କିରଣ ଶୀର୍ଷରେ, ପଛକୁ ପଛ ସତ୍ୟଶିବ ଓ ମୋନାଲିସା

ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା

ଭୁବନେଶ୍ୱର: ସମ୍ବାଦର ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିଡିଆ ଷ୍ଟଡିଜ୍‌, ଭୁବନେଶ୍ୱରର କିରଣ କୁମାର ମହାନ୍ତି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ‘ଗଣତନ୍ତ୍ରରେ ମାଟି ନୁହେଁ, ପାର୍ଟି ବଡ଼’ ଶୀର୍ଷକ ବିଷୟ ବସ୍ତୁ ଉପରେ ହୋଇଥିବା ବିତର୍କ ପ୍ରତିଯୋଗିତାରେ କିରଣ ସାରା ରାଜ୍ୟରୁ ସମ୍ବାଦର ୮ଟି ଜୋନ୍‌ରୁ ଆସିଥିବା ୨୩ଜଣ ପ୍ରତିଯୋଗୀଙ୍କ ପଛରେ ପକାଇ ପ୍ରଥମ ହୋଇଥିଲେ। ସେହିପରି ଏଥିରେ ବ୍ରହ୍ମପୁରସ୍ଥିତ ‘ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ସତ୍ୟଶିବ ପରମାଣିକ ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ମୋନାଲିସା ରଣା ତୃତୀୟ ସ୍ଥାନ ହାସଲ କରିଥିଲେ। ପୂର୍ବରୁ ଅନୁଷ୍ଠିତ ୮ଟି ଜୋନ୍‌ସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇଥିବା ୨୪ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଆଜି ୨୩ ଜଣ ବିତର୍କରେ ଭାଗ ନେଇଥିଲେ। ଏଥିରେ ବିଚାରକ ଭାବେ କୃଷି ମନ୍ତ୍ରୀ ଡା ଦାମୋଦର ରାଉତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ରାଜନୀତି ସମୀକ୍ଷକ ସୂର୍ଯ୍ୟ ନାରାୟଣ ମିଶ୍ର ଯୋଗଦେଇଥିଲେ। କୃତି ପ୍ରତିଯୋଗୀମାନଙ୍କୁ ବୁଧବାର ସଂଧ୍ୟାରେ ଜୟଦେବ ଭବନରେ ଆୟୋଜନ ହେବାକୁ ଥିବା ସମ୍ବାଦର ସ୍ୱନକ୍ଷତ୍ର ଉତ୍ସବରେ ସମ୍ମାନିତ କରାଯିବ।

ସମ୍ବନ୍ଧିତ ଖବର