କଟକ ଉବୁଟୁବୁ: ପୁଣି ଆରମ୍ଭ ହେଲା ବର୍ଷା,ବଣ୍ଟା ହେଲା ରନ୍ଧା ଖାଦ୍ୟ

କଟକ: ଓଡ଼ିଶାର ବ୍ୟାବସାୟିକ ରାଜଧାନୀ କଟକର ଅବସ୍ଥା ବର୍ଷାରେ ବେହାଲ୍‌ ହୋଇଛି। ଗତକାଲି ରାତିରୁ ଆଜି ସକାଳ ଭିତରେ ୨୧୧ ମିଲିମିଟର ବର୍ଷା ହେବା ଫଳରେ ସହରର ୫୯ଟି ଓ୍ଵାର୍ଡର ତଳି ଅଞ୍ଚଳ ଜଳମଗ୍ନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍‌ ଯୋଗାଯୋଗ ଥିବା କଟକ ବାଦାମବାଡି ବସସ୍‌ଷ୍ଟାଣ୍ଡର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ବାଦାମବାଡ଼ିର ଅନେକ ଅଞ୍ଚଳ ଜଳମଗ୍ନ ହେବାଫଳରେ ବସ୍‌ ଯାତାୟାତ ପ୍ରଭାବିତ ହୋଇଛି। ବର୍ଷାଜଳ ନିଷ୍କାସନ ହୋଇପାରୁନଥିବାରୁ ପାଣି ଜମିରହିଛି। କଟକରେ ୮୧ଟି ପମ୍ପରେ ପାଣି ନିଷ୍କାସନ କରାଯାଉଛି। କଟକ ଜିଲ୍ଲାପାଳ ଓ ମହାନଗର ନିଗମ ମେୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ଜଳ ନିଷ୍କାସନ କାମ ତଦାରଖ କରିଛନ୍ତି। ମହାନଗର ନିଗମ ପକ୍ଷରୁ ବିଭିନ୍ନ ଓ୍ଵାର୍ଡରେ ନିଷ୍କାସନ କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନାମ ଓ ଟେଲିଫୋନ୍‌ ନମ୍ବର ଜାରି କରାଯାଇଛି। ସେହିପରି କଟକ ଜିଲ୍ଲାପାଳ ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଳମଗ୍ନ ଅଞ୍ଚଳରେ ଘର ଛାଡି ଉଚ୍ଚସ୍ଥାନକୁ ଚାଲି ଆସିଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣକରାଯାଉଛି। କଟକ ମହାନଗର ନିଗମର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି।

ରାତି ତମାମ୍‌ ବର୍ଷା ପରେ ସକାଳ ୯ଟା ଠାରୁ ବର୍ଷାର ବେଗ କଟକରେ ଥମି ଯାଇଥିଲା। ଅପରାହ୍ନ ୩ଟା ବେଳକୁ ପୁଣି ଜୋର୍‌ଦାର ବର୍ଷା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର