ଏମିିତି ସ୍ଥିତିରେ ରହିବୁ ବୋଲି ଭାବି ନଥିଲୁ-ଏବି ଡିଭିଲିୟର୍ସ

ଚଳିତ ଋତୁରେ ପ୍ରଶଂସକ ଆମ ଉପରେ ଉଚ୍ଚ ଆଶା ରଖିିଥିଲେ। ହେଲେ ପାଞ୍ଚଟି ମ୍ୟାଚ୍‌ ପରେ ଆମେ ଏଭଳି ଦୟନୀୟ ସ୍ଥିତିରେ ରହିବୁ ବୋଲି ସେମାନେ ଆଦୌ ଭାବି ନଥିଲେ। ପ୍ରଥମ ପାଞ୍ଚଟି ମ୍ୟାଚ୍‌ରୁ ଚାରିଟି ପରାଜୟ ଏବଂ ମାତ୍ର ଗୋଟିଏ ବିଜୟ ପାଇବୁ ବୋଲି ଆମେ ମଧ୍ୟ କଳ୍ପନା କରି ନଥିଲୁ। ଅବଶ୍ୟ ଏଭଳି ଘଡ଼ିସନ୍ଧି ମୁହୂର୍ତରେ ଲୟ ଓ ତାଳ ଫେରି ପାଇବା ଉପରେ ଧ୍ୟାନ ଦେବା ଆମ ପାଇଁ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି। ବ୍ୟାଟିଂ, ବୋଲିଂ ଏବଂ କ୍ଷେତ୍ରରକ୍ଷଣ ଆମକୁ ଏବେ ସବୁ କ୍ଷେତ୍ରରେ ଉନ୍ନତି ଆଣିବାକୁ ହେବ। ଏହି ପ୍ରକ୍ରିୟା ସାଧାରଣତଃ ପ୍ରଶିକ୍ଷଣରୁ ଆରମ୍ଭ ହୋଇ ମ୍ୟାଚ୍‌ରେ ଶେଷ ହୋଇଥାଏ।

ଲଗାତାର ବିଫଳତା ପାଇଁ କ୍ରିକେଟ୍‌ ପଣ୍ଡିତମାନେ ଆମ ଦଳର ସନ୍ତୁଳନକୁ ନେଇ ପ୍ରଶ୍ନ କରିବା ଆରମ୍ଭ କରି ଦେଲେଣି। ଆମର ଶକ୍ତି କେବଳ ଶୀର୍ଷକ୍ରମ ବୋଲି ସେମାନେ କହିବା ଚାଲୁ କରି ଦେଲେଣି। ହେଲେ ମୁଁ ସେମାନଙ୍କ ସହ ଏକମତ ନୁହେଁ। ମୋ ମତରେ ଆମ ପାଖରେ ସବୁ ପ୍ରକାର ଖେଳାଳି ଅଛନ୍ତି। ସେଥିପାଇଁ ଆମେ ସ୍ଥିିର ପ୍ରଦର୍ଶନ ଦେବାକୁ ପୂରା ସକ୍ଷମ। ଚାପରେ ଥିଲା ବେଳେ ପରସ୍ପରକୁ ସନ୍ଦେହରେ ଦେଖିବା ଏବଂ ମନେ ମନେ ଆତଙ୍କିତ ହେବା ଏକ ସାଧାରଣ ଘଟଣା। ତଥାପି ଡାନିଏଲ୍‌ ଭିଟୋରିଙ୍କ ଭଳି ଦକ୍ଷ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ଆମେ ଖୁବଶୀଘ୍ର ବିଜୟ ଧାରାକୁ ଫେରିବୁ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ରହିଛି। ଆସନ୍ତା ଚାରିଟି ମ୍ୟାଚ୍‌ ଆମେ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ ଖେଳିବୁ। ସେଥିପାଇଁ ଆସନ୍ତା ୧୦ ଦିନରେ ଆମକୁ ଧାରା ବଦଳାଇବାର ପର୍ଯ୍ୟାପ୍ତ ସୁଯୋଗ ମିଳିବ। ଉମେଶ ଯାଦବ ମ୍ୟାଚ୍‌ର ପ୍ରଥମ ଦୁଇ ବଲ୍‌ରେ ଦୁଇଟି ଓ୍ଵିକେଟ୍‌ ନେବା ସତ୍ତ୍ୱେ ରବିବାର ଆମେ ମୁମ୍ବାଇଠାରୁ ହାରିଯିବା ବ୍ୟକ୍ତିଗତ ଭାବେ ମୋତେ ବହୁତ ନିରାଶ କରିଥିଲା। ରୋହିତ ଶର୍ମା ସେଦିନ ଏକ ଅସାଧାରଣ ପାଳି ଖେଳିଲେ। ମୁମ୍ବାଇ ପାଳିକୁ ସେ ଏକାକି ୨୧୩ ରନ୍‌ରେ ପହଞ୍ଚାଇ ଦେଇଥିଲେ। ମାତ୍ରାଧିକ ଆଦ୍ରତା ପାଇଁ ଆମେ ଶାରୀରିକ ଏବଂ ମାନସିକ ଭାବେ ଦୁର୍ବଳ ହୋଇ ଯାଇଥିଲୁ ଏବଂ ଏହାର ପ୍ରଭାବ ଆମ ବ୍ୟାଟିଂ ଉପରେ ପଡ଼ିଥିଲା। ପ୍ରତିକୂଳ ପରିସ୍ଥିତିରେ ଅବଶ୍ୟ ଆମ ଅଧିନାୟକ ବିରାଟ କୋହଲି ଜବରଦସ୍ତ ବ୍ୟାଟିଂ କରିଥିଲେ। ଶନିବାର ଆମେ ଆମ ପରବର୍ତୀ ମ୍ୟାଚ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ଭେଟିବୁ। ଏହା ଆଉ ଏକ କଠିନ ପରୀକ୍ଷା ହେବ। ହେଲେ ମୌଳିକତା ଉପରେ ଧ୍ୟାନ ଦେଇ ପାରିଲେ ଆମେ ଆମ ସମର୍ଥକଙ୍କୁ ଖୁସି କରି ପାରିବୁ । ମୋ ମତରେ ସେମାନେ ସଂପ୍ରତି ଏକ ବିଜୟ ଉପହାର ପାଇବାକୁ ପୂରା ହକ୍‌ଦାର। (ଟିସିଏମ୍‌)

ସମ୍ବନ୍ଧିତ ଖବର