ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଅଭାବନୀୟ ଘଟଣା ଘଟିଛି। କୋଲାବ ଜଳଭଣ୍ଡାରରେ ବୁଡି ୪ଜଣ ବାଳକ, ବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକମାନେ କୁମ୍ଭାରଗନ୍ଧଣା ପଞ୍ଚାୟତର ପରଜାଖୁଡୁବିି ଗାଁର ପଦୁ ଭୋଇଙ୍କ ପୁଅ ସୁଶାନ୍ତ ଭୋଇ (୨) ଓ ଝିଅ ଲକ୍ଷ୍ମୀ ଭୋଇ(୯), ଭୋଲୁ ମାଝୀଙ୍କ ଝିଅ ସବିତା ମାଝୀ (୮), ଚୈତନ୍ୟ ଭୋଇଙ୍କ ପୁଅ ସଂଜୟ ଭୋଇ ବୋଲି ଜଣାପଡିଛି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଘଟଣା ସଂପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ସକାଳେ ବାପା, ମା’ଙ୍କ ସହ ଜମିରେ କାମ କରିବାକୁ ପିଲାମାନେ ଯାଇଥିଲେ। ଅପରାହ୍ନରେ କାମ ସରିବା ପରେ ଜମି ନିକଟସ୍ଥ କୋଲାବ ଜଳଭଣ୍ଡାରକୁ ଯାଇଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଗଭୀର ଜଳରେ ସୁଶାନ୍ତ ପ୍ରଥମେ ବୁଡି ଯାଇଥିଲେ। ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ଲକ୍ଷ୍ମୀ ମଧ୍ୟ ବୁଡି ଯାଇଥିଲା। ଦୁହିଁଙ୍କୁ ଉଦ୍ଧାର କରିବାକୁ ଯାଇ ଆଗପଛ ହୋଇ ସବିତା ଓ ସଂଜୟ ମଧ୍ୟ ବୁଡି ଯାଇଥିଲେ। ଗାଁ ଲୋକ ଘଟଣା ସଂପର୍କରେ ଜାଣିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାର କରି ନଦୀ କୂଳକୁ ଆଣିବା ପରେ ୪ଜଣ ଯାକ ମୃତ୍ୟୁବରଣ କରିଥିବା ଜଣାପଡିଥିଲା। ସଂଧ୍ୟାରେ ଶବ ଗାଁକୁ ନିଆଯାଇଥିଲା। ଏହି ଖବର ପାଇ ଏଏନଏମ ଫୁଲମତି ରନ୍ଧାରୀ ଗାଁକୁ ଯାଇଥିଲେ। ଘଟଣା ସଂପର୍କରେ ସେ ସ୍ୱାସ୍ଥ୍ୟ ବିଭାଗକୁ ପ୍ରାଥମିକ ସୂଚନା ଦେଇଥିବା ଜଣାପଡିଛି। ଘଟଣା ସଂପର୍କରେ କୌଣସି ସୂଚନା ନଥିବା ନେଇ ସ୍ଥାନୀୟ ପୁଲିସ ପ୍ରକାଶ କରିଛି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।