ଜଣେ ବଣିକ ଦୂର ସ୍ଥାନକୁ ବେପାର କରିବାକୁ ଯାଉଥିଲେ। ତାଙ୍କ ସାଙ୍ଗରେ ଦଳେ ପରିଚାରକ ବି ଯାଉଥିଲେ। ଥରେ ସେମାନଙ୍କ ଭିତରୁ କିଛି ମନ୍ତ୍ରଣା କଲେ ଯେ ବାଟରେ ବଣିକ ଶୋଇଥିବା ବେଳେ ତାଙ୍କ ପାଖରୁ ସବୁ ଟଙ୍କା ପଇସା ନେଇ ପଳାଇଯିବେ। ସେମାନେ ସୁଯୋଗକୁ ଅପେକ୍ଷା କରି ରହିଲେ। ସୁଯୋଗ ଆସିଗଲା। ବଣିକ ବେପାର କାମରେ ବାହାରିଲେ। ସେଇ ପରିଚାରକ ଦଳ ବି ତାଙ୍କ ସହିତ ଗଲେ। ଦିନ ଦ୍ବିପହରେ ବହୁତ ଖରା ହେବାରୁ ସେମାନେ ଗୋଟିଏ ସ୍ଥାନରେ ଆଶ୍ରୟ ନେଲେ। ବଣିକ ଗଛର ଛାଇରେ ଶୋଇପଡ଼ିଲେ। ଏଇ ସମୟରେ ଜଣେ ଚିତ୍କାର କଲା ସାପ ସାପ। ବଣିକଙ୍କ ନିଦ ଭାଙ୍ଗିଗଲା। ସେ ଦେଖିଲେ ଯେ ଅଦୂରରେ ନାଗ ସାପଟିଏ। ତାକୁ ଆଘାତ ନ କରିବାକୁ ସେ ଲୋକମାନଙ୍କୁ କହିଲେ। କିଛି ସମୟ ପରେ ସାପଟି ତା’ ବାଟରେ ଚାଲିଗଲା। ବଣିକଙ୍କୁ ତାଙ୍କ ପରିଚାରକମାନେ କହିଲେ- ସାପକୁ ଭୟ କରୁନାହାନ୍ତି କେମିତି? ବଣିକ କହିଲେ- ସାପ ବିଷଧର ବୋଲି ସାରା ଜଗତ୍ ଜାଣିଛି। ତେଣୁ କେବଳ ସାବଧାନ ରହିଲେ ତା’ ଠାରୁ ରକ୍ଷା ମିଳିବ। ସେ ତ ନିଜ ରୂପକୁ ଲୁଚାଉ ନାହିଁ, ତେଣୁ ତାକୁ ଭୟ କ’ଣ?
Sambad is now on WhatsApp
Join and get latest news updates delivered to you via WhatsApp
ବଣିକଙ୍କ ଯାତ୍ରା ପୁଣି ଆରମ୍ଭ ହେଲା। ରାତିରେ ସେ ଧର୍ମଶାଳାରେ ଶୋଇଲେ। ସକାଳେ ଦେଖାଗଲା ଯେ ସେଇ ମନ୍ତ୍ରଣାକାରୀ ପରିଚାରକମାନେ ସୁଯୋଗ ଉଣ୍ଡି ସବୁ କିଛି ଲୁଟି ନେଇ ଯାଇଛନ୍ତିି। ସକାଳେ ବଣିକ ଏହା ଦେଖି ହତଭମ୍ବ ହୋଇଗଲେ। ତା’ ପରେ ସେ କାନ୍ଦ କାନ୍ଦ ହୋଇ କହିଲେ- ତୁମେମାନେ ସାପକୁ ଭୟ କରିବା କଥା କାଲି କହୁଥିଲ ନା? ଏବେ ବୁଝ କାହାକୁ ଭୟ କରିବା କଥା!