କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ରାଜନୈତିକ ଦଳର ନେତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦଳର ନେତାମାନଙ୍କୁ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି । ମେ’ ୩୦ ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଏ ପ୍ରସଙ୍ଗରେ କଥା ହୋଇଛନ୍ତି । ଏଥି ସହିତ ସିପିଏମ ନେତା ଅଳି ପଟ୍ଟନାୟକ, ସମାଜବାଦୀ ପାର୍ଟି ନେତା ରବି ବେହେରା ଓ ଅନ୍ୟ ରାଜନୈତିକ ଦଳର ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି  । ‘ବନ୍ଦେ ଉତ୍କଳ ଜନନୀ’ ଗାନକରି ପ୍ରତ୍ୟେକ ଓଡ଼ିଆ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରନ୍ତୁ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ଶିକ୍ଷକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ମଧ୍ୟ ଟେଲିଫୋନରେ କଥା ହୋଇଛନ୍ତି । କରୋନା ମୁକାବିଲାରେ ଶିକ୍ଷକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷକ ଓ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ କରୋନା ସଂକ୍ରମିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳୁ ସରପଞ୍ଚ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ମଧ୍ୟ କଥା ହୋଇଥିଲେ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଜୀବନ ବଞ୍ଚାଇବାରେ ଓଡ଼ିଶା ବିଶ୍ବ ଲାଗି ଉଦାହରଣ ସାଜିଛି। ଆମ ରାଜ୍ୟରେ କରୋନା ମୃତ୍ୟୁହାର ସବୁଠାରୁ କମ୍ ରହିଛି। ଏହାର କାରଣ ହେଉଛି ଗତ ଦୁଇମାସ ଧରି କୋଭିଡ୍ ଯୁଦ୍ଧରେ ଆଗ ଧାଡ଼ିରେ ରହି ଲଢ଼େଇ କରିଥିବା ଆମର ଲକ୍ଷ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା। ଏହି  କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ  ବିଶ୍ୱର କୋଣଅନୁକୋଣରେ ଓଡ଼ିଆ ଭାଇଭଉଣୀ ଯେଉଁଠି ଥାଆନ୍ତୁ ନା କାହିଁକି ସାମାଜିକ ଦୂରତାକୁ ବଜାୟ ରଖି ମେ ୩୦ ତାରିଖ ଶନିବାର ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ।

ସମ୍ବନ୍ଧିତ ଖବର