ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଞ୍ଚାଇବାକୁ ଯାଇ ବସ୍ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ : ଘଟଣାସ୍ଥଳ ଅନୁଧ୍ୟାନ ପରେ କହିଲେ ତଦନ୍ତକାରୀ

କଟକ : ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଞ୍ଚାଇବାକୁ ଯାଇ ବସ୍ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ ବୋଲି ଘଟଣାସ୍ଥଳକୁ ଯାଇ ଯାଞ୍ଚ ପରେ ଏଭଳି ସୂଚନା ଦେଇଛନ୍ତି ତଦନ୍ତକାରୀ ଦଳ । ଏହା ସହିତ  ବସଟି ୨୦୧୬ ମସିହାର ଏବଂ  ଏହି ବସରେ ସ୍ପିଡ୍ କଂଟ୍ରୋଲର ଲଗାଯାଇଥିଲା, ତେଣୁ ଘଣ୍ଟା  ପ୍ରତି ୮୦ କିମିରୁ ଅଧିକ ବେଗରେ ଏହି ଗାଡିକୁ ଚାଳକ ଚଳାଇପାରିବେ ନାହିଁ  ବୋଲି କହିଛନ୍ତି ତଦନ୍ତକାରୀ।

ଏହା ସହିତ ପୁରୁଣା ପୋଲର ଦୁର୍ବଳ ବାଡ  ବସଟି ତଳକୁ ଖସିପଡିବାର ଆଉ ଏକ କାରଣ ବୋଲି ମଧ୍ୟ କହିଛନ୍ତି ଯାଞ୍ଚକାରୀ । ରାଧାକ୍ରିଷ୍ଣନ୍ କମିଟିର ନିର୍ଦ୍ଦେଶ ଆଧାରରେ ଗଠିତ ୩ ଜଣିଆ କମିଟି ଘଟଣାସ୍ଥଳକୁ ଯାଇ ଆଜି ତଦନ୍ତ କରିଛନ୍ତି । ଏଥିରେ ରୋଡ ସେଫଟି ଅଫିସର ଭାବେ ଜୁନିଅର ଏମଭିଅାଇ, ଘଟଣାର ତଦନ୍ତ କରୁଥିବା ଜଗତପୁର ଥାନାର ଅଧିକାରୀ ଏବଂ ଏନଏଚଆଇର ଅଧିକାରୀ ସାମିଲ ହୋଇଥିଲେ । ଆଜି ଏହି ଟିମ୍ ମହାନଦୀ ଭିତରକୁ ବୋଟ ଯୋଗେ ଯାଇ ତଦନ୍ତ କରିଛନ୍ତି।

ଯାନ୍ତ୍ରିକ ତ୍ରୁଟି ପାଇଁ ଏକ ପ୍ରକାର ଦୁର୍ଘଟଣା ଘଟିଛି କି ନାହିଁ, ସେ ସମ୍ପର୍କରେ ଯାଂଚ ଚାଲିଛି । ଏହି କମିଟି ତଦନ୍ତ ରିପୋର୍ଟ ଆରଟିଓଙ୍କ ମାଧ୍ୟମରେ ରୋଡ ଟ୍ରାନ୍ସପୋର୍ଟ ଅଥରିଟିରେ ଥିବା ରୋଡ୍ ସେଫ୍ଟି ସେଲର ଯୁଗ୍ମ କମିସନରଙ୍କ ନିକଟରେ ଦାଖଲ କରିବେ । ମଙ୍ଗଳବାର ଦିନ ସନ୍ଧ୍ୟାରେ ମହାନଦୀ ପୋଲ ଉପରେ ଦୁର୍ଘଟଣାରେ ଜଗନ୍ନାଥ ନାମକ ଏକ ବସ ୩୦ ଫଟ ତଳକୁ ଖସପଡିଥିଲା । ଏଥିରେ ୧୦ ଜଣ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର