ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ଭିଜିଲାନ୍ସ ପଞ୍ଝାରେ ବ୍ରହ୍ମପୁର ଡିଏଫ୍‌ଓ

ଦୁଇ ରେଞ୍ଜର୍‌ଙ୍କ ଘର, କାର୍ଯ୍ୟାଳୟ ସମେତ ୯ ସ୍ଥାନରେ ଚଢ଼ାଉ

ବ୍ରହ୍ମପୁର : ଆର୍ଥିକ ଅନିୟମିତତା ଓ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହେବା ପରେ କଟକ ଭିଜିଲାନ୍ସ ବିଭାଗ ଶେଷରେ ଆଜି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ଆଶିଷ କୁମାର ବେହେରାଙ୍କ କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ଚଢ଼ାଉ ପରେ ବନ ବିଭାଗର ଅନ୍ୟ ଅଧିକାରୀଙ୍କ ମନରେ ଛନକା ପଶିଯାଇଛି।

ଡିଏଫ୍‌ଓ ଶ୍ରୀ ବେହେରାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଏ ନେଇ କଟକ ଭିଜିଲାନ୍ସ ବିଭାଗ ସମ୍ପତ୍ତି ଯାଞ୍ଚ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆବେଦନ କରିଥିଲା। କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି କଟକ ଭିଜିଲାନ୍ସ ଟିମ୍‌ ଡିଏଫ୍‌ଓଙ୍କ ବ୍ରହ୍ମପୁରସ୍ଥିତ ସରକାରୀ ବାସଭବନ, କୋର୍ଟପେଟା ଛକସ୍ଥିତ ଅଫିସ୍‌, ଭୁବନେଶ୍ବରସ୍ଥିତ ଘର, ଭଞ୍ଜନଗରସ୍ଥିତ ଘର, ଆମ୍ବପୁଆସ୍ଥିତ ଶ୍ବଶୂର ଘର, ଦିଗପହଣ୍ଡି ରେଞ୍ଜ ଅଫିସର୍‌ ପରମାନନ୍ଦ ପାଣିଗ୍ରାହୀଙ୍କ ବ୍ରହ୍ମପୁରସ୍ଥିତ ଜୟଶ୍ରୀ ଏନ୍‌କ୍ଲେଭ୍‌ ଘର, ଦିଗପହଣ୍ଡି ସ୍ଥିତ ଅଫିସ୍‌, ଖଲ୍ଲିକୋଟ ରେଞ୍ଜ ଅଫିସର୍‌ ଦିଲ୍ଲୀପ କୁମାର ମାର୍ଥାଙ୍କ କୋର୍ଟପେଟାସ୍ଥିତ ଘର ଏବଂ ଖଲ୍ଲିକୋଟସ୍ଥିତ ଅଫିସ୍‌ରେ ଚଢ଼ାଉ କରିଛି।

ଭିଜିଲାନ୍ସ ବିଭାଗ ଡିଏଫ୍‌ଓ ଶ୍ରୀ ବେହେରାଙ୍କ ସମ୍ପତ୍ତି ତାଲିକା ବାହାର କରିବାରେ ଲାଗି ପଡ଼ିଥିବାବେଳେ ଅଫିସ୍‌ ଓ ଅନ୍ୟ ଦୁଇଜଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ପ୍ରକାର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ତେବେ ତାଙ୍କ ନାମରେ କେତେ ଟଙ୍କାର ସ୍ଥାବରଅସ୍ଥାବର ସମ୍ପତ୍ତି ରହିଛି, ସେ ନେଇ ଭିଜିଲାନ୍ସ ବିଭାଗ ଅଦ୍ୟାବଧି ସ୍ପଷ୍ଟ କରି ନାହିଁ।

ସମ୍ବନ୍ଧିତ ଖବର