ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦେଶକୁ ବାବୁମାନେ କିଭଳି ପାଳନ କରୁଛନ୍ତି, ତାହା ଆଜି ଦେଖିବାକୁ ମିଳିଛି। ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଓ ସମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ରବିବାର ଛୁଟି ବାତିଲ୍ କରିବା ସହ ସବୁ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ଶନିବାର ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ହେଲେ ସରକାରୀ ବାବୁମାନେ ଏହାକୁ ବାଏଁ ବାଏ ଁଉଡ଼ାଇ ଦେଇଛନ୍ତି। ‘ସମ୍ବାଦ’ ପକ୍ଷରୁ ଆଜି ରାଜଧାନୀରେ ଥିବା ପ୍ରମୁଖ ସରକାରୀ କାର୍ଯ୍ୟାଳୟ ସ୍ଥିତି ଅନୁଧ୍ୟାନ ସମୟରେ ସବୁଠି ଅଫିସରଙ୍କ ମରୁଡ଼ି ଦେଖିବାକୁ ମିଳିଥିଲା। କେଉଁଠି ପିଅନ୍ ଅଫିସ ସମ୍ଭାଳୁଥିଲେ ତ ଆଉ କେଉଁଠି ବାବୁ ଫିଲଡ୍ରେ ଅଛନ୍ତି ବୋଲି ତଳିଆ କର୍ମଚାରୀ କହିଥିଲେ। ଏପରିକି ବହୁ ବିଭାଗରେ ତାଲା ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ୧୨ରୁ ଦୁଇଟି ଟିମ୍ ଆରମ୍ଭ କରିଥିଲା ଅନୁସନ୍ଧାନ। ପ୍ରଥମେ ଯାଇ ପହଞ୍ଚିଥିଲୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟରେ। ସେଠାରେ କେହି ବି ନ ଥିଲେ। କେବଳ ଜଣେ ଆକାଉଣ୍ଟାଣ୍ଟ କାର୍ଯ୍ୟାଳୟ ସମ୍ଭାଳୁଥିଲେ। ଜଣେ ପିଅନ ବାହାରେ ଜଗିଥିଲେ। ଆମକୁ ଦେଖି ପଚାରି ଉଠିଲେ କେଉଁଠିକୁ ଆସିଛ, କାହିଁକି ଆସିଛ? ‘ସମ୍ବାଦ’ରୁ ଆସିଛୁ ବୋଲି କହିବାରୁ ଫଟାଫଟ୍ ଉତ୍ତର ଦେଇଥିଲେ କେହି ଅଧିକାରୀ ନାହାନ୍ତି। ସମସ୍ତେ ୧୦ଟାରେ ଆସିଥିଲେ। ଏବେ ପୁରୀ ଚାଲି ଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ପହଞ୍ଚିଥିଲୁ ନ’ ତାଲାରେ। ଏଠାରେ ସ୍ୱାସ୍ଥ୍ୟ ନିର୍ଦେଶାଳୟ, ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା, ଉଚ୍ଚଶିକ୍ଷା ପରି ପ୍ରମୁଖ ବିଭାଗର ନିର୍ଦେଶାଳୟ ରହିଛି। ୫ମ ତାଲାରେ ଥିବା ଉଚ୍ଚଶିକ୍ଷା ନିର୍ଦେଶାଳୟରେ ପହଞ୍ଚିଲା ବେଳକୁ ତାଲା ପଡ଼ିଥିଲା। ମୁଖ୍ୟ ଫାଟକରେ ତାଲା ପଡ଼ିଥିଲା। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଖୋଲା ରହିଥିଲେ ମଧ୍ୟ କାର୍ଯ୍ୟାଳୟରେ କେହି ନ ଥିଲେ। ସବୁ ଚେୟାର ଫାଙ୍କା। ବାବୁଙ୍କ କାର୍ଯ୍ୟାଳୟରେ ତ ବଡ଼ ତାଲାଟିଏ ଝୁଲୁଥିଲା। ଜଣେ କର୍ମଚାରୀ ହଠାତ୍ ବାହାରି ଆସିଲେ। ତାଙ୍କୁ ପଚାରିବାରୁ ସେ କହିଲେ ଯେ ଆଜି ବ୍ଲକସ୍ତରରେ ଅଦାଲତ ଚାଲିଛି। ତେଣୁ ସମସ୍ତେ ସେଠାକୁ ଚାଲିଯାଇଛନ୍ତି। ଅପରାହ୍ଣ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ‘ନ ତାଲା’ର ଅନ୍ୟ ବିଭାଗଗୁଡ଼ିକ ଖୋଲା ରହିଥିଲେ ମଧ୍ୟ କେଉଁଠି ବି ୧୦ ଜଣରୁ ଅଧିକ କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା। ଅପରାହ୍ଣ ୩ଟା ବେଳକୁ କିନ୍ତୁ ‘ନ ତାଲା’ର ରୂପ ବଦଳି ଯାଇଥିଲା। ବର୍ଷା, ବନ୍ୟା ସମୟରେ ପ୍ରମୁଖ ଭୂମିକା ତୁଲାଉଥିବା ସ୍ୱାସ୍ଥ୍ୟସେବା ନିର୍ଦେଶାଳୟରେ ତାଲା ପଡ଼ି ଯାଇଥିଲା। ତଳ ମହଲାରେ ଥିବା ମୃତ୍ତିକା ସଂରକ୍ଷଣ ନିର୍ଦେଶାଳୟରେ ବି ସମାନ ଦୃଶ୍ୟ ଦେଖିବାକୁ ପାଇଥିଲୁ। ପରିବାର କଲ୍ୟାଣ ନିର୍ଦେଶାଳୟରେ ପୂର୍ବାହ୍ନରେ ୧୦ରୁ ୧୫ ଜଣଙ୍କୁ ଦେଖିବାକୁ ମିଳିଥିବା ବେଳେ ଅପରାହ୍ନରେ କେବଳ ଫାଟକ ଖୋଲା ରହିଥିଲା। ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା ପର୍ଯ୍ୟଟନ ଭବନରେ। ପୂର୍ବାହ୍ନରେ ଯିବା ସମୟରେ ଦୁଇଜଣ ବ୍ୟକ୍ତି ବୁଲୁଥିଲେ। ସେମାନେ ପରିଚୟ ଦେଇ ନ ଥିଲେ। ଅଫିସ୍ ଖୋଲା ଅଛି କି ନାହିଁ ପଚାରିବାରୁ ଉତ୍ତର ମିଳିଥିଲା ଆଜି ରବିବାର ପରା। ଆମେ କହିଲୁ ଛୁଟି ବାତିଲ୍ ହୋଇଛି ପରା। ସେ କହିଥିଲେ ଖୋଲା ରଖିବା ନେଇ କିଛି ତ ଖବର ଆସିନି। ତେଣୁ ସବୁ ଛୁଟି ଦିନ ପରି ଆଜି ବି କାର୍ଯ୍ୟାଳୟ ବନ୍ଦ ରହିଛି। କାଲି ଆସ। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ପୁଣି ପହଞ୍ଚିଲା ବେଳକୁ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ଝୁଲୁଥିଲା। ସଂସ୍କୃତି ଭବନ କାର୍ଯ୍ୟାଳୟ ଖୋଲା ରହିଥିଲେ ମଧ୍ୟ ବାବୁ କି କର୍ମଚାରୀ କେହି ନ ଥିଲେ। ଓପେପା, ଭୂତଳ ଜଳ ଉନ୍ନୟନ(ଯାନ୍ତ୍ରିକ) ଖଣ୍ଡ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଫାଟକରେ ତାଲା ଝୁଲୁଥିଲା। ଜଙ୍ଗଲ ଓ ପରିବେଶ ବିଭାଗରେ ଥିବା ପିସିସିଏଫ୍ଙ୍କ କାର୍ଯ୍ୟାଳୟ (ଅରଣ୍ୟ ଭବନ)ରେ କର୍ମଚାରୀ ଉପସ୍ଥିତ ଥିଲେ।
ଭୁବନେଶ୍ୱର ବ୍ଲକରେ କିନ୍ତୁ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ସବୁଠି ଚଉକି ଫାଙ୍କା। ୪ର୍ଥ ଶ୍ରେଣୀ କର୍ମଚାରୀ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମିଶାଇ ମାତ୍ର ୬ ଜଣଙ୍କୁ ଦେଖିବାକୁ ମିଳିଥିଲା। ପଚାରିବାରୁ ଉତ୍ତର ମିଳିଥିଲା ବାବୁ ଏବେ ଫିଲ୍ଡରେ। ସ୍ଥିତି ଯାଞ୍ଚ କରିବାକୁ ଯାଇଛନ୍ତି। କର୍ମଚାରୀ ଜଣକ ଏକ ତାଲିକା ମଧ୍ୟ ଦେଖାଇଲେ। ଯେଉଁଥିରେ କେଉଁ ଅଧିକାରୀଙ୍କୁ କେଉଁ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି ତାହା ଉଲ୍ଲେଖ ଥିଲା। ଜିପି(ଗ୍ରାମ ପଞ୍ଚାୟତ) ଲେବୁଲ୍ରେ ଲୋକଙ୍କୁ ସହାୟତା ଦିଆଯାଉଛି। ସେଠାରେ ଅଧିକାରୀ ସଜାଗ ରହିଛନ୍ତି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) କାର୍ଯ୍ୟାଳୟ ଟିକିଏ ଚଳପ୍ରଚଳ ରହିଥିଲା। ଲୋକେ ଯିବା ଆସିବା କରୁଥିଲେ। ଅଭିଯୋଗର ଶୁଣାଣି ଚାଲିଥିଲା। ଲୋକଙ୍କୁ ତୁରନ୍ତ ଆଶ୍ରୟ ସ୍ଥଳକୁ ନିଆଯାଉଥିଲା। କିଛି ବାବୁଙ୍କ କାର୍ଯ୍ୟାଳୟ ଖୋଲାଥିଲେ ମଧ୍ୟ ବାବୁ ନ ଥିଲେ। କିନ୍ତୁ ପିଅନମାନେ ଫାଟକରେ ଜଗି ରହିଥିଲେ। ପଚାରିବାକୁ ସେମାନେ ଉତ୍ତର ଦେଉଥିଲେ ବାବୁ ଫିଲ୍ଡରେ ଅଛନ୍ତି। ଆମ ବାଲିପାଟଣା ପ୍ରତିନିଧିଙ୍କ ସୂଚନାନୁଯାୟୀ, ସ୍ଥାନୀୟ ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ ବି ଆଜି ତାଲା ପଡ଼ିଥିଲା।