ଆକାଶରେ ମେଘ ଦେଖିଲେ ପୁଚ୍ଛ ହଲେଇ ନାଚନ୍ତି। ଡାକ ମାରିଲେ, କଳରବରେ ସଂଗୀତ ଆସରର ଭ୍ରମ ସୃଷ୍ଟି କରନ୍ତି। ସକାଳ ହେଉ କି ସଂଜ, ଏମାନେ ଏକାଠି ଖାଆନ୍ତି, ପିଅନ୍ତି ଓ ବୁଲନ୍ତି ମଧ୍ୟ। ଶତାଧିକ ମୟୂରଙ୍କୁ ଏତାଦୃଶ ଉପଭୋଗ କରିବାର ଏଇଭଳି ଏକ ନିଆରା ଠିକଣା ହେଉଛି ମୟୂର ଉପତ୍ୟକା। ତେ ବେ କୌଣସି ବଣ ଜଙ୍ଗଲ ଘେରା ଇଲାକା ନୁହେଁ ବରଂ ଭୁବନେଶ୍ୱରରୁ ୨୫ କିଲୋମିଟର ଦୂରରେ ନରାଜ ଅଞ୍ଚଳରେ ସୃଷ୍ଟି ହୋଇଛି ଏଇ ଅଘୋଷିତ ଉପତ୍ୟକା। ଖାସ୍ ସେଇଥି ପାଇଁ ମୟୂରଙ୍କ ଗହଣରେ ସମୟ ବିତାଇବାକୁ ଋଷ୍, ସ୍ପେନ୍ ଓ ଜାପାନରୁ ମଧ୍ୟ ପର୍ଯ୍ୟଟକ ଧାଇଁ ଆସନ୍ତି। ଉପସ୍ଥାପନା: କେଶବ ପାଣି, ଫଟୋ: ଅସିତ ଶତପଥୀ
Sambad is now on WhatsApp
Join and get latest news updates delivered to you via WhatsApp
୬ ଘଣ୍ଟା ବାହାରେ ବୁଲନ୍ତି
‘ରାଜା ଆ..ଆ..ଆ..’। ୧୯ ବର୍ଷୀୟ କାହ୍ନ ଚରଣ ବେହେରା(କାହ୍ନା)ର ଏଇ ପଦକ ଡାକରେ ପାହାଡ଼ କୋରଡ଼ରୁ ଧାଇଁ ଆସନ୍ତି ମୟୂର। କେବଳ ‘ରାଜା’ ଡାକରେ ୧୧୭ ମୟୂର ଚାଲି ଆସନ୍ତି ପାହାଡ଼ର ପାଦଦେଶକୁ। କିଏ ପୁଛ ହଲାଇ ଭୂଇଁରେ ଲୋଟି ପଡ଼ନ୍ତି ତ ଆଉ କିଏ ଗୁରୁଣ୍ଡି ଗୁରୁଣ୍ଡି କାହ୍ନାଙ୍କୁ ଘେରିଯାଆନ୍ତି। ଏକାଠି କରିବା ପରେ ସେମାନଙ୍କୁ ଖାଇବାକୁ ଦିଅନ୍ତି କାହ୍ନା। କେତେବେଳେ ଭାତ ପକାନ୍ତି ତ ଆଉ କେତେବେଳେ ଧାନ, ଚାଉଳ, ମୁଗ, ବୁଟ, ଖୁଦ, ଧାନ କୁଣ୍ଡା ଓ ଅଗାଡ଼ି ଖାଇବାକୁ ଦିଅନ୍ତି। ଗହମ ଓ ଗୁଲୁଗୁଲା ଖାଇବାକୁ ମୟୂରମାନେ ଅଧିକ ପସନ୍ଦ କରନ୍ତ। ‘ପିକକ୍ ଭ୍ୟାଲି’ରେ ଏବେ ୧୧୭ଟି ମୟୂର ରହଥିବା ବେଳେ ଅଧିକାଂଶ ମାଈ। ୪ଟି ଧଳା ମୟୂର ମଧ୍ୟ ରହିଛନ୍ତି। ଗତବର୍ଷ ୩୫ଟି ମୟୂର ବଢ଼ିଛନ୍ତି। ଆସନ୍ତା ଜୁଲାଇ/ଅଗଷ୍ଟ ମାସରେ ମୟୂରଙ୍କ ଅଣ୍ଡାଦାନ ସମୟ ଥିବାରୁ ଏଥର ଆହୁରି ୪୦ଟି ମୟୂର ବଢ଼ିବା ସମ୍ଭାବନା ରହିଛି। ଏମାନଙ୍କ ସୁରକ୍ଷା ଉପରେ କଡ଼ା ନଜର ରଖାଯାଇଛି। ବାର୍ହା, ଝିଙ୍କ, କୁକୁର ପରି ଜନ୍ତୁଙ୍କ କବଳରୁ ମୟୂରଙ୍କୁ ସୁରକ୍ଷା ଦେବା ସହ ଖାଇବା ବେଳେ ଜଗି ରୁହନ୍ତି। ମୟୂରମାନେ ପାହାଡ଼ କୋରଡ଼କୁ ଯିବା ପର୍ଯ୍ୟନ୍ତ ଜଗି ରହିଥା’ନ୍ତି ସେ। ପ୍ରତିଦିନ ସକାଳେ ଓ ସଞ୍ଜରେ ୩ ଘଣ୍ଟା ଲେଖାଏଁ ମୟୂର ବାହାରେ ବୁଲନ୍ତି।
ଖାଦ୍ୟ ଯୋଗାଡ଼ିବା କଷ୍ଟ
ଓଡ଼ିଶାର ପିକକ୍ ମ୍ୟାନ୍ ଭାବେ ପରିଚିତ ପାଣୁ ବେହେରାଙ୍କ ବିୟୋଗ ପରେ ନାତି କାହ୍ନା ନିଜ କାନ୍ଧରେ ଏହି ଭାରକୁ ବୋହୁଛନ୍ତି। ଯୁକ୍ତ ୩ ବାଣିଜ୍ୟ ଶେଷ ବର୍ଷ ପରୀକ୍ଷା ଦେଇଥିବା କାହ୍ନା ଏବେ ପାଠପଢ଼ା ସହ ମୟୂରଙ୍କ ସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି। ସେ କହନ୍ତି, ମୟୂରଙ୍କ ପାଇଁ ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡ଼ିଛି। ଆବଶ୍ୟକୀୟ ଅର୍ଥ ନାହିଁ। ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଯାହା କିଛି ଦେଉଛନ୍ତି ସେଥିରେ ମୟୂରଙ୍କ ଖାଦ୍ୟ ଯୋଗାଡ଼ କରୁଛି। ବାପା ବାସୁଦେବ ବେହେରା ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରୁଛନ୍ତି। ଜେଜେ ମୋତେ ଯେଉଁ ଦାୟିତ୍ୱ ଦେଇ ଯାଇଛନ୍ତି ତାହାକୁ ପାଳନ କରୁଛି। ଦୁଇଟି ଚାକିରି ଅଫ୍ର ଆସିଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇନି। ଆସନ୍ତା ୫ ବର୍ଷ ଯାଏ ଚାକିରି ବିଷୟରେ ଚିନ୍ତା ବି କରିନି ବୋଲି କାହ୍ନା କହିଛନ୍ତି।
ପାଣୁଙ୍କ ପରେ କାହ୍ନା
୧୯୯୯ରେ ନରାଜ ଗ୍ରାମର ସ୍ୱର୍ଗତ ପାଣୁ ବେହେରାଙ୍କ ନଜରକୁ ଆସିଥିଲେ ୩ଟି (ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ) ମୟୂର। ସେମାନେ ଖୋଲା ପଡ଼ିଆରେ ବୁଲି ଖାଦ୍ୟ ଅନେ୍ଵଷଣ କରୁଥିବା ଦେଖିବାକୁ ପାଇଥିଲେ ପାଣୁ। ଏହାପରେ ୩ଟି ଯାକ ମୟୂରଙ୍କୁ ପ୍ରତିଦିନ ଖାଇବାକୁ ଦେବା ସହ ସେମାନଙ୍କ ସୁରକ୍ଷା ଲାଗି ଆଗଭର ହୋଇଥିଲେ ସେ। ପ୍ରତିଦିନ ସେ ମୟୂରଙ୍କୁ ଖାଇବାକୁ ଦେଉଥିଲେ। ୩ଟି ମୟୂରଙ୍କ ସହ ଗଢ଼ି ଉଠିଥିବା ପାଣୁଙ୍କର ଏହି ସମ୍ପର୍କ ଏବେ ୧୧୭ରେ ପହଞ୍ଚିଛି। ଗତବର୍ଷ ମେ’ ୨୬ରେ ପାଣୁଙ୍କ ବିୟୋଗ ହୋଇଛି। ପାଣୁଙ୍କ ପରେ ତାଙ୍କ ନାତି କାହ୍ନା ଏହି କାର୍ଯ୍ୟକୁ ସମ୍ଭାଳୁଛନ୍ତି।
ଓଡ଼ିଶାର ‘ପିକକ୍ ଭ୍ୟାଲି’ ରୂପେ ପରିଚିତ ଏହି ସ୍ଥାନ ପଛରେ ଏକ କାହାଣୀ ରହିଛି। ୨୦୧୭ ଅଗଷ୍ଟ ମାସରେ ଭୁବନେଶ୍ୱରର କେତେ ଜଣ ସାଇକେଲ୍ ଆରୋହୀ ଏଠାକୁ ବୁଲିବାକୁ ଆସିଥିଲେ। ଶହେରୁ ଅଧିକ ମୟୂର ବୁଲୁଥିବା ଦେଖିବା ପରେ ସେମାନେ ଅଞ୍ଚଳର ନାମକରଣ କରିଥିଲେ ‘ପିକକ୍ ଭ୍ୟାଲି’। ସୋସିଆଲ୍ ମିଡିଆରେ ଏନେଇ ପ୍ରଚାର କରିଥିଲେ। ସେହିଦିନଠାରୁ ଏହି ଅଞ୍ଚଳ ଓଡ଼ିଶାର ‘ପିକକ୍ ଭ୍ୟାଲି’ ରୂପେ ପରିଚିତ ହୋଇଛି। ବିଦେଶୀ ପର୍ଯ୍ୟଟକ େଓ୍ଵବସାଇଟ୍ରୁ ଓଡ଼ିଶାର ‘ପିକକ୍ ଭ୍ୟାଲି’ ଖୋଜି ଏଠାରେ ପହଞ୍ଚୁଥିବା କାହ୍ନା କହୁଛନ୍ତି।