ବଜ୍ରାଘାତ: ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ, ଗୋଟିଏ ସପ୍ତାହରେ ୪ ମୃତ

କେନ୍ଦୁଝର/ଭୁବନେଶ୍ୱର:  ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗୋଡିପୋଖରୀ ନିକଟରେ ଗୁରୁବାର ସନ୍ଧ୍ୟାରେ ବଜ୍ରାଘାତରେ ବାଇକରେ ଆସୁଥିବା ଦୁଇ ଜଣ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତକ ଝୁମ୍ପୁରା ବ୍ଲକ ବଡ଼ନେଉଳି ଗ୍ରାମପଞ୍ଚାୟତର ସିଲିଟିଆ ଗ୍ରାମର ମହେଶ୍ୱର ମହାନ୍ତ ଏବଂ ତାଙ୍କ ସ୍ତ୍ରୀ ଯଶୋଦା ମହାନ୍ତ ବୋଲି ଜଣା ପଡ଼ିଛି ଯଶୋଦା ସିଲିଟିଆ ଗ୍ରାମର ଅଙ୍ଗନୱାଡି କର୍ମୀ ବୋଲି ଜଣାପଡିଛି ଉଭୟ ସ୍ୱାମୀ-ସ୍ତ୍ରୀ ପାଟଣା ପଟୁ ନିଜ ଘରକୁ ବାଇକ ଯୋଗେ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଏବଂ ତୁରୁମୁଙ୍ଗା ଥାନା ପୋଲିସ ପହଁଚି ଦୁଇ ମୃତ ଦେହକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ଜଣା ପଡ଼ିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ବଜ୍ରାଘାତ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ଘଡ଼ଘଡ଼ି ସହ ବଜ୍ରପାତ ହେବାରୁ ଗତ ଶନିବାର ନୟାଗଡ଼ ବ୍ଲକ ଅନ୍ତର୍ଗତ ସରପଡ଼ା ଗ୍ରାମରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତି(୬୮)ଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ମାର୍ଚ୍ଚ ୩୦ରେ ରାଜ୍ୟରେ କାଳବୈଶାଖୀ ବଜ୍ରପାତର ପ୍ରଥମ ଶିକାର ହୋଇଛନ୍ତି ଜଣେ ଆଦିବାସୀ ମହିଳା। ‘ଗୁଡ଼ ଫ୍ରାଇଡେ’ ପ୍ରାର୍ଥନା ସାରି ସାଥୀ ମହିଳାଙ୍କ ସହିତ ଯୋଡ଼ାଦେଇ ପାହାଡ଼ ଆଡ଼କୁ ବୁଲି ଯାଇଥିବା ନିଦ୍ରାବତୀ ମଲିକ(୨୮) ବଜ୍ରପାତର ଶିକାର ହୋଇଛନ୍ତି। ଗଜପତି ଜିଲ୍ଲା ମୋହନାସ୍ଥିତ ଆଇଟିଡିଏ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସରେ ସିସିଏ ରୂପେ କାର୍ଯ୍ୟ କରନ୍ତି ନିଦ୍ରାବତୀ। ମୋହନା ଠାରୁ ୨ କିଲୋମିଟର ଦୂରରେ ଥିବା ନିଜ ଗାଁ ‘ମଲ୍ଲିପଦର’କୁ ‘ଗୁଡ଼ ଫ୍ରାଇଡେ’ ପାଳନ ପାଇଁ ଯାଇଥିଲେ।

 

ସମ୍ବନ୍ଧିତ ଖବର