ନୂଆଦିଲ୍ଲୀ: ଦେଶରେ ଘଟୁଥିବା ବିଭିନ୍ନ ପ୍ରକାର ବିପର୍ଯ୍ୟୟର ଆକଳନ କରି ତାହାକୁ ଏକ ଡାଟାବେସ୍ ରଖିବାକୁ ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର। ଏଥିରେ ସ୍ଥାନୀୟ ସୂତ୍ରରୁ ସଂଗ୍ରହ କରାଯାଇଥିବା ବିପର୍ଯ୍ୟୟର ଆକଳନ ଅପ୍ଲୋଡ୍ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ୟୁନିକ୍ ଡାଟାବେସ୍ ଦେଶବ୍ୟାପୀ ବିପର୍ଯ୍ୟୟ ଯୋଗୁଁ ଘଟୁଥିବା ସମ୍ପତ୍ତି ଏବଂ ଜୀବନହାନି ସଂକ୍ରାନ୍ତ ତଥ୍ୟ ଯୋଗାଡ଼ କରିବ। ଏଥିପାଇଁ ରାଜ୍ୟ ସରକାର ସବୁ ବାଧ୍ୟତାମୂଳକ ଭାବେ ଉକ୍ତ ଡାଟାବେସ୍ ପ୍ଲାଟ୍ଫର୍ମରେ ନିଜ ରାଜ୍ୟରେ ଘଟୁଥିବା ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ତଥ୍ୟ ରିପୋର୍ଟ କରିବା ସହ ତାହାକୁ ଫିଡ୍ କରିବେ। ଭବିଷ୍ୟତରେ ଏଥିରୁ ତଥ୍ୟ ନେଇ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ବା ଅଞ୍ଚଳର ବିପର୍ଯ୍ୟୟ ପରିଚାଳନା ପାଇଁ ଯୋଜନା ପ୍ରସ୍ତୁତ କରିବେ।
ଏହି ଡାଟାବେସ୍ ନ ଥିବାରୁ ଭାରତ ମନୁଷ୍ୟକୃତ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଜନିତ ତଥ୍ୟ ପାଇବା ପାଇଁ ବିଶ୍ୱସ୍ତରୀୟ ଆକଳନ ଉପରେ ନିର୍ଭର କରୁଛି। ୨୦୦୫ ରୁ ୨୦୧୪ ଦୀର୍ଘ ୧୦ ବର୍ଷ ମଧ୍ୟରେ ଭାରତରେ ଅନ୍ୟୂନ ୧୬୭ଟି ବିପର୍ଯ୍ୟୟ ଘଟି ୪୭ ବିଲିୟନ୍ ଡଲାର୍ ଅଧିକ କ୍ଷୟକ୍ଷତି ହୋଇଛି। ଅର୍ଥାତ୍ ବିଶ୍ୱର ୪ଟି ସର୍ବାଧିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଘଟିଥିବା ରାଷ୍ଟ୍ର ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।
ୟୁଏନ୍ ଡିଜାଷ୍ଟର୍ ରିସ୍କ୍ ରିଡକ୍ସନ୍, ୟୁଏନ୍ଡିପି ଏବଂ ୟୁନିସେଫ୍ ସହାୟତାରେ ଜାତୀୟ ବିପର୍ଯ୍ୟୟ ଡାଟାବେସ୍ ସମ୍ବନ୍ଧରେ ରାଜଧାନୀରେ ପ୍ରଥମ କର୍ମଶାଳା ମେ ୨ ତାରିଖରେ କରାଇବାକୁ ଯାଉଛି ନେସ୍ନାଲ୍ ଡିଜାଷ୍ଟର୍ ମ୍ୟାନେଜ୍ମେଣ୍ଟ୍ ଅଥରିଟି। ଏଥିରେ ସମସ୍ତ ରାଜ୍ୟ, କେନ୍ଦ୍ର ମନ୍ତ୍ରୀ ଏବଂ ବିଭାଗ ଅଂଶଗ୍ରହଣ କରିବେ।
ଏହି ଦୁଇ ଦିବସୀୟ କର୍ମଶାଳାରେ ଭାରତ ସମ୍ମୁଖୀନ ହେଉଥିବା ୩୦ରୁ ଊର୍ଦ୍ଧ୍ୱ ଭିନ୍ନ ଭିନ୍ନ ବିପତ୍ତି ସଂକ୍ରାନ୍ତରେ ପ୍ରସ୍ତୁତ ହୋଇଥିବା କାଗଜପତ୍ର ଉତ୍ଥାପନ କରାଯିବ।