ଭାତ ହାଣ୍ଡିରେ ମୌସୁମୀ ମାଡ଼ : ରାଜ୍ୟରେ ୩୦% କମ୍‌ ବର୍ଷା,୧୪ ଆଗରୁ ବଡ଼ ବର୍ଷା ନାହିଁ

ପଶ୍ଚିମ ଓଡ଼ିଶା ସ୍ଥିତି ଭୟାନକ, ଉପକୂଳ, ଦକ୍ଷିଣ, ସ୍ଥିତି ବି ଗମ୍ଭୀର

ଭୁବନେଶ୍ୱର : ଦୁର୍ବଳ ମୌସୁମୀ ଓଡ଼ିଶାର ଭାତ ହାଣ୍ଡି ଉପରେ ନିର୍ଘାତ ମାଡ଼ ବସାଇଲାଣି। ଜୁନ୍‌ ମାସରେ ଏକ ଚତୁର୍ଥାଂଶ ବର୍ଷା କମିଥିଲା। ଜୁଲାଇର ପ୍ରଥମ ସପ୍ତାହର ସ୍ଥିତି ଆହୁରି ଅସମ୍ଭାଳ। ପ୍ରଥମ ସପ୍ତାହରେ ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା ଠାରୁ ୪୬% କମ୍‌ ବର୍ଷା ହୋଇଥିବା ରେକର୍ଡ ହୋଇଛି। ସମୁଦାୟ ଜୁନ୍‌-ଜୁଲାଇକୁ ବିଚାରକୁ ନେଲେ, ରାଜ୍ୟରେ ୩୦.୩% ବର୍ଷା କମ୍‌ ହୋଇଛି।

ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଉଥିବା ବରଗଡ, ସୋନପୁର, ନୂଆପ଼ଡା, କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଆଦି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ସ୍ଥିତି ବେହାଲ କରିଦେଲାଣି। ଅନ୍ୟ ସମସ୍ତ ଜିଲ୍ଲାରେ ମଧ୍ୟ ଚାଷ ସ୍ଥିତି ଗମ୍ଭୀର।

କୃଷି ବିଜ୍ଞାନୀମାନେ ଭବିଷ୍ୟବାଣୀ କଲେଣି, ଦୁର୍ବଳ ମୌସୁମୀ ଚାଷକୁ ଏବର୍ଷ ବିପର୍ଯ୍ୟୟ ମୁହଁକୁ ଠେଲିଦେଇପାରେ। ଓଡ଼ିଶାର କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଆହୁରି ଆଗକୁ ଯାଇ ସତର୍କ କରାଇଛି ଯେ ଢିପ ଜମିରେ ଧାନ ଚାଷ କରିବାରୁ ଚାଷୀ କ୍ଷାନ୍ତ ରୁହନ୍ତୁ। ଆଉ ମଧ୍ୟମ କିସମ ଜମିରେ କମ୍‌ ଦିନିଆ ଧାନ ଚାଷ ନ କରାଯିବା ଦରକାର।

ଉଲ୍ଲେଖଯୋଗ୍ୟ, ଜୁଲାଇ ୫ରୁ ୯ ଯାଏ ବଡ଼ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଥିଲେ। ଏକଥା ବି ଡ଼ରାଇଥିଲେ ଯେ ୬ରୁ ପ୍ରବଳ ବର୍ଷା ହେବ ଓ ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ଉପରମୁଣ୍ଡରେ ଅତିପ୍ରବଳ ବର୍ଷା ହୋଇପାରେ। ହେଲେ ଏସବୁ ପୂର୍ବାନୁମାନ ଫେଲ୍‌ ମାରିଛି। ପାଣିପାଗ ବିଜ୍ଞାନୀ ବର୍ତମାନ ସ୍ଥିତିକୁ ଦେଖି ପୁଣି ସୂଚାଇଛନ୍ତି, ଓ଼ଡ଼ିଶାରେ ଭାରି ବର୍ଷା ସମ୍ଭାବନା କ୍ଷୀଣ। ଉପକୂଳ ଓଡ଼ିଶାରେ ୧୪ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷା ସମ୍ଭାବନା ନାହିଁ। ଜୁଲାଇ ୮ରୁ ଯେଉଁ ବର୍ଷା ଆରମ୍ଭ ହେବ, ତାହା ବି ରାଜ୍ୟରେ ବେଶ୍‌ ପ୍ରଭାବୀ ହେବା ଭଳି ମନେ ହେଉନାହିଁ।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଉପରେ ରହୁଛି। ଏହା ପ୍ରଭାବରେ ୯ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିପାରେ। ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ ସମେତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୧୦ ଏବଂ ୧୧ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ।

କୃଷି ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ୮ ତାରିଖରୁ ଓଡ଼ିଶାର ଦକ୍ଷିଣ, ପଶ୍ଚିମ ଓ ସୀମାନ୍ତ ଉତ୍ତରାଞ୍ଚଳରେ ଅଳ୍ପ କିଛି ସ୍ଥାନରେ ବର୍ଷା ହେବ। ପଶ୍ଚିମ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ବେଳକୁ ୯ ତାରିଖ ହୋଇପାରେ। ଉପକୂଳରେ ୧୩ ତାରିଖ ବେଳକୁ ଭଲ ବର୍ଷା ସମ୍ଭାବନା ରହିଛି। ୧୪ ତାରିଖରେ ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଏହାପରେ ବର୍ଷା ଓଡ଼ିଶାକୁ ଫେରିବ।

ଏପଟେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟର ତଥ୍ୟ କହୁଛି, ଜୁନ୍‌ ମାସରେ ରାଜ୍ୟରେ ୨୫.୬% ବର୍ଷା କମ୍‌ ରେକର୍ଡ ହୋଇଥିଲା। କିନ୍ତୁ ଜୁଲାଇ ୬ ସୁଦ୍ଧା ଯେତିକି ବର୍ଷା ହୋଇଛି, ତାହା ଚିନ୍ତାଜନକ। ପ୍ରଥମ ସପ୍ତାହରେ ହାରାହାରି ୪୬% କମିଯାଇଛି। କୌଣସି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇନାହିଁ। ଝାରସୁଗୁଡା, ଗଜପତି, ରାୟଗଡା, କେନ୍ଦୁଝର, ଯାଜପୁର, ମୟୂରଭଂଜ, କଟକ, ଦେବଗଡ଼, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ବର୍ଷା ଋତୁରେ (ଜୁନ୍‌ରୁ ଆଜିଯାଏ) ୩୯% ଯାଏ କମ୍‌ ବର୍ଷା ରେକର୍ଡ ହୋଇଛି। ବରଗଡ଼, ସୁନ୍ଦରଗ଼ଡ, କନ୍ଧମାଳ, ଗଞ୍ଜାମ, ସୋନପୁର, ନୂଆପଡା, ବୌଦ୍ଧ, ନୟାଗଡ, କଳାହାଣ୍ଡି, ଅନୁଗୁଳ, ନବରଙ୍ଗପୁର ଓ ବଲାଙ୍ଗୀର ସ୍ଥିତି ସଙ୍ଗିନ୍‌ ଆଡ଼କୁ ଗତିକଲାଣି। ଏସବୁ ଜିଲ୍ଲାରେ ଚଳିତ ବର୍ଷା ଋତୁରେ ୫୯% ଯାଏ କମ୍‌ ବର୍ଷା ହୋଇଛି।

କୃଷି ପାଣିପାଗ ବିଜ୍ଞାନୀ ଡ. ପଶୁପାଳକଙ୍କ କହିଛନ୍ତି, ଢିପ ଜମିରେ ଆଉ ଧାନ ଚାଷ କରିବା ଲାଗି ଚାଷୀ ଆଗେଇବା ଉଚିତ୍‌ ନୁହେଁ। ବରଂ ଅଣଧାନ ଫସଲ ପ୍ରତି ମନୋନିବେଶ କରିବା ଦରକାର। କାରଣ ପଶ୍ଚିମ ଓଡ଼ିଶାରେ ସେପ୍‌ଟେମ୍ବର ସୁଦ୍ଧା ମୌସୁମୀ ଫେରିଯାଉଛି। ଏଣୁ ଏସବୁ ଜମିରେ ଚାଷ କଲେ, ଶେଷ ବେଳକୁ ଚାଷୀ ପାଇଁ ବିପଦ ସୃଷ୍ଟି ହୋଇପାରେ। ସେହିଭଳି ମଧ୍ୟମ କିସମ ଜମିରେ କମ୍‌ ଦିନିଆ ଧାନ ଉପରେ ଚାଷୀ ଗୁରୁତ୍ୱ ଦେବା ଉଚିତ୍‌। ଯେଉଁଠାରେ ଭଲ ବର୍ଷା ହେଉଛି, ସେଠାରେ ଦୁଇ ସପ୍ତାହର ତଳି ରୋଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସାଧାରଣତଃ ଜୁଲାଇ ୧୫ରୁ ଅଗଷ୍ଟ ୧୫ ଯାଏ ଚାଷୀ ଧାନ ରୁଆ କାର୍ଯ୍ୟ କରିଥାନ୍ତି। ଏଥର କିନ୍ତିୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏଯାଏ ତଳିପକା ଆରମ୍ଭ ହୋଇପାରିନାହିଁ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅଧାରୁ ଅଧିକ ଜମିରେ ଫସଲ ପ୍ରକ୍ରିୟା ପଛରେ ପଡିଛି। ବିଶେଷକରି ୭ଲକ୍ଷ ହେକ୍ଟର ପାଖାପାଖି ଢିପ ଜମିରେ ଧାନ ଚାଷ ଆରମ୍ଭ ହୋଇପାରୁନାହିଁ। ଅତଏବ, ଓଡ଼ିଶାରେ ଏଥର ଫସଲ ଉତ୍ପାଦନ ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି।

ସୂଚନାଯୋଗ୍ୟ, ଗତ ୧୨ ଘଣ୍ଟାରେ ରାଜ୍ୟରେ ସେଭଳି ବର୍ଷା ନାହିଁ। ବାଲେଶ୍ୱରରେ ସର୍ବାଧିକ ୭ ମିମି, ମାଲକାନଗିରିରେ ୫ମିମି, କୋରାପୁଟରେ ୨ ମିମି ବର୍ଷା ହୋଇଛି। ବାକି ଓଡ଼ିଶାରେ ପାଗ ଶୁଖିଲା ରହିଥିଲା। ତାପମାତ୍ରା ବଢ଼ିଛି। ଆଜି ଦିନତମାମ ଗୁଳୁଗୁଳି ଅନୁଭୂତ ହୋଇଛି। ପଶ୍ଚିମ ଓଡ଼ିଶାର ତାପମାତ୍ରା ପୁଣିଥରେ ୩୫ ଡିଗ୍ରି ପାର୍‌ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର