ଭୁବନେଶ୍ବର: ଜାନୁଆରି ୧୫ରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଖୋର୍ଧା ଓ ବାରିପଦା ଗସ୍ତ ପରି ଏଥର ମଧ୍ୟ ସମାନ ଢଙ୍ଗରେ ଏକାଧିକ କେନ୍ଦ୍ରୀୟ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ଅବସରରେ ରେଳ ମନ୍ତ୍ରଣାଳୟର ୬ଟି ପ୍ରକଳ୍ପ ସମେତ ସଂସ୍କୃତି ମନ୍ତ୍ରଣାଳୟର ୩ଟି, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗୋଟିଏ ଲେଖାଏ ପ୍ରକଳ୍ପ ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି। ଗତ ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ତୃତୀୟ ଗସ୍ତ। ଡିସେମ୍ବର ୨୪ରେ ଖୋର୍ଧା ଗସ୍ତ ସମୟରେ ୧୪ ହଜାର ୫୨୩ କୋଟି ଟଙ୍କା ଓ ଜାନୁଆରି ୫ରେ ବାରିପଦା ଗସ୍ତ ବେଳେ ୪ ହଜାର ୭୩୩ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବଲାଙ୍ଗୀର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରିବେ। ଏଥିରେ କେବଳ ରେଳ ମନ୍ତ୍ରଣାଳୟର ୧୫୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ରହିଛି। ଝାରସୁଗୁଡ଼ା-ବିଜୟନଗରମ୍ ଓ ସମ୍ବଲପୁର-ଅନୁଗୁଳର ରେଳଲାଇନ୍ର ଇଲେକ୍ଟ୍ରିଫିକେସନ୍ କାମର ଉଦ୍ଘାଟନ ହେବ। ୮୧୩ କିମି ଏହି ରେଳ ଲାଇନ୍ ପାଇଁ ୧୦୮୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଝାରସୁଗୁଡ଼ାଠାରେ ୧୦୦ କୋଟି ଟଙ୍କାର ମଲ୍ଟି ମଡେଲ୍ ଲଜିଷ୍ଟିକ୍ ପାର୍କ, ୧୧୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବଲାଙ୍ଗୀର-ବିଚ୍ଛୁପାଲ୍ଲୀ ନୂଆ ରେଳ ଲାଇନ୍, ୧୮୯.୩୨ କୋଟି ଟଙ୍କା ବ୍ୟୟରେ ବରଗଡ଼ର ବରପାଲ୍ଲୀ-ଡୁଙ୍ଗରିପାଲ୍ଲି, ବଲାଙ୍ଗୀର-ଦେବଗଡ଼ ରୋଡ୍ର ୩୧.୫୬ କିମି ରେଳ ଲାଇନ୍ର ଦୋହରୀକରଣ, ୨୭.୪୫ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ରାୟଗଡ଼ାର ଥେରୁବାଲି-ସିଂଘପୁର ରୋଡ ଷ୍ଟେସନ ମଧ୍ୟରେ ପୋଲ ଉଦ୍ଘାଟନ ହେବ। ଏହି ଅବସରରେ ବଲାଙ୍ଗୀର-ବିଚ୍ଛୁପାଲ୍ଲୀ ମଧ୍ୟରେ ପ୍ରଥମ ଟ୍ରେନ୍ ଗଡ଼ିବ। ପ୍ରଧାନମନ୍ତ୍ରୀ ମୋଦୀ ପତାକା ଦେଖାଇ ଏହାର ଉଦ୍ଘାଟନ କରିବେ। ପ୍ରତିଦିନ ଏହି ଦୁଇ ଷ୍ଟେସନ୍ ମଧ୍ୟରେ ଦୁଇ ଯୋଡ଼ା ଟ୍ରେନ୍ ଚାଳାଚଳ କରିବାକୁ ଏବେ ନିଷ୍ପତ୍ତି ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ଆଉ ୬ଟି ଜିଲ୍ଲାରେ ପାସ୍ପୋର୍ଟ ସେବାକେନ୍ଦ୍ର ଏହି ଅବସରରେ ଉଦ୍ଘାଟିତ ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଫୁଲବାଣୀ, ବୌଦ୍ଧ ଓ ବଲାଙ୍ଗୀର। ପୂର୍ବରୁ ରାଜ୍ୟର ୧୩ଟି ଜିଲ୍ଲାରେ ଏହି ସେବା କେନ୍ଦ୍ର କାର୍ଯ୍ୟ କରୁଛି। ସେହିପରି ୧୫.୮ କୋଟି ଟଙ୍କା ବ୍ୟୟରେ ସୋନପୁରଠାରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ୨୦୧୧ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ୧୦ ଏକର ପରିମିତ ଜମିରେ ନିର୍ମାଣ ହେବ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ୩ଟି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବଲାଙ୍ଗୀରସ୍ଥିତ ରାଣୀପୁରଝରିଆଲ ଐତିହ୍ୟ କୀର୍ତ୍ତିରାଜି, ବୌଦ୍ଧରେ ଥିବା ପଶ୍ଚିମ ସୋମନାଥ ଓ ମନ୍ଦିରମାଳା, କଳାହାଣ୍ଡିସ୍ଥିତ ଅସୁରଗଡ଼ କୀର୍ତ୍ତିରାଜିର ବିକାଶ କାର୍ଯ୍ୟର ଉଦ୍ଘାଟନ କରାଯିବ। ଏଥିପାଇଁ ୧୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ବତଟ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଜେପି ମିଶ୍ର, ଆଞ୍ଚଳିକ ପାସ୍ପୋର୍ଟ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର,କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ଡେପୁଟି କମିସନର ଏବିଏଲ୍ ଜଗନ୍ନାଥ ରାଓ, ଏଏସ୍ଆଇର ଉପାଧ୍ୟକ୍ଷ ରାଜୀବ ଦ୍ବିବେଦୀ ପ୍ରମୁଖ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।