ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ, ତିନିଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଶେଷ ହୋଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ମଞ୍ଜୁରୀ ମିିଳିଥିବା ପକଳ୍ପ ମଧ୍ୟରେ ରହିଛି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ପାଇଁ ୧୨ଶହ ୪୬କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଦ୍ୱାରା ପାଇପ ଯୋଗେ ୩୨ହଜାର ହେକ୍ଟର ଜମି ଜଳସେଚିତ ହେବ । ବରପାଲି,ବିଜେପୁର ଓ ସୋହେଲାରେ ଚାଷୀ ଏହାଦ୍ୱାରା ଲାଭ ପାଇପାରିବେ । ମାର୍ଚ୍ଚ ସୁଦ୍ଧା ଏନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହେବ ।

ସେହିପରି ଭୁବନେଶ୍ୱର ସ୍ୱରେଜ୍‌ ପ୍ରକଳ୍ପ ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ୍‌ ମୋହର ଲାଗିଛି। ଏଥିପାଇଁ ୧୭୩କୋଟି ଟଙ୍କା ବ୍ୟୟବରାଦ ହୋଇଛି । ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ ।

କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି,ଏହି ପ୍ରକଳ୍ପକୁ ୬ଟି ସ୍ୱରେଜ୍‌ ଜିଲ୍ଲାରେ ଭାଗ କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ ସହରର ପ୍ରାୟ ୨୨.୧୮୬ ଲକ୍ଷ ଲୋକ ଉପକୃତ ହୋଇପାରିବେ। ବୈଠକରେ ପଞ୍ଚଦଶ ଓଡ଼ିଶା ବିଧାନସଭାର ଦଶମ ଅଧିବେଶନର ସତ୍ରାବସାନକୁ ମଧ୍ୟ ମଞ୍ଜୁରି ମିଳିଛି।

 

ସମ୍ବନ୍ଧିତ ଖବର