୧୧ ଓ ୧୨ରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ

ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ ସ୍ମାରକପତ୍ର

କଟକ : ବାର୍ କାଉନସିଲ ଅଫ୍ ଇଣ୍ଡିଆର ନିଷ୍ପତ୍ତି ଅନୁସାରେ ଫେବ୍ରୁଆରି ୧୧ ଓ ୧୨ ତାରିଖ ଦୁଇ ଦିନ ସମଗ୍ର ରାଜ୍ୟର ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ୍ତ ରହି ପ୍ରଧାନମନ୍ତ୍ରୀଙ୍କ ଉର୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ। ବୁଧବାର ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି।

କେନ୍ଦ୍ର ସରକାର ଆଇନଜୀବୀଙ୍କ ଦାବି ପୂରଣ କରୁ ନଥିବାରୁ ଏହାର ପ୍ରତିବାଦ କରାଯିବ। ଜାତୀୟସ୍ତରରେ ଏପରି ଆନ୍ଦୋଳନ ପାଇଁ ଫେବ୍ରୁଆରି ୨ରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଆହୂତ ଯୁଗ୍ମ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ବୈଠକରେ ସମସ୍ତ ରାଜ୍ୟ ଆଇନଜୀବୀ ପରିଷଦ, ହାଇକୋର୍ଟ ବାର୍ ଆସୋସିଏସନ, କେଅର୍ଡିନେସନ୍ କମିଟି ଅଫ୍ ବାର୍ ଆସୋସିଏସନସ୍‌ ଅଫ୍ ଦିଲ୍ଲୀ ଆଣ୍ଡ ଏନସିଆର ପ୍ରତିନିଧିମାନେ ଯୋଗ ଦେଇଥିଲେ। ୨୦୧୪ ମସିହାରୁ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀଙ୍କ ନିକଟରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ମାଧ୍ୟମରେ ଆଇନଜୀବୀଙ୍କ ଦାବି ଉପସ୍ଥାପନ କରାଯାଇଥିଲା। ଶେଷ ଥର ପାଇଁ ୨୦୧୯, ଜାନୁଆରି ୨୨ରେ ବାର୍ କାଉନସିଲ ଅଫ୍ ଅଣ୍ଡିଆ ଅଧ୍ୟକ୍ଷ ଏ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ଆଇନଜୀବୀମାନେ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି।

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଓକିଲଙ୍କ ହିତ ପାଇଁ ୫ଦଫା ଦାବି ରହିଛି। ସମସ୍ତ ଆସୋସିଏସକୁ ଆବଶ୍ୟକ ଗୃହ, ପାଠାଗାର, ଇଣ୍ଟରନେଟ୍, ଟଏଲେଟ, ମହିଳା ଆଇନଜୀବୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ପୃଥକ ଟଏଲେଟ ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ, ଆଇନଜୀବୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ବଜେଟରେ ବାର୍ଷିକ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ, ଆଇନଜୀବୀ ଓ ତାଙ୍କ ପରିବାର ବର୍ଗଙ୍କ ପାଇଁ ବୀମା ସୁବିଧା, ନୂତନ ଭାବେ ଯୋଗଦେଉଥିବା ଆଇନଜୀବୀଙ୍କୁ ୫ବର୍ଷ ପାଇଁ ୧୦ହଜାର ଟଙ୍କାର ଷ୍ଟାଇପେଣ୍ଡ, ଦୁର୍ଘଟଣା ଓ ଅନ୍ୟ କାରଣରୁ ମୃତ୍ୟୁମୁଖରେ ପଡୁଥିବା ତଥା ଅକ୍ଷମ ହେଉଥିବା ଆଇନଜୀବୀଙ୍କୁ ଓ ତାଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ, ଆଇନଜୀବୀଙ୍କୁ ବାସଗୃହ ପାଇଁ ସରକାରୀ ଯୋଜନାରେ ଜମି ପ୍ରଦାନ, ଆଇନ ସେବା ପ୍ରାଧିକରଣ ଆଇନରେ ସଂଶୋଧନ ଆଣି ବିଭିନ୍ନ ଦାୟିତ୍ବ ସଂପାଦନ ପାଇଁ ଆଇନଜୀବୀଙ୍କୁ ସୁଯୋଗ ପ୍ରଦାନ ପାଇଁ ଦାବି ରହିଛି। ୧୧ତାରିଖରେ ଜିଲ୍ଲାର ସଦର ମହକୁମାରେ ଥିବା ଆଇନଜୀବୀମାନେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୨ତାରିଖରେ ଭୁବନେଶ୍ବରରେ ଆଇନଜୀବୀମାନେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ରାଜ୍ୟପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦ ସଦସ୍ୟ ଦେବୀ ପ୍ରସାଦ ଧଳ, ମାନସ ରଂଜନ ମହାପାତ୍ର, ଅଜୟ କୁମାର ବରାଳ, ବିଭୁ ପ୍ରସାଦ ତ୍ରିପାଠୀ, ମାନସ ଚାନ୍ଦ, ଅରୁପାନନ୍ଦ ଦାସ, ବିଭୁନ୍ଦେନ୍ଦ୍ର ମିଶ୍ର, ରମାକାନ୍ତ ସାହୁ, ସୌରଚନ୍ଦ୍ର ମହାପାତ୍ର, ନିରଞ୍ଜନ ପଣ୍ଡା, ସୀତାଶୁଂ ମୋହନ ଦ୍ବିବେଦୀ, ଆତ୍ମା ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର