ସ୍ମିଥ୍‌-ମାର୍ସଙ୍କ ତ୍ରିଶତକ ଭାଗୀଦାରି: ପର୍ଥ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ଦୃଢ଼

ପର୍ଥ: ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ (୨୨୯*. ୩୯୦ ବଲ୍‌, ୨୮ ଚୌକା, ୧ ଛକା) ଏବଂ ଅଲରାଉଣ୍ଡର୍‌ ମିଚେଲ୍‌ ମାର୍ସ (୧୮୧*, ୨୩୪ ବଲ୍‌, ୨୯ ଚୌକା)ଙ୍କ ତ୍ରିଶତକ ଭାଗୀଦାରି (୩୦୧*, ୭୭.୨ ଓଭର) ବଳରେ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜ ସ୍ଥିତି ଦୃଢ଼ କରି ନେଇଛି। ତୃତୀୟ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍‌ରେ ୫୪୯ ରନ୍‌ ସଂଗ୍ରହ କରିଛି। ଶନିବାର ତୃତୀୟ ଦିନରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇଥିବା ଘରୋଇ ଦଳ ଏବେ ଦୁଇ ଦିନ ଖେଳ ହାତରେ ଥାଇ ୧୪୬ ରନ୍‌ରେ ଆଗୁଆ ହୋଇସାରିଛି। ଶୃଙ୍ଖଳାରେ ୨-୦ରେ ଆଗୁଆ ଥିବାରୁ ସ୍ମିଥ୍‌ଙ୍କ ଦଳ ଆସେସ୍‌ ପୁନଃଅର୍ଜନର ସମ୍ଭାବନାକୁ ୨ ଟେଷ୍ଟ୍‍ ପୂର୍ବରୁ ପୂରା କରିଦେବା ନିଶ୍ଚିତ କରିଛି।

ଶନିବାର ସକାଳେ ଅଷ୍ଟ୍ରେଲିଆ ପୂର୍ବ ଦିନର ସ୍କୋର୍‌ ୨୦୩/୩ରୁ ଖେଳିଥିଲା। ସନ୍‌ ମାର୍ସ (୨୮)ଙ୍କୁ ମୋଇନ୍‌ ଅଲୀ ଆଉଟ୍‌ କରିଥିଲେ। ଏହି ଗୋଟିଏ ଓ୍ଵିକେଟ୍‌ରେ ଇଂଲଣ୍ଡର ଶନିବାର ସଫଳତା ସୀମିତ ରହିଥିଲା। ଷ୍ଟିଭେନ୍‌ ସ୍ମିଥ୍‌ ନିଜର ୨୨ତମ ଟେଷ୍ଟ ଶତକ ପୂର୍ଣ୍ଣ କରିଥିବାବେଳେ ମିଚେଲ୍‌ ମାର୍ସ ନିଜର ପ୍ରଥମ ଶତକ ଅର୍ଜନ କରିଥିଲେ। ସ୍ମିଥ୍‌ ନିଜର ଦ୍ୱିତୀୟ ଦ୍ୱିଶତକ ଅର୍ଜନ କରି ସାରିଥିବାବେଳେ ମାର୍ସ ଏବେ ନିଜ ପ୍ରଥମ ଶତକକୁ ଦ୍ୱିଶତକ ରୂପ ଦେବା ଦ୍ୱାରର ପହଞ୍ଚିଛନ୍ତି। ଶନିବାରର ଅପରାଜିତ ପାଳି ଅବସରରେ ସ୍ମିଥ୍‌ ମଧ୍ୟ ୨୦୧୭ କ୍ୟାଲେଣ୍ଡର୍‌ ବର୍ଷରେ ୧୦୦୦ ରନ୍‌ ଅତିକ୍ରମ କରିଥିଲେ। ସକାଳେ ୧୩୮ ବଲ୍‌ରୁ ଶତକ ପୂର୍ଣ୍ଣ କରିବା ବେଳେ ନିଜର ସବୁଠୁ ବ୍ୟକ୍ତିଗତ ଦ୍ରୁତତମ ଟେଷ୍ଟ୍‍ ଶତକର ଅଧିକାରୀ ହୋଇଥିଲେ। ମୋଇନ୍‌ ଅଲୀଙ୍କ ବୋଲିଂରେ ମିଡ୍‌ ଓ୍ଵିକେଟ୍‌କୁ ଖେଳି ଏକ ରନ୍‌ ସହିତ ଦ୍ୱିଶତକ ପୂର୍ଣ୍ଣ କରିଥିଲେ। ନିଜର ଏହି ୩୯୦ ବଲ୍‌ ପାଳିରେ ସ୍ମିଥ୍‌ ମଧ୍ୟ ଗୋଟିଏ ହେଲେ ଆଉଟ୍‌ ସୁଯୋଗ ଦେଇନଥିଲେ। ବରଂ ଦୁଇ ଥର ଏଲ୍‌ବିଡବ୍‌ଲ୍ୟୁ ଆବେଦନରେ ଫିଲ୍‌ଡ ଅମ୍ପାୟାର୍‌ ନଟ୍‌ ଆଉଟ୍‌ କହିବା ପରେ ରିଭ୍ୟୁରେ ଏହା କାଏମ ରହିଥିଲା। ୨୦୧୫ ମସିହାରେ ଲର୍ଡସରେ ସ୍ମିଥ୍‌ ମାରିଥିବା ନିଜ ଖେଳ ଜୀବନର ଶ୍ରେଷ୍ଠ ପାଳି ୨୧୫ ରନ୍‌ ଏବେ ପଛରେ ପଡ଼ିଯାଇଛି।

କୋହଲି ତୁଳନା: ବେଳେବେଳେ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ତୁଳନା କରାଯାଇଥାଏ। କୋହଳି ୬୩ ଟେଷ୍ଟ୍‍ରୁ ୫୩.୭୫ ହାରରେ ୫୨୬୮ରନ୍‌ ସଂଗ୍ରହ କରିଥିବାବେଳେ ୨୦ ଶତକ ମାରିଛନ୍ତି। ସ୍ମିଥ୍‌ କିନ୍ତୁ ଚଳିତ ପାଳି ପୂର୍ବରୁ ୫୮ ଟେଷ୍ଟ୍‍ରୁ ୬୦.୪୦ ହାରରେ ୫୫୫୭ ରନ୍‌ ସଂଗ୍ରହ କରି ଆଗରେ ରହିଛନ୍ତି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୪୦୩ (ଡିଜେ ମଲନ-୧୪୦, ଜନି ବେୟାରଷ୍ଟୋ-୧୧୯, ମାର୍କ ଷ୍ଟୋନମ୍ୟାନ୍‌-୫୬, ମିଚେଲ ଷ୍ଟାର୍କ-୪/୯୧, ଜୋସ୍‌ ହାଜେଲଉଡ୍‌-୩/୯୨, ପ୍ୟାଟ୍‌ କମିନ୍ସ-୨/୮୪, ନାଥନ୍‌ ଲିଅନ-୧/୭୩)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୫୨ ଓଭରରେ ୫୪୯/୪ (ଉସମାନ ଖଓ୍ଵାଜା-୫୦, ଷ୍ଟିଭେନ୍‌ ସ୍ମିଥ୍‌-୨୨୯*, ମିଚେଲ୍‌ ମାର୍ସ-୧୮୧*, ଓଭର୍ଟନ୍‌-୨/୧୦୨, ଓ୍ଵକ୍‌ସ-୧/୧୦୮, ଅଲୀ-୧/୧୦୪)।

ସମ୍ବନ୍ଧିତ ଖବର