ନବରଙ୍ଗପୁର: ଚେଙ୍କ ଖାଇଥିବା ୨୮ ଦିନର ଶିଶୁ ମୃତ

ନବରଙ୍ଗପୁର: ଗୁରୁବାର ରାତି ୧୧ଟାରେ ଚେଙ୍କ ଖାଇଥିବା ଏକ ୨୮ ଦିନର ଶିଶୁପୁତ୍ରର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।

ଘଟଣାଟି ପାପଡ଼ାହାଣ୍ଡି ବ୍ଲକ୍‌ର ପଣ୍ଡିକଟ ପଞ୍ଚାୟତ ଅନ୍ତର୍ଗତ ପେଟଗୁଡ଼ା ଗାଁ’ରେ ଘଟିଛି। ୪ ଦିନ ଧରି ରାମ ଜାନିଙ୍କର ୨୮ ଦିନର ପୁଅ କାଶ ଓ ଜ୍ୱରରେ ପଡ଼ିଥିଲା। ଗତକାଲି ସକାଳେ ରାମଙ୍କର ପତ୍ନୀ ଭାରତୀ ପାଣିକାଚ ତତାଇ ପୁଅ ପେଟରେ ଚେଙ୍କ ଦେଇଥିଲେ। କିନ୍ତୁ, ଏଥିରେ କୌଣସି ସୁଫଳ ମିଳି ନ ଥିଲା। ପିଲାଟିକୁ ୫ ଜାଗା ଚେଙ୍କ ଦିଆ ଯାଇଛି ବୋଲି ମାଆ ଭାରତୀ କହୁଛନ୍ତି। ଓଲଟି ଜର ପ୍ରବଳ ହେବାରୁ ରାତି ୯ଟା ବେଳେ ପିଲାଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ରାତ୍ର ପ୍ରାୟ ୧୧ଟା ବେଳେ ତା’ର ମୃତ୍ୟୁ ହୋଇଯାଇଥିଲା।

ଡାକ୍ତରଖାନା ତରଫରୁ ପୁଲିସକୁ ଖବର ଦିଆ ଯାଇଛି। ପୁଲିସ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ। ସେଥିରୁ ମୃତ୍ୟୁର କାରଣ ସ୍ପଷ୍ଟ ହେବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର