବର୍ଷ ପରେ ଅଶ୍ୱଚାଳନାରୁ ପଦକ ଜିତିଛି ଭାରତ। ଫୌଆଦ୍‌ ମୀର୍ଜା ବ୍ୟକ୍ତିଗତ ଏବଂ ଦଳଗତ ରୌପ୍ୟ ପଦକ ରୂପରେ ଦେଇଛନ୍ତି ଏହି ବହୁ ପ୍ରତୀକ୍ଷିତ ସଫଳତା। ଏକଥା ଅନେକଙ୍କୁ ଅଜଣା ଯେ ଏହି ଐତିହାସିକ ପଦକ ପଛରେ କିନ୍ତୁ ରହିଛି ଜଣେ ଓଡ଼ିଆ ବ୍ୟକ୍ତିଙ୍କ ପ୍ରଛନ୍ନ ହାତ। ଦୂତି ଚାନ୍ଦଙ୍କ ରୌପ୍ୟ ପଦକ ସଫଳତା ପରେ ଓଡ଼ିଶା ଦୁଲୁକି ଉଠିଛି। କିନ୍ତୁ ଅଶ୍ୱଚାଳନା ରୌପ୍ୟପଦକ ଦ୍ୱୟର ନେପଥ୍ୟ ନାୟକ ଥିବା ଓଡ଼ିଆଙ୍କୁ କେହି ଜାଣିନାହାନ୍ତି। ସେ ଆଉ କେହି ନୁହନ୍ତି ଦେଶରେ ଅଶ୍ୱଚାଳନାର ପୁନଃରୁଦ୍ଧାର ତଥା ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ନେଇଥିବା କର୍ନେଲ୍‌ ରାଜେନ୍ଦ୍ର କୁମାର ସ୍ୱାଇଁ। ଭାରତୀୟ ଅଶ୍ୱଚାଳନା ସଂଘ (ଇଏଫ୍‌ଆଇ)ର ମହାସଚିବ ଥିବା ଏହି ଓଡ଼ିଆ ବ୍ୟକ୍ତିତ୍ୱଙ୍କ ପାଇଁ ଅସମ୍ଭବ ଆଜି ସମ୍ଭବ ହୋଇଛି। ଦିଲ୍ଲୀ ଆର୍ମି ସଦରମହକୁମାରେ ଅବସ୍ଥାପିତ କର୍ନେଲ୍‌ ସ୍ୱାଇଁଙ୍କ ନିରଂତର ପ୍ରଚେଷ୍ଠା କାରଣରୁ ଆଜି ଏସିଆଡ୍‌ରେ ଭାରତ ପାଇଛି ପଦକ।
‘‘ଦୀର୍ଘ ୩୬ ବର୍ଷ ପରେ ଭାରତ ଏସିଆଡ୍‌ରେ ପଦକ ଜିତିଥିବାରୁ ଗର୍ବ ଲାଗୁଛି। ମୁଁ ୨୦୧୫ ମସିହାରେ ଦାୟିତ୍ୱ ନେବା ପରେ ଅନୁଭବ କରିଥିଲି, ଆମ ନିକଟରେ ପ୍ରତିଭାର ଅଭାବ ନାହିଁ। କେବଳ ଠିକଣା ତାଲିମ ଏବଂ ଉପଯୁକ୍ତ ଘୋଡ଼ା। ଏହା ଏଭଳି ଏକ ଖେଳ ଯେଉଁଠି ଏକକାଳୀନ ଦୁଇଟି ହୃଦ୍‌ସ୍ପନ୍ଦନ ହୋଇଥାଏ। ପୁରୁଷ ଓ ମହିଳା ବି ଏକାଠି ଖେଳିପାରନ୍ତି। ଏହି ଖେଳ ଅଣପାରମ୍ପାରିକ ଏବଂ ଭାରି ବ୍ୟୟବହୁଳ ଥିବାରୁ ପ୍ରାୟୋଜକଙ୍କ ହାତ ଲମ୍ବିବା ଆବଶ୍ୟକ। ବ୍ୟକ୍ତିଗତ ଭାବେ ମୁଁ ଏକ ବଡ଼ ସଂସ୍ଥା ସହ ଇଏଫ୍‌ଆଇକୁ ଯୋଡ଼ିଥିଲି। ସେମାନେ ୧୦ରୁ ୧୫ କୋଟି ଟଙ୍କା ଖର୍ଚ କରିବା ପରେ ହିଁ ଏସିଆଡ୍‌ ସଫଳତା ମିଳିପାରିଛି’ ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ କହିଥିଲେ ୫୨ ବର୍ଷୀୟ ରାଜେନ୍ଦ୍ର। ଓଡ଼ିଆ ଭାବେ ଭାରି ଗର୍ବିତ। କାରଣ ମୁଁ ପ୍ରଥମ ଓଡ଼ିଆ ଭାବେ ଭାରତୀୟ ଅଶ୍ୱଚାଳନା ଦଳରୁ ଖେଳିଥିଲି ଏବଂ ପ୍ରଥମ ଓଡ଼ିଆ ଭାବେ ଭାତୀୟ ସଂଘର ମହାସଚିବ ହୋଇଛି। ଏସିଆଡ୍‌ ସଫଳତା ପ୍ରମାଣ କରି ଦେଇଛି ଏହି ଖେଳରେ ସୁଯୋଗ ଓ ସମ୍ଭାବନା ରହିଛି ବୋଲି କହିଥିଲେ କୋରାପୁଟ କୋଟପାଡ ଅଞ୍ଚଳର ମୂଳଅଧିବାସୀ ଶ୍ରୀ ସ୍ୱାଇଁ।
ଓଡ଼ିଶାରେ ଏହି ଖେଳର ପ୍ରସାର ପାଇଁ ମୁଁ ପ୍ରୟାସ କରିଛି। ଓୟୁଏଟିରେ ଥିବା ଆଲୋକ ପଲେଇଙ୍କୁ ଗତବର୍ଷଠାରୁ ପ୍ରସ୍ତାବ ଦେଇଛି। ଅନ୍ୟୁନ ମୁଁ ଥିବା ସମୟ ଭିତରେ ଇଏଫ୍‌ଆଇ ସ୍ୱୀକୃତି ନେବାକୁ ଚେଷ୍ଟା କରିବୁ ବୋଲି କହିଥିଲେ କର୍ନେଲ୍‌ ରାଜେନ୍ଦ୍ର। ପିଲାଦିନେ ବାପା ଘରେ ଘୋଡ଼ା ରଖୁଥିବାରୁ ମୋର ଏହି ଖେଳ ପ୍ରତି ଦୁର୍ବଳତା, ଡ଼ର ନଥିଲା। ଭୁବନେଶ୍ୱରରେ ମୁଁ ଓୟୁଏଟିରେ ପଢ଼ିବା ବେଳେ ମଧ୍ୟ ଅଶ୍ୱଚାଳନା ସମ୍ପର୍କରେ ଆସିଥିଲି। ୧୯୮୭ ମସିହାରେ ମଧ୍ୟ ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ ସ୍ୱର୍ଣ୍ଣ ପଦକ ଜିତିଥିଲି ବୋଲି କହିଛନ୍ତି। ଏହା ସହିତ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ କବାଡ଼ି ଓ ଭଲିବଲ୍‌ରେ ପ୍ରତିନିଧିତ୍ୱ କରିଥିଲେ। ଗତବର୍ଷ ଅନ୍ତର୍ଜାତୀୟ ଅଶ୍ୱଚାଳନା ସଂଘର ପକ୍ଷରୁ ‘ଏକତା ପୁରସ୍କାର-୨-୦୧୭’ ପାଇଥିଲେ। ୧୩୪ ସଦସ୍ୟ ରାଷ୍ଟ୍ରରୁ ଶେଷକୁ ଭାରତକୁ ବିଶ୍ୱର ଶୀର୍ଷ ୪ ଦେଶରେ ସାମିଲ କରି ଏହି ଗୌରବ ଆଣିଥିଲେ। ଦିନେ ଅଲିମ୍ପିକ୍ସରେ ଭାରତକୁ ପଦକ ବିଜେତା କରାଇବା ଲକ୍ଷ୍ୟରେ ରହିଛନ୍ତି କର୍ନେଲ୍‌ ରାଜେନ୍ଦ୍ର।

ସମ୍ବନ୍ଧିତ ଖବର