ଠିକା ସଂସ୍ଥା କର୍ମଚାରୀଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟ୍‌

ରାଉରକେଲା : ରାଉରକେଲାସ୍ଥିତ ଏକ ଠିକାସଂସ୍ଥାର କର୍ମଚାରୀଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଶ୍ରମିକଙ୍କୁ ମଜୁରି ଦେବା ପାଇଁ ସେ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବାବେଳେ ୨ ଦୁର୍ବୃତ୍ତ ତାଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପି ନେଇଥିଲେ। ସୂଚନା ଅନୁସାରେ, ସିଭିଲଟାଉନସିପ୍‌ରେ ଏନ୍‌.ଏଚ୍‌. ସାମଲ ବଦ୍ରର୍ସ ନାଁରେ ଏହି ଠିକା ସଂସ୍ଥାର ଅଫିସ ରହିଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ଏହି ସଂସ୍ଥାର କ୍ୟାସିୟର୍‌ ପୀତବାସ ପାତ୍ର ପାନପୋଷରୋଡସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖାରୁ ୬ ଲକ୍ଷ ଟଙ୍କା ଉଠାଇ ଅଫିସ୍‌କୁ ଫେରୁଥିଲେ। ସିଭିଲଟାଉନସିପ୍‌ ଶନି ମନ୍ଦିର ନିକଟରେ ଏକ ପଲ୍‌ସର୍‌ ବାଇକ୍‌ରେ ଦୁଇଜଣ ଯୁବକ ପଛରୁ ଆସି ତାଙ୍କ ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ।

ଠିକା ସଂସ୍ଥାର କର୍ମଚାରୀଙ୍କ ଲିଖିତ ଅଭିଯୋଗ ଆଧାରରେ ରଘୁନାଥପାଲୀ ପୁଲିସ ଆଇସିଆଇସିଆଇ ବ୍ୟାଙ୍କରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ଘଟଣା ତଦନ୍ତ ଚଳାଇଛି। ଏହି ସଂସ୍ଥା ଏଲ୍‌ଆଣ୍ଡଟି ଅଧୀନରେ ସ୍ବରେଜ କାମ କରୁଛି। କାମ କରୁଥିବା ଶ୍ରମିକଙ୍କୁ ମଜୁରି ଦେବା ପାଇଁ ଟଙ୍କା ଉଠାଯାଇଥିଲା ବୋଲି ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର