ଭୁବନେଶ୍ବର: ସସ୍ପେନ୍ସ ସାଙ୍ଗକୁ ହରର ଆକ୍ସନ୍ ଥ୍ରିଲର, ପୁଣି ରହସ୍ୟ। ସବୁର ସମାହାର ନେଇ ଆସନ୍ତାକାଲି ପରଦାକୁ ଆସିବ ୫ନୂଆ ଚଳଚ୍ଚିତ୍ର। ଅବ୍ତାର ଫେମ୍ ଜେମ୍ସ କାମେରୁନ୍ଙ୍କ ପ୍ରଯୋଜିତ ଏବଂ ରବର୍ଟ ରୋଡ୍ରିଗ୍ବେଜ୍ଙ୍କ ନିର୍ଦେଶିତ ‘ଅଲିତା: ବ୍ୟାଟେଲ୍ ଆଞ୍ଜେଲ୍’ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ବେସାହାରା ହୋଇ ପଡ଼ିଥିବା ଜଣେ ଝିଅ କିଭଳି ନିଜର ଅସ୍ତିତ୍ବ ଏବଂ ଦୁନିଆ ବିଷୟରେ ସବୁକିଛି ସ୍ମରଣଶକ୍ତି ହରାଇ ନୂଆ ରାସ୍ତା ଆପଣେଇଛି, ଏହି ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଅଲିତା। ଏଥିରେ ରୋସା ସାଲାଜାର, ଖ୍ରିଷ୍ଟୋଫ୍ ୱାଲ୍ଜ, ଜେନିଫର କୋନେଲି, ମାରେସାଲା ଅଲ୍ଲୀ, ଜାକି ହାଲି, କିନ୍ ଜନ୍ସନ୍ ପ୍ରମୁଖ ଅଭିନୟ କରିଛନ୍ତି। ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ପରଦାକୁ ଆସିବ ‘ପ୍ରେମ ପାଇଁ ମହାଭାରତ’। ସମ୍ବିତ ଓ ରିୟାଙ୍କ ସମେତ ପିଣ୍ଟୁ ନନ୍ଦ, ଶ୍ରୀତମ, ପୁପିନ୍ଦର, ସମରେଶଙ୍କୁ ଏହି ଚଳଚ୍ଚିତ୍ରରେ ଏକାଠି ଦେଖିବାକୁ ମିଳିବ। ନିରଂଜନ ବେହେରା ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଏଥିସହିତ ପରଦାକୁ ଆସୁଛି ଭୂଷଣ ପଟେଲ୍ଙ୍କ ହରର ଆକ୍ସନ୍ ଥ୍ରିଲର ‘ଅମାବାସ୍’। ଏକ ବଙ୍ଗଳାରେ ଦୁହେଁ ରହିବା ଭିତରେ ରାତିଟି କିଭଳି ତାଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଯାଇଛି ଏହାକୁ ନେଇ ସିନେମା ଭେଟି ଦେଇଛନ୍ତି ପ୍ରଯୋଜକ ରାଇନା ଯୋଶୀ ଓ ଦିପେନ୍ ଅମିନ୍। ସଚ୍ଚିନ ଯୋଶୀ, ନର୍ଗିସ୍ ଫଖ୍ରି, ମୋନା ସିଂହ, ଭିଭାନ୍ ଭାଟେନା ପ୍ରମୁଖ ଅଭିନୟ କରିଛନ୍ତି। ସେହିଭଳି ଫର୍ହାନ ଅଖ୍ତରଙ୍କ ଅଭିନୀତ ‘ଦି ଫକିର୍ ଅଫ୍ ଭେନିସ୍’ ପରଦାକୁ ଆସିବ। ଯୋଗାଡ଼ିଆ ଭାବେ ଜଣାଶୁଣା କାହାଣୀର ମୁଖ୍ୟ ଚରିତ୍ର ବାଲି ଭିତରେ ନିଜକୁ ପୋତି ରହି ପାରୁଥିବା ଜଣେ ଫକିରଙ୍କୁ ଅନ୍ବେଷଣ କରିବା କାହାଣୀକୁ ନିଆରା ଢଙ୍ଗରେ ଉପସ୍ଥାପିତ କରାଯାଇଛି। ଆନନ୍ଦ ସୁରାପୁରଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଫର୍ହାନ୍ଙ୍କ ସମେତ ଅନୁ କପୁର, କମଲ ସିଦ୍ଧୁ, ଭାଲେଣ୍ଟିନା ପ୍ରମୁଖ ଅଭିନୟ କରିଛନ୍ତି। ଏଥିସହ ପରଦାକୁ ଆସୁଛି ସସ୍ପେନ୍ସ ଭରା ‘ଏଣ୍ଡ୍ କାଉଣ୍ଟର୍’। ଆଲୋକ ଶ୍ରୀବାସ୍ତବଙ୍କ ନିର୍ଦେଶିତ ଓ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ପ୍ରଶାନ୍ତ ନାରାୟଣ, ଅଭିମନ୍ୟୁ ସିଂହ, ଅନୁପମ ଶ୍ୟାମ, ବ୍ରଜେଶ ହିର୍ଜି, ମୃଣ୍ମୟୀ କୋଲ୍ୱାଲ୍କର ପ୍ରମୁଖଙ୍କ ଅଭିନୟ ଦେଖିବାକୁ ମିଳିବ।