ଝୁମ୍ପୁରା : ଝୁମ୍ପୁରା ହାଟରେ ଗତକାଲିର ଲୁଟ୍ ଘଟଣାରେ ଝୁମ୍ପୁରା ଥାନା ପୁଲିସ ଆଜି ଜଣେ ମହିଳା ସାବିତ୍ରୀ ପ୍ରଧାନ (୪୦)କୁ ଗିରଫ କରିଛି। ମହିଳାଙ୍କ ଘର ଯଖପୁରା ଥାନା ଅଞ୍ଚଳରେ। ସେ ଏ ଅଞ୍ଚଳରେ ଗଁା ଗଁାରେ ବୁଲି ନୂଆ ଲୁଗା ବିକ୍ରି କରି ଲୋକମାନଙ୍କୁ ନିରୀକ୍ଷଣ କରିଥାଏ। ସୁଯୋଗ ଦେଖି ଲୁଟ୍ କରିଥାଏ। ମହିଳାଙ୍କ ସହିତ ସୁନୀଲ ନାୟକ ମିଶି ଲୁଟ୍ କରୁଥିଲେ। ଗତକାଲି ଝୁମ୍ପୁରା ହାଟରେ ସୁନୀଲ ୧୦ ହଜାର ଟଙ୍କା ଝାମ୍ପିନେଇ ସାବିତ୍ରୀଙ୍କୁ ଦେଇଥିଲା। ସୁନୀଲ ନିର୍ଘାତ ମାଡ଼ ଖାଇ ଗିରଫ ହେବା ଦେଖି ମହିଳାଜଣକ ଖସିଯାଇଥିଲା। ମହିଳାଙ୍କର ୮ ବର୍ଷର ଏକ ପୁଅ ଥିଲାବେଳେ ତାକୁ ହୋଟେଲରେ ବସାଇ ଦେଇଥିଲା। ମାଡ଼ ଭୟରେ ଚମ୍ପଟ ମାରିବା ବେଳେ ପୁଅକୁ ନେବାକୁ ଭୁଲିଯାଇଥିଲା। ନାବାଳକକୁ ପୁଲିସ ଉଦ୍ଧାର କରି ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରିଥିଲା। ଆଜି ସାବିତ୍ରୀ ପୁଅ ନିଖୋଜ ଥିବା ନେଇ ଝୁମ୍ପୁରା ଥାନାରେ ଅଭିଯୋଗ କରିବାକୁ ଆସିଥିଲା। ଏହି ସମୟରେ ପୁଲିସ ପଚରାଉଚରା କରିବାରୁ ସେ ଗତକାଲିର ଲୁଟ୍ରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ସାବିତ୍ରୀକୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।