ମହିଳା ନକ୍ସଲ ପାଇଲେ ନୂଆ ଜୀବନ : ରକ୍ତଦେଇ ନକ୍ସଲଙ୍କୁ ବଞ୍ଚାଇଲେ ଯବାନ

ମାଲକାନଗିରି : ନକ୍ସଲ-ଅର୍ଧସାମରିକ ବଳ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ମଧ୍ୟରେ ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରୁ ମିଳିଛି ଗୋଟିଏ ଭଲ ଖବର। ଯବାନଙ୍କୁ ବିରୋଧ କରି ଆସୁଥିବା ନକ୍ସଲଙ୍କ ପାଇଁ ଶେଷରେ ଦେବଦୂତ ସାଜିଲେ କୋବ୍ରା ବାଟାଲିୟନର ଜଣେ ଯବାନ। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନୁହେଁ ଆବଶ୍ୟକ ପଡ଼ିଲେ ନକ୍ସଲଙ୍କୁ ବି ସହାୟତା କରିବାର ବଳିଷ୍ଠ ଉଦାହରଣ ସୃଷ୍ଟି କରିଛନ୍ତି ୧୩୩ ସିଆରପିଏଫ ବାଟାଲିୟନର ଯବାନ ରାଜ କମଲ। ଏହାପରେ ରାଜ କମଲଙ୍କ ସହ ସିଆରପିଏଫ କ୍ୟାମ୍ପକୁ ଛୁଟିଛି ଶୁଭେଚ୍ଛାର ସୁଅ।

ସୂଚନା ଅନୁଯାୟୀ, ଗତ ୨୯ତାରିଖ ଦିନ ସୁକମା ଜିଲ୍ଲା ଦରନାପାଲ ଅଞ୍ଚଳରେ ନକ୍ସଲ ଓ କୋବ୍ରା ବାଟାଲିୟନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କ୍ୟାମ୍ପ ଛାଡ଼ି ବହୁ ସଂଖ୍ୟାରେ ମାଓବାଦୀ ଚାଲି ଯାଇଥିଲେ। ତେବେ ଯବାନଙ୍କ ଗୁଳିରେ ଦୁଇ ଜଣ ମହିଳା ମାଓବାଦୀ ଆହତ ହୋଇଥିଲେ। ସେମାନଙ୍କୁ ଯବାନମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ପରେ ହସ୍ପିଟାଲ ଆଣିଥିଲେ। କିନ୍ତୁ ଦରନପାଲ ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣଙ୍କୁ ରକ୍ତର ଆବଶ୍ୟକତା ପଡ଼ିଥିଲା। ଏନେଇ ଡାକ୍ତର କହିବାରୁ ରକ୍ତ ସଂଗ୍ରହ ପାଇଁ ଆଲୋଚନା ଆରମ୍ଭ ହୋଇଥିଲା। ରକ୍ତ ଦରକାର ପଡ଼ୁଥିବା ଖବର ପାଇ ୧୩୩ ସିଆରପିଏଫ ବାଟାଲିୟନର ଯବାନ ରାଜ କମଲ ମେଡିକାଲରେ ପହଞ୍ଚିଥିଲେ। ସ୍ବେଚ୍ଛାକୃତ ଭାବେ ରକ୍ତ ଦେବାପରେ ସେହି ରକ୍ତକୁ ଆହତ ମହିଳା ନକ୍ସଲଙ୍କୁ ଦିଆଯାଇଥିଲା। ଯବାନଙ୍କ ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର