ଓଡ଼ିଶା ଜମିରେ ଛତିଶଗଡ଼ ଚାଷୀଙ୍କ ମକା ଚାଷ: ମପାଗଲା ବିବାଦୀୟ ଜମି

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ତହସିଲ ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତରେ ଥିବା ନୂଆମାଲପଡ଼ା ଗ୍ରାମର ଚାଷୀଙ୍କ ଜମିରେ ଜବରଦସ୍ତି ଛତିଶଗଡ ଚାଷୀ ମକା ଚାଷ କରୁଥିବା ସମ୍ପର୍କରେ ମଙ୍ଗଳବାର ଗଣମାଧ୍ୟରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିବା ସହିତ ବିବାଦୀୟ ଜମି ମପାଚୁପା କରିଥିବା ଜଣାପଡ଼ିଛି। ନୂଆପଡ଼ା ଅତିରିକ୍ତ ଜିଲାପାଳ ସୀତାରାମ ପଟେଲଙ୍କ ନିର୍ଦ୍ଦେଶରେ ସିନାପାଲି ତହସିଲଦାର କପିଳଦେବ ସାହୁ, ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀ, କେନ୍ଦୁମୁଣ୍ତା ଆର୍‌ଆଇ ଘଟଣାସ୍ଥଳକୁ ଯାଇଥିଲେ। ସେମାନେ ବିବାଦୀୟ ସ୍ଥାନରେ ମାପ କରିଥିବା ଜଣାପଡିଛି। ଛତିଶଗଡ଼ ରାଜ୍ୟର ଚାଷୀମାନେ ଓଡିଶା ଜମିରେ ମକା ଚାଷ କରିଥିବା ଘଟଣାକୁ ତଦନ୍ତକାରୀ ଅଫିସର ସ୍ବୀକାର କରିଥିଲେ ମଧ୍ୟ ଅଭିଯୋଗ ଅନୁସାରେ ୨୫ ଏକର ଜମିକୁ ସେମାନେ ଜବରଦଖଲ କରିନଥିବା ପ୍ରକାଶ କରିଛନ୍ତି। କିନ୍ତୁ କିଛି ସ୍ଥାନରେ ସେମାନେ ମକାଚାଷ କରିଥିବା ତଦନ୍ତ ବେଳେ ଜଣାପଡିଛି। ତଦନ୍ତ ବେଳେ ଉଭୟ ରାଜ୍ୟର ପଡୋଶୀ ଦୁଇଗ୍ରାମ ନୂଆମାଲପଡ଼ା ଓ ବୁର୍ଜାବାହାଲର ଚାଷୀମାନେ ଉପସ୍ଥିତ ଥିଲେ। ଉଭୟଙ୍କୁ ତଦନ୍ତକାରୀ ପ୍ରଶାସନିକ ଅଧିକାରୀମାନେ ଶାନ୍ତି ବଜାୟ ରଖିବା ପାଇଁ ମଧ୍ୟ ବୁଝାସୁଝା କରିଥିଲେ। ହେଲେ ସୀମା ନିର୍ଦ୍ଧାରଣ ନେଇ କୌଣସି ସ୍ପଷ୍ଟ ହୋଇନଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୮ରେ ଦକ୍ଷିଣା‌ଞ୍ଚଳ ରାଜସ୍ବ କମିସନର ଘଟଣାସ୍ଥଳକୁ ଆସି ତଦନ୍ତ କଲା ପରେ ଓଡିଶା ସୀମାରେ ତାରବାଡ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଶାସନ କେବଳ ଖୁଣ୍ଟ ପୋତି ଦେଇ ବାଡ଼ ତିଆରି ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ଫଳରେ, ଦୁଇ ପଡୋଶୀ ଗ୍ରାମ ମଧ୍ୟରେ ଏହି ଘଟଣାକୁ ନେଇ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ବିବାଦର ସ୍ଥାୟୀ ସମାଧାନ ଦିଗରେ ଜିଲ୍ଲାରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର