ଲେଖକମାନେ ସମାଜର ଗୋଟିଏ ସମ୍ମାନାସ୍ପଦ ଶ୍ରେଣୀ। ଲେଖକ ଗୋଷ୍ଠୀରେ କବି, ପ୍ରାବନ୍ଧିକ, ଔପନ୍ୟାସିକ, ଗାଳ୍ପିକ, ଶିଶୁ ସାହିତ୍ୟିକ, ବ୍ୟଙ୍ଗ ଲେଖକ ଇତ୍ୟାଦି ଅନେକ ପ୍ରକାର ଭେଦ ରହିଛି। ଲେଖକମାନଙ୍କ ମଧ୍ୟରେ କବିମାନେ ଅଗ୍ରଗଣ୍ୟ, ଯେଉଁମାନେ ଛନ୍ଦ କବିତା ରଚନା କରୁଛନ୍ତି, ସେମାନଙ୍କୁ ପିଢ଼ି ପରେ ପିଢ଼ି ମନେ ରଖନ୍ତି। ଭଞ୍ଜ, ରାଧାନାଥ, ଗୋପବନ୍ଧୁ, ଗଙ୍ଗାଧର ମେହେର, ମାୟାଧର ମାନସିଂହ, ସଚ୍ଚି ରାଉତରାୟଙ୍କ କାବ୍ୟ କବିତାର ଗ୍ରହଣୀୟତା ଏବେ ମଧ୍ୟ ରହିଛି। ଔପନ୍ୟାସିକମାନଙ୍କ ମଧ୍ୟରୁ ମଧ୍ୟ ଅନେକ କାଳଜୟୀ ହୋଇଛନ୍ତି- ଯଥା ଫକୀର ମୋହନ ସେନାପତି, କାଳନ୍ଦୀ ଚରଣ ପାଣିଗ୍ରାହୀ, ଗୋପୀନାଥ ମହାନ୍ତି, କାହ୍ନୁଚରଣ ମହାନ୍ତି। ସମସ୍ତଙ୍କ ନାମ ନେବା ସମ୍ଭବ ନୁହେଁ। ଉପର ଲିଖିତ ନାମ ବ୍ୟତୀତ ଆହୁରି ଅନେକ ପ୍ରତିଭାଶାଳୀ କବି ଓ ଔପନ୍ୟାସିକ ଅଛନ୍ତି, ଯେଉଁମାନେ ଜାତୀୟ ସ୍ତରରେ ପୁରସ୍କୃତ ଓ ପ୍ରଶଂସିତ ହୋଇପାରିଛନ୍ତି। ପ୍ରାବନ୍ଧିକମାନଙ୍କ ସଂଖ୍ୟା କବି ବା ଔପନ୍ୟାସିକ ବା ଗାଳ୍ପିକମାନଙ୍କ ଅନୁପାତରେ କମ୍। ପ୍ରବନ୍ଧ ରଚନା ନିମନ୍ତେ ପ୍ରଚୁର ଅଧ୍ୟୟନ ଓ ଗବେଷଣା-ଲବ୍ଧ ଜ୍ଞାନ ଆବଶ୍ୟକ। ଓଡ଼ିଆ ସାହିତ୍ୟରେ ମଧ୍ୟ ବହୁ ପ୍ରତିଭାଶାଳୀ ପ୍ରାବନ୍ଧିକ ଅଛନ୍ତି। ସେମାନଙ୍କ ମଧ୍ୟରେ ପଣ୍ଡିତ ନୀଳକଣ୍ଠ ଦାସ ବୋଧହୁଏ ସର୍ବଶ୍ରେଷ୍ଠ। ଏଇ ସାହିତ୍ୟ ସ୍ରଷ୍ଟାମାନେ ସମାଜରେ ଆଦର ଓ ସମ୍ମାନ ଲାଭ କରିଛନ୍ତି ଓ ସେମାନଙ୍କ ପୁସ୍ତକ ପ୍ରକାଶନକୁ ପାଠକମାନେ ଚାତକ ପରି ଅନାଇ ବସୁଥିଲେ। ଅଧୁନା ପୂର୍ବାପେକ୍ଷା ବହୁ ଅଧିକ ପୁସ୍ତକ ପ୍ରକାଶ ପାଉଅଛି। ପ୍ରକାଶିତ ପୁସ୍ତକ ଅନୁପାତରେ ପାଠକ ସଂଖ୍ୟା ବୃଦ୍ଧି ପାଉନାହିଁ, ବରଂଚ ହ୍ରାସ ପାଉଅଛି। ଫଳତଃ ଖୁବ୍ କମ୍ ପୁସ୍ତକର ଦ୍ବିତୀୟ ସଂସ୍କରଣ ପ୍ରକାଶ ପାଉଛି। ପ୍ରଥମ ଓ ଏକମାତ୍ର ସଂସ୍କରଣରେ ମଧ୍ୟ ଖୁବ୍ କମ୍ ସଂଖ୍ୟକ ପୁସ୍ତକ ପ୍ରକାଶ ପାଉଅଛି। ବିଦେଶରେ ମଧ୍ୟ ସେଇ ଏକା ଅବସ୍ଥା। ନ୍ୟୁୟର୍କ ସହରରେ ପ୍ରତି ବର୍ଷ ଅନେକ ବିକ୍ରି ହୋଇ ପାରିନଥିବା ପୁସ୍ତକ ରଦି କାଗଜ ଭାବରେ ବିକ୍ରୟ ହୁଏ। ଆମ ଓଡ଼ିଶାରେ ପାଞ୍ଚ ଲକ୍ଷ ପାଖାପାଖି ଛାତ୍ରଛାତ୍ରୀ ପ୍ରତି ବର୍ଷ ଓଡ଼ିଆ ମାଧ୍ୟମରେ ସ୍କୁଲ ଶିକ୍ଷା ଶେଷ କରୁଛନ୍ତି ଓ ପ୍ରତିଷ୍ଠିତ ୩/୪ ଓଡ଼ିଆ ସମ୍ବାଦପତ୍ରର ସମ୍ମିଳିତ ବିକ୍ରି ସଂଖ୍ୟା ପ୍ରାୟ ଦଶ ଲକ୍ଷ। ଏହା ସତ୍ତ୍ବେ ଓଡ଼ିଆ ପୁସ୍ତକର ପାଠକ ନାହାନ୍ତି ଓ ପୁସ୍ତକ ବିକ୍ରି ହେଉନାହିଁ। ଏହାର କାରଣ ବହୁବିଧ।
Sambad is now on WhatsApp
Join and get latest news updates delivered to you via WhatsApp
ଲେଖକ ସଂଖ୍ୟା ବୃଦ୍ଧି ଓ ପାଠକ ସଂଖ୍ୟା ହ୍ରାସ ଆଉ ଏକ ବିରାଟ ସମସ୍ୟା। ଏହା ଏକ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି କରିବ ଓ ଅର୍ଥଶାସ୍ତ୍ରର ‘ଗୁଡ୍ ମନି’, ବଜାରରୁ ‘ବ୍ୟାଡ୍ ମନି’କୁ ବିତାଡ଼ନ କଲା ପରି ଉଚ୍ଚ ପ୍ରତିଭାଧର ବ୍ୟକ୍ତିଙ୍କ ଲେଖା ନିମ୍ନ ମେଧାଯୁକ୍ତ ବ୍ୟକ୍ତିଙ୍କର ଲେଖାକୁ ସାହିତ୍ୟାକାଶରୁ ବିତାଡ଼ନ କରିବ। ବିଜ୍ଞାନର ଯେତେ ଅଗ୍ରଗତି ହେଉ ପଛେ, ପୁସ୍ତକର ମୃତ୍ୟୁ ନାହିଁ। ଉତ୍ତମ ଓ ନୂତନ ଭାବ ପ୍ରକାଶ କରୁଥିବା ପୁସ୍ତକ କାଳଜୟୀ ହେବ।
ପ୍ରଥମତଃ ଯେତେ ଓଡ଼ିଆ ବହି ଛପା ଯାଉଛି, ତହିଁରୁ ଅର୍ଧାଧିକ କବିତା ବହି ଓ ଶତକଡ଼ାରୁ ପ୍ରାୟ ଅନେଶତ ଭାଗ ଗଦ୍ୟ-କବିତା। ଏ ପ୍ରକାର କବିତା ରଚନାରେ ଛନ୍ଦ କବିତା ରଚନାର କଠିନତା ନ ଥିବାରୁ ଓ ଛନ୍ଦ ଜ୍ଞାନର ଆବଶ୍ୟକତା ନ ଥିବାରୁ, ଏହାର କବି/କବୟିତ୍ରୀ ସଂଖ୍ୟା ଅସମ୍ଭବ ଭାବରେ ବୃଦ୍ଧି ପାଉଛି। କିଶୋର ଓ ଯୌବନ ଅବସ୍ଥାରେ ପ୍ରାୟ ସମସ୍ତେ କବି ପ୍ରାଣ ହୋଇଥାନ୍ତି କିନ୍ତୁ ଛନ୍ଦ କବିତା ଯୁଗରେ କେବଳ ଯେଉଁମାନଙ୍କ ଉପରେ ଦେବୀ ବୀଣାପାଣିଙ୍କ ଆଶୀର୍ବାଦ ଥାଏ, ସେଇମାନେ ହିଁ କବି ହୋଇପାରନ୍ତି। ଗଦ୍ୟ-କବିତା ଯୁଗରେ ସେଇଟା ବଦଳିଗଲା। ବହୁ ସଂଖ୍ୟାରେ କବିତା ଲେଖାଗଲା। କବିତା ପାଠୋତ୍ସବ ମାନଙ୍କରେ ବେଶ୍ ଗହଳି ହେଉଛି। କବି ନିଜର କବିତା ପାଠ କରି ସାରିଲା ପରେ ଅଧିକାଂଶ ସମୟରେ ଅନ୍ୟମାନଙ୍କ କବିତା ନ ଶୁଣି ସଭାସ୍ଥଳରୁ ପ୍ରତ୍ୟାବର୍ତ୍ତନ କରନ୍ତି; ଅର୍ଥାତ୍ ଏ ପ୍ରକାର କବିତାର ସାର୍ବଜନୀନ ଗ୍ରହଣୀୟତା ନାହିଁ। ତେଣୁ ଏ କବିତା ପୁସ୍ତକର ବିକ୍ରି ମଧ୍ୟ ସୀମିତ। କେବଳ ଜଣେ ଅଧେ ନାମକରା କବିଙ୍କର ପୁସ୍ତକ ବିକ୍ରି ହୁଏ।
ଗୋଟିଏ ସମୟରେ ଚିତ୍ତ ବିନୋଦନକାରୀ ରୋମାଣ୍ଟିକ୍ ଉପନ୍ୟାସର ବେଶ୍ ଚାହିଦା ଥିଲା। କିଶୋର-କିଶୋରୀମାନେ ପିତାମାତାଙ୍କ ଠାରୁ ଲୁଚାଇ ଏ ବହି ସବୁ ପଢୁଥିଲେ। ବର୍ତ୍ତମାନ ଚିତ୍ତ ବିନୋଦନ ଟେଲିଭିଜନ ଓ ମୋବାଇଲ୍ ଫୋନ ଦ୍ବାରା ସମାହିତ ହେଉଛି। ତେଣୁ, ସେ ପ୍ରକାର ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପର ଚାହିଦା ହ୍ରାସ ପାଇଲାଣି। କିଛି ପୁସ୍ତକ ଚିନ୍ତା ଉଦ୍ରେକ କରନ୍ତି ଓ ନୂତନ ଭାବଧାରାର ପ୍ରତୀକ ହୋଇ ଆସନ୍ତି। ଆଉ କିଛି ପୁସ୍ତକରେ ଖବର ଓ ତଥ୍ୟ ଥାଏ। ଖବର ଓ ତଥ୍ୟ ନିମନ୍ତେ ଆଉ ପୁସ୍ତକ ଉପରେ ନିର୍ଭର ନ କରି ‘ଗୁଗଲ’ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଲାଣି। ଦେଶ ବିଦେଶର ସମାଚାର, ଫଟୋଚିତ୍ର ଆଦି ଟେଲିଭିଜନ ଓ ଟେଲିଫୋନରେ ବିଶଦ ଭାବରେ ପ୍ରାପ୍ତ ହେବାରୁ ନିଛକ ତଥ୍ୟ ଭିତ୍ତିକ ପୁସ୍ତକ ଓ ଭ୍ରମଣ କାହାଣୀର ଉପାଦେୟତା ଆଉ ଅନୁଭୂତ ହେଉନାହିଁ। ଆଜିକାଲି ଆର୍ଥିକ ସ୍ବଚ୍ଛଳତା ବଢ଼ିଛି, ଅନେକ ପରିବାରର ପିଲାମାନେ ବିଦେଶରେ ରହୁଛନ୍ତି, ବହୁ ଲୋକ ବିଦେଶ ଭ୍ରମଣ କରୁଛନ୍ତି। ସେମାନଙ୍କ ପାଖରେ ଲେଖିବାର ଶୈଳୀ ଓ କ୍ଷମତା ଥାଉ ବା ନ ଥାଉ ଭ୍ରମଣ କାହାଣୀ ଲେଖୁଛନ୍ତି। ସେ ପ୍ରକାର ପୁସ୍ତକ ଲେଖି ଲେଖକ ନିଜର ଆତ୍ମୀୟପରିଜନ ଓ ପରିଚିତ ବ୍ୟକ୍ତିଙ୍କୁ ବଣ୍ଟନ କରୁଛନ୍ତି। ଆଜିକାଲି ଅନେକ ବ୍ୟକ୍ତି ଆତ୍ମଜୀବନୀ ଲେଖୁଛନ୍ତି। ଓଡ଼ିଶାରେ ପ୍ରଥମେ ଫକୀର ମୋହନ ସେନାପତି ଆତ୍ମଜୀବନୀ େଲଖିଥିଲେ। ସେ ପୁସ୍ତକଟି ଏବେ ମଧ୍ୟ ଆଦୃତ। କାରଣ ସେଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଓ ତତ୍କାଳୀନ ଜୀବନ ଶୈଳୀ ନିଖୁଣ ଭାବରେ ବର୍ଣ୍ଣିତ ହୋଇଅଛି। ଏବର ପ୍ରକାଶିତ ଅଧିକ ଆତ୍ମଜୀବନୀ ପ୍ରାୟ ବାସୁକୀ ଧର୍ମୀ; ଅର୍ଥାତ୍ ବାସୁକୀ ଯେପରି ପୃଥିବୀଟାକୁ ମୁଣ୍ଡ ଉପରେ ଟେକି ଧରିଛି ବୋଲି ଧାରଣାଟିଏ ଅଛି, ସେଇପରି ଲେଖକ ନିଜ କାର୍ଯ୍ୟକାଳ ସମୟରେ ସମସ୍ତ ଘଟଣାର କେନ୍ଦ୍ରବିନ୍ଦୁ ଥିଲେ ବୋଲି ଧରି ନେଇ ତାହା ଲେଖିଥାନ୍ତି। ଏଇ ଆତ୍ମକୈନ୍ଦ୍ରକ ଆତ୍ମଜୀବନୀ ନିଜର ନାତି, ପଣନାତିଙ୍କ ନିମନ୍ତେ ଲେଖା ହୁଏ ବୋଲି ଜଣେ ବିଶିଷ୍ଟ ବ୍ୟକ୍ତି ପରିହାସ କରିଥିଲେ। ଅଧିକାଂଶ ଶିକ୍ଷିତ ପରିବାରରେ ବର୍ତ୍ତମାନ ପିଲାମାନେ ଇଂରେଜୀ ମାଧ୍ୟମ ସ୍କୁଲରେ ପଢୁଛନ୍ତି ଓ ଓଡ଼ିଆ ଠିକ୍ ଭାବରେ ପଢ଼ି ଜାଣନ୍ତି ନାହିଁ। ତେଣୁ ନାତି, ପଣନାତିମାନେ ଏଭଳି ଆତ୍ମଜୀବନୀର ବଡ଼ିମାରେ ପ୍ରଭାବିତ ହେବାର ଆଶା କମ୍।
ପୁସ୍ତକ ମେଳା ସବୁ ଆୟୋଜିତ ହେଉଅଛି; ବେଶ୍ ବିକ୍ରି ମଧ୍ୟ ହେଉଛି। ବିକ୍ରିର ସିଂହଭାଗ ହେଉଛି ଧର୍ମ ଓ କମ୍ପ୍ୟୁଟର ସମ୍ବନ୍ଧୀୟ ପୁସ୍ତକ ଓ ପାଠ୍ୟ ତଥା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧୀୟ ପୁସ୍ତକ। ଧର୍ମର ପ୍ରଭାବ ଜନସାଧାରଣଙ୍କ ଉପରେ ଚିରନ୍ତନ। ଧର୍ମ ପୁସ୍ତକ ବିକ୍ରି ବୃଦ୍ଧି ପାଉଛି। ପକ୍ଷାନ୍ତରେ ପୁରୁଣା ଲେଖକଙ୍କ ଅନେକ ବହି ପୁନଃ ମୁଦ୍ରିତ ହେଇନାହିଁ କି ମିଳୁନାହିଁ। କାହ୍ନୁବାବୁଙ୍କର କୌଣସି ଉପନ୍ୟାସ ବର୍ତ୍ତମାନ ପୁସ୍ତକ ବଜାରରେ ପାଇବା ସମ୍ଭବପର ନୁହେଁ। ବର୍ତ୍ତମାନ ଏକମାତ୍ର ବହୁସଂଖ୍ୟାରେ ପୁସ୍ତକ କ୍ରେତା ହେଉଛନ୍ତି ରାଜା ରାମମୋହନ ରାୟ ଲାଇବ୍ରେରି। ସେଇ ବିକ୍ରିକୁ ପ୍ରକାଶକମାନେ ଚାତକ ଭଳି ଅନେଇ ରହିଛନ୍ତି। ରାମ ମୋହନ ଲାଇବ୍ରେରିରୁ ଯେଉଁ ଅନୁଷ୍ଠାନମାନେ ନିଜ କ୍ଲବ୍ ଓ ଲାଇବ୍ରେରି ଲାଗି ପୁସ୍ତକ ନେଉଛନ୍ତି, ସେ ବହି ମଧ୍ୟ କେହି ପଢୁନାହାନ୍ତି।
ପାଠକ ଓ ଲେଖକ ମଧ୍ୟରେ ଯୋଗସୂତ୍ର ସୃଷ୍ଟି କରନ୍ତି ପ୍ରକାଶକ। ଲେଖକର ସୃଷ୍ଟିକୁ ପାଠକ ପାଖରେ ପହଞ୍ଚାଇବାରେ ସେ ମୁଖ୍ୟ ଭୂମିକା ପାଳନ କରନ୍ତି। ଓଡ଼ିଆ ଭାଷାରେ, କଟକ ପ୍ରିଣ୍ଟିଂ କମ୍ପାନି ହିଁ ପ୍ରଥମ ପ୍ରକାଶକ। ଅବଶ୍ୟ ତା’ ପୂର୍ବରୁ ପାଦ୍ରୀମାନେ ଓ ଇଂରେଜମାନେ କିଛି ପୁସ୍ତକ ପ୍ରକାଶ କରିଥିଲେ। ସେଗୁଡ଼ା କିନ୍ତୁ ଓଡ଼ିଆ ସାହିତ୍ୟ ନୁହେଁ। ପରବର୍ତ୍ତୀ କାଳରେ ଆକୁଳି ମିଶ୍ରଙ୍କର କଟକ ଟ୍ରେଡିଂ କମ୍ପାନି, ଉମାଚରଣ ମହାନ୍ତିଙ୍କର କଟକ ପବ୍ଲିସିଂ ହାଉସ, କଟକ ଷ୍ଟୁଡେଣ୍ଟସ ଷ୍ଟୋର, ଗ୍ରନ୍ଥମନ୍ଦିର, ଫ୍ରେଣ୍ଡସ ପବ୍ଲିସର୍ସ, ମନମୋହନ ପୁସ୍ତକାଳୟ, ଅରୁଣୋଦୟ ପୁସ୍ତକାଳୟ ଓ ରାଧାରମଣ ପୁସ୍ତକାଳୟ ଆଦି ପ୍ରକାଶନ ସଂସ୍ଥା ଗଢ଼ି ଉଠିଲା। ପ୍ରକାଶନ ଅଭିବୃଦ୍ଧିରେ ବହୁ ନୂତନ ଲେଖକଙ୍କ ଅଭ୍ୟୁଦୟ ଘଟି କବିତା, ନାଟକ, ପ୍ରବନ୍ଧ ଓ ଅନୁବାଦ ଭାଷା ସାହିତ୍ୟକୁ ସମୃଦ୍ଧ କରିଅଛି।
ପାଠ୍ୟ ପୁସ୍ତକ ଜାତୀୟକରଣର ପୂର୍ବ ସମୟ ଥିଲା ଓଡ଼ିଆ ପ୍ରକାଶନ କ୍ଷେତ୍ରର ସୁବର୍ଣ୍ଣ ଯୁଗ। ପ୍ରକାଶନ ସଂସ୍ଥାମାନେ ପାଠ୍ୟ ପୁସ୍ତକରେ ପ୍ରଚୁର ଲାଭ କରୁଥିଲେ ଓ ଲେଖକମାନଙ୍କୁ ସନ୍ତୋଷଜନକ ପାରିଶ୍ରମିକ ପ୍ରଦାନ କରୁଥିଲେ। ସ୍ବର୍ଗତ ଉମାଚରଣ ମହାନ୍ତି ଲେଖକମାନଙ୍କ ଘରକୁ ଯାଇ ପାରିଶ୍ରମିକ ପ୍ରଦାନ କରିବାର ଶୁଣାଅଛି। ପାରିଶ୍ରମିକ ପ୍ରଦାନ କରି ପ୍ରକାଶକମାନେ ଲେଖକମାନଙ୍କର ସାହିତ୍ୟ ସୃଷ୍ଟିକୁ ଉତ୍ସାହିତ କରୁଥିଲେ। ପାଠ୍ୟପୁସ୍ତକ ଜାତୀୟକରଣ ପରେ ପ୍ରକାଶକମାନଙ୍କର ଆୟ ହ୍ରାସ ପାଇଲା ଓ ଲେଖକମାନଙ୍କ ପାରିଶ୍ରମିକ ହ୍ରାସ ପାଇଲା ଓ କେତେକ କ୍ଷେତ୍ରରେ ଲୋପ ପାଇଲା। ଏବେ ଲେଖକ ଅର୍ଥ ପ୍ରଦାନ କଲେ ପ୍ରକାଶକ ବହି ଛାପୁଛନ୍ତି। ଯେଉଁ ଲେଖକଙ୍କର ଅର୍ଥ ପ୍ରଦାନ କରିବାର କ୍ଷମତା ବା ସଂଗତି ନାହିଁ, ତାଙ୍କ ପ୍ରତିଭା ବଣମଲ୍ଲୀ ପରି ମଉଳି ଯାଉଛି। ରାଧାନାଥ ଯୁଗରେ, ପ୍ରତିଷ୍ଠିତ ଲେଖକମାନେ ରାଜା ମହାରାଜାମାନଙ୍କ ଠାରୁ ଅର୍ଥ ପ୍ରାପ୍ତ ହୋଇ ବହି ଛାପୁଥିଲେ। ମଧୁସୂଦନ ରାଓ ପାଠ୍ୟ ପୁସ୍ତକ ଲେଖି, ସେଇ ଅର୍ଥରେ ଅନ୍ୟ ପୁସ୍ତକ ଛାପୁଥିଲେ। ଫକୀର ମୋହନ ନିଜର କିଛି ଭୂ-ସମ୍ପତ୍ତି ପୁସ୍ତକ ଛାପିବା ଲାଗି ବିକ୍ରି କରିଥିଲେ ବୋଲି ଜଣାଯାଏ। ସେତେବେଳେ ଶିକ୍ଷିତ ବ୍ୟକ୍ତି ଓ ପୁସ୍ତକ କ୍ରେତା ସୀମିତ ଥିଲେ ଓ ପୁସ୍ତକ ବିକ୍ରି କରିବାର ସଂସ୍ଥା ଗଠିତ ହୋଇନଥିଲା। ବର୍ତ୍ତମାନ କୌଣସି ପ୍ରକାଶକ କବିତା ପୁସ୍ତକ ଛାପିବା ନିମନ୍ତେ ଆଗ୍ରହୀ ନୁହନ୍ତି। ଅନ୍ୟ କେତେଜଣ ପ୍ରକାଶକ ବହିରୁ ମାତ୍ର ୧୫/୨୦ ଖଣ୍ଡ ଛାପି, ରାମମୋହନ ଲାଇବ୍ରେରିରେ ଗୃହୀତ ହେବା ନିମନ୍ତେ ଉଦ୍ୟମ କରୁଛନ୍ତି ଏବଂ ଗୃହୀତ ହେଲେ ୪୦୦/୫୦୦ ଖଣ୍ଡ ଛାପୁଛନ୍ତି, ନଚେତ ୧୫ ଖଣ୍ଡରେ ସେ ବହି ଛପା ସୀମିତ ରହିଯାଉଛି। ପୁସ୍ତକର ପ୍ରଚାର ନିମନ୍ତେ ଲୋକାର୍ପଣ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ଉନ୍ମୋଚନ ଆଦି ଉଦ୍ୟମ ହେଉଛି, କିନ୍ତୁ ଏହା ବିକ୍ରି ଉପରେ କୌଣସି ସୁପ୍ରଭାବ ପକାଇ ପାରୁନାହିଁ।
ସାହିତ୍ୟ କ୍ଷେତ୍ରରେ କିନ୍ତୁ ପୁରସ୍କାରର ଫୁଆରା ଛୁଟିଚି। ବହୁ ଅନୁଷ୍ଠାନ, ପ୍ରକାଶନ ସଂସ୍ଥା, ସାହିତ୍ୟ ସଂସ୍ଥା, ଖବରକାଗଜ ମାନ ପ୍ରତି ବର୍ଷ ପୁରସ୍କାର ବିତରଣ କରୁଛନ୍ତି। ଶହ ଶହ ପ୍ରକାଶିତ ପୁସ୍ତକ ମଧ୍ୟରୁ, ଶ୍ରେଷ୍ଠ ପୁସ୍ତକ ଓ ଶ୍ରେଷ୍ଠ ଲେଖକ ସେମାନେ କିପରି ଚୟନ କରିପାରୁଛନ୍ତି, ତାହା କେବଳ ଭଗବାନଙ୍କୁ ହିଁ ଜଣା। କାରଣ ଚୟନକର୍ତ୍ତାମାନଙ୍କ ପାଖରେ ସମସ୍ତ ପୁସ୍ତକ ଉପଲବ୍ଧ ନୁହେଁ କି ସେମାନେ ସମସ୍ତ ପୁସ୍ତକ ପଠନ କରିବା ଭଳି ସମୟସାପେକ୍ଷ କାର୍ଯ୍ୟ କରିପାରିବେ ନାହିଁ। ଅଧିକାଂଶ ସମୟରେ ପୁରସ୍କୃତ ଲୋକଙ୍କର ପୁସ୍ତକର ଦ୍ବିତୀୟ ସଂସ୍କରଣ ହେଉନାହିଁ କି ପ୍ରଥମ ସଂସ୍କରଣର ସୀମିତ ପୁସ୍ତକ ବିକ୍ରି ହୋଇପାରୁନାହିଁ। ପାଠକୀୟ ଆଦୃତି ଓ ଗ୍ରହଣୀୟତା ପୁସ୍ତକ ଚୟନର ଏକ ମାନଦଣ୍ଡ ହେବା ଆବଶ୍ୟକ। ଅନେକ ପୁରସ୍କାରର ଏକ ଆର୍ଥିକ ଅଂଶ ଥିବାରୁ ଏ ଦିଗରେ ତୀବ୍ର ପ୍ରତିଯୋଗିତା ହେଉଛି ଓ ଜଣେ ବନ୍ଧୁ ପରିହାସରେ କହୁଥିଲେ ଯେ ସାହିତ୍ୟିକଙ୍କ ରାଜନୀତି ବାସ୍ତବ ରାଜନୀତି ଠାରୁ ଆହୁରି ତୀବ୍ର। ସାହିତ୍ୟିକମାନେ ସମାଜର ଦିଗ୍ଦର୍ଶକ। ସେମାନଙ୍କର ପ୍ରତିଭା ଯୁଗ ଯୁଗ ଧରି ଉଦ୍ଭାସିତ ହୋଇଥାଏ। ବର୍ତ୍ତମାନ ପରିସ୍ଥିତିରେ ଜଣେ ପୁରପଲ୍ଲୀର ଦୁଃସ୍ଥ ପ୍ରତିଭାବାନର ପ୍ରତିଭା ପ୍ରକାଶ ପାଇବା କଷ୍ଟକର ବ୍ୟାପାର ହୋଇଗଲାଣି। ସାହିତ୍ୟର ସହରୀକରଣ ହୋଇଗଲାଣି ଓ ଆଉ ଭୀମଭୋଇ ପ୍ରକଟ ହେଉନାହାନ୍ତି। ପ୍ରକାଶନର ଆର୍ଥିକ ବ୍ୟବସ୍ଥା ହେତୁ କେବଳ ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିଙ୍କର ପୁସ୍ତକ ଏଣିକି ପ୍ରକାଶ ପାଇବ। ଏ ସମସ୍ୟାର ସମାଧାନ ହେବା ଆବଶ୍ୟକ।
ଲେଖକ ସଂଖ୍ୟା ବୃଦ୍ଧି ଓ ପାଠକ ସଂଖ୍ୟା ହ୍ରାସ ଆଉ ଏକ ବିରାଟ ସମସ୍ୟା। ଏହା ଏକ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି କରିବ ଓ ଅର୍ଥଶାସ୍ତ୍ରର ‘ଗୁଡ୍ ମନି’, ବଜାରରୁ ‘ବ୍ୟାଡ୍ ମନି’କୁ ବିତାଡ଼ନ କଲା ପରି ଉଚ୍ଚ ପ୍ରତିଭାଧର ବ୍ୟକ୍ତିଙ୍କ ଲେଖା ନିମ୍ନ ମେଧାଯୁକ୍ତ ବ୍ୟକ୍ତିଙ୍କର ଲେଖାକୁ ସାହିତ୍ୟାକାଶରୁ ବିତାଡ଼ନ କରିବ। ବିଜ୍ଞାନର ଯେତେ ଅଗ୍ରଗତି ହେଉ ପଛେ, ପୁସ୍ତକର ମୃତ୍ୟୁ ନାହିଁ। ଉତ୍ତମ ଓ ନୂତନ ଭାବ ପ୍ରକାଶ କରୁଥିବା ପୁସ୍ତକ କାଳଜୟୀ ହେବ।
ମୋ-୯୯୩୭୪୨୨୫୨୧