ଓଡ଼ିଶାରେ ଲୁଟୁଛନ୍ତି ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର୍ : ୧୦ କୋଟିରୁ ଅଧିକ ଟଙ୍କା ଲୁଟି ପାର୍
କ୍ରାଇମ୍ବ୍ରାଞ୍ଚକୁ ଘାରିଛି ଜନ୍ ସ୍କୋଟନ୍ ଚିନ୍ତା
କଟକ : କଳା କାଗଜକୁ ଡଲାର୍ରେ ପରିବର୍ତ୍ତନ କରୁଛି ଲିକ୍ୟୁଇଡ୍। କେତେବେଳେ ଲଟେରିର ଲୋଭ ଆଉ କେତେବେଳେ ବ୍ୟବସାୟ କରିବାର ପ୍ରଲୋଭନ ଦେଖାଇ ଲିକ୍ୟୁଇଡ୍ ଗ୍ୟାଙ୍ଗ୍ ଠକି ନେଉଛି କୋଟି କୋଟି ଟଙ୍କା। ବାରିପଦାର ଜଣେ ଠିକାଦାର ଏଭଳି ୮୭ ଲକ୍ଷ ଠକେଇର ଶିକାର ହେବାପରେ ତନାଘନା କରିଛି କ୍ରାଇମ୍ବ୍ରାଞ୍ଚ। ଏହି ଗ୍ୟାଙ୍ଗ୍ର ଦୁଇଜଣଙ୍କୁ ଗିରଫ କରିବା ପରେ ଓଡ଼ିଶାରୁ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଏହି ଢଙ୍ଗରେ ଗ୍ୟାଙ୍ଗ୍ ଠକିଥିବା କ୍ରାଇମ୍ବ୍ରାଞ୍ଚ ଜାଣି ପାରିଛି। ତନାଘନା ପରେ ବିଦେଶୀ ଠକଙ୍କୁ ଚିହ୍ନଟ କରିଛି। ଗ୍ୟାଙ୍ଗ୍କୁ ସୁଇଜର୍ଲ୍ୟାଣ୍ତର ଜନ୍ ସ୍କୋଟନ୍ ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି। ଜନ୍କୁ ମିଶାଇ ମୋଟ ୧୧ ଜଣ ଏଭଳି କାରବାରରେ ସମ୍ପୃକ୍ତ ଅଛନ୍ତି। କ୍ରାଇମ୍ବ୍ରାଞ୍ଚ ଏହି ଠକଙ୍କ ସ୍କେଚ୍ ଜାରି କରିଛି। ଦିଲ୍ଲୀ ଚାଣକ୍ୟପୁର ଅଞ୍ଚଳରେ ଜନ୍ର ଗ୍ୟାଙ୍ଗ୍ ଆଡ୍ଡା ଜମାଇଥିବା ଖବର ପାଇବା ପରେ ଓଡ଼ିଶା କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଉଛି। ଏମାନେ ଧରାପଡ଼ିବା ପରେ ଏକ ବଡ଼ ଠକେଇର ରହସ୍ୟ ଉନ୍ମୋଚନ ହେବ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ୨୦୧୮ ଡିସେମ୍ବର ୨୨ ତାରିଖରେ ଲିକୁଇଡ୍ ଗ୍ୟାଙ୍ଗ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚରେ ଏତଲା ହୋଇଥିଲା। ବାରିପଦା ମଧୁବନ ଅଞ୍ଚଳର ଠିକାଦାର ତପନ କୁମାର ଦାସ ଏହି ଗ୍ୟାଙ୍ଗ୍ ଜାଲରେ ପଡ଼ିଥିଲେ। ତାଙ୍କ ନିକଟରୁ ୮୭ ଲକ୍ଷ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଥିଲା। ସେପ୍ଟେମ୍ବରରେ ସୁଇଜର୍ଲ୍ୟାଣ୍ତର ରିଅଲ ଇଷ୍ଟେଟ୍ ବ୍ୟବସାୟୀ ପରିଚୟରେ ଖ୍ରୀଷ୍ଟି ଡସନ୍ ନାମରେ ଜଣେ ଅଜଣା ମହିଳା ତାଙ୍କ ସହିତ ଫେସ୍ବୁକ୍ରେ ବନ୍ଧୁତା ଯୋଡ଼ିଥିଲେ। ଭାରତରେ ଏହି ବ୍ୟବସାୟ କରିବାକୁ ଆଗ୍ରହୀ ଥିବା ତପନଙ୍କୁ ନିଜ ଜାଲରେ ଫସାଇଥିଲେ। ସେପ୍ଟେମ୍ବର ୨୬ ତାରିଖରେ ଖ୍ରୀଷ୍ଟି ଭାରତ ଆସି ବ୍ୟବସାୟ ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିବାକୁ କଥାବାର୍ତ୍ତା କରିଥିଲା। ୨୮ ତାରିଖରେ ଦିଲ୍ଲୀ ବିମାନବନ୍ଦରରେ କଷ୍ଟମ୍ ଅଫିସରୁ ତପନଙ୍କୁ ଜଣେ ମହିଳା ଫୋନ୍ କରି ବିମାନବନ୍ଦରରେ ଖ୍ରୀଷ୍ଟି ୩ ଲକ୍ଷ ପାଉଣ୍ତ ସହିତ ଅଟକ ଥିବା କହିଥିଲେ। ଟଙ୍କା ଜମା କଲେ ସେ ମୁକୁଳିବେ ବୋଲି କହିବାରୁ ପ୍ରଥମ ପର୍ଯ୍ୟାୟରେ ତପନ ୫୬ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଠାଇଥିଲେ। ଧାର ଟଙ୍କା ଫେରସ୍ତ ପାଇଁ ସୁଇଜର୍ଲ୍ୟାଣ୍ତର ଏଜେଣ୍ଟ ପରିଚୟରେ ଜନ୍ ସ୍କୋଟନ୍ ଭୁବନେଶ୍ବର ବାପୁଜୀନଗରରେ ଥିବା ଏକ ହୋଟେଲ୍କୁ ଆସିଥିଲେ। ବାକ୍ସରେ ଆଣିଥିବା କଳା ରଙ୍ଗର କାଗଜରେ ଲିକ୍ୟୁଇଡ୍ ଢାଳି ତାହାକୁ ଡଲାର୍ରେ ପରିବର୍ତ୍ତନ କରିଥିଲେ। ଏଭଳି ପ୍ରକ୍ରିୟାରେ ବିପୁଳ ଆୟର ପ୍ରଲୋଭନ ଦେଖାଇଥିଲେ। କିନ୍ତୁ ଲିକ୍ୟୁଇଡ୍ ସରିଯାଇଥିବା ଆଳ କରି ଦିଲ୍ଲୀରୁ ଆଣିବାକୁ ପଡିବ କହି ସେ ଫେରି ଯାଇଥିଲେ। ଦିଲ୍ଲୀରେ ପହଞ୍ଚି ଲିକ୍ୟୁଇଡ୍ ବାବଦ ୩୧ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପଠାଇବାକୁ କହିବାରୁ ତପନ ଦ୍ବିତୀୟ ପର୍ଯ୍ୟାୟରେ ଏହି ଟଙ୍କା ପଠାଇଥିଲେ। ଏଭଳି ଠକେଇ କରି ମୋଟ ୮୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ ସ୍କୋଟନ।
କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ ହେବା ପରେ ତନାଘନା ହୋଇଥିଲା। ଫେବ୍ରୁଆରି ୧ ତାରିଖରେ ଦିଲ୍ଲୀରୁ ଜନ୍ର ଦୁଇ ସହଯୋଗୀ ବିନୋଦ କୁମାର ସି˚ହ ଏବ˚ ସଞ୍ଜିବ କୁମାରଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ଓ ନଭେମ୍ବର ମାସରେ ମଧ୍ୟ ସମାନ ଧରଣର ପ୍ରାୟ ୫ଟି ଠକେଇରେ ଜନ୍ ସ୍କୋଟନ୍ର ସମ୍ପୃକ୍ତି ରହିଥିବା କ୍ରାଇମ୍ବ୍ରାଞ୍ଚ ତଦନ୍ତ ବେଳେ ଜାଣି ପାରିଥିଲା। ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ତ, ଛତିଶଗଡ଼, ପଶ୍ଚିମବଙ୍ଗ ଏବ˚ ଅରୁଣାଚଳ ପ୍ରଦେଶରେ ମଧ୍ୟ ଏଭଳି ଢ˚ଗରେ ଠକେଇ ହୋଇଛି। କ୍ରାଇମ୍ବ୍ରାଞ୍ଚ ଏବେ ୧୧ ଜଣିଆ ତାଲିକା ପ୍ରସ୍ତୁତ କରିବା ସହ ସ୍କେଚ୍ ଜାରି କରିଛି।