ଆପୋଲୋ ହସ୍‌ପିଟାଲରେ ନିଆଁ: ରୋଗୀଙ୍କୁ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର, ପରିସ୍ଥିତି ନିୟନ୍ତ୍ରଣାଧୀନ

ଫାୟାର ଅଡ଼ିଟ୍‌ ରିପୋର୍ଟ ଯାଞ୍ଚ କରାଯିବ

ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲରେ ଆଜି ସକାଳେ ନିିଆଁ ଲାଗିଛି। ହସ୍‌ପିଟାଲର ୫ମ ମହଲାରେ ନିଆଁ ଲାଗିବା ପରେ ଏହି ମହଲାରେ ଥିବା ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ବ୍ୟାଟେରି ରୁମରେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିମଶବାହିନୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଭୁବନେଶ୍ୱର ପୁଲିସ କମିସନର ସତ୍ୟଜିତ ମହାନ୍ତି ଓ ଭୁବନେଶ୍ୱର ଡିସିପି ଅନୁପ ସାହୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି ଯେ, ହସ୍‌ପିଟାଲର ଫାୟାର ଅଡ଼ିଟ୍‌ ରିପୋର୍ଟ ଯାଞ୍ଚ କରାଯିବ। ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଥିଲା କିମ୍ବା ନାହିଁ ତାର ମଧ୍ୟ ଯାଞ୍ଚ ହେବ ବୋଲି କମିସନର ଶ୍ରୀ ମହାନ୍ତି କହିଛନ୍ତି। ଘଟଣାରେ କୌଣସି ରୋଗୀ କିମ୍ବା କର୍ମଚାରୀ ଆହତ ହୋଇ ନ ଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ବେଳେ ହଠାତ ଆପୋଲୋ ହସ୍‌ପିଟାଲର ୫ମ ମହଲାରେ ଥିବା ଆଇସିୟୁ ପାଖରେ ଥିବା  ମେଣ୍ଟେନାନ୍ସ ରୁମରୁ ଧୂଆଁ ବାହାରି ଥିଲା। ସଙ୍ଗେ ସଙ୍ଗେ ହସ୍‌ପିଟାଲ କର୍ତ୍ତୃପକ୍ଷ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ପ୍ରବଳ ଧୂଆଁ ଯୋଗୁଁ ପରିସ୍ଥିତି ଗମ୍ଭୀର ହୋଇପଡ଼ିଥିଲା। ।

ଅଗ୍ନିଶମ ଅଧିକାରୀମାନେ ମାସ୍କ ପିନ୍ଧି ଭିତରେ ପ୍ରବେଶ କରି ହସ୍‌ପିାଲର କାଚ ଭାଙ୍ଗି ଧୂଆଁକୁ ବାହାର କରିବାକୁ ଉଦ୍ୟମ କରିଥିଲେ। । ପଞ୍ଚମ ମହଲାରେ ଥିବା ପ୍ରାୟ ୨୦ ଜଣ ରୋଗୀଙ୍କୁ ତଳକୁ ଅଣାଯାଉଥିିବା ସୂଚନା ମିଳିଛି। ତେବେ ଲିଫ୍ଟ ବନ୍ଦ ଥିବାରୁ ରୋଗୀମାନଙ୍କୁ ଷ୍ଟ୍ରେଚରରେ ବାନ୍ଧି ତଳକୁ ଅଣାଯିବା ପରେ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିବା ସୂଚନା ମିଳିଛି। ତୁରନ୍ତ ଚିକିତ୍ସା ଦରକାର କରୁଥିବା  ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଉଛି। ଆପୋଲୋ ହସ୍‌ପିଟାଲ ପରିସରରେ ୫୦ଟି ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଲାଗିଛନ୍ତି। ତେବେ ପ୍ରବଳ ଧୂଆଁ ଭର୍ତ୍ତି ହୋଇ ଯାଇଥିଲେ ମଧ୍ୟ ଏଥି ଯୋଗୁଁ କେହି ଗୁରୁତର ହାଇଥିବାର ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ ଯେ ଅନୁରୂପ ଭାବେ ୨୦୧୭ ମସିହାରେ ଅଗ୍ନିକାଣ୍ଡ ଘଟି ସମ୍‌ ହସ୍‌ପିଟାଲରେ ମଧ୍ୟ ବହୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର