ଧାର୍ମିକ କାର୍ଯ୍ୟକ୍ରମରେ ପେଣ୍ଡାଲ ଭୁଶୁଡ଼ି ୧୪ ମୃତ, ଦଳାଚକଟା ଓ ବିଦ୍ୟୁତ୍ ଆଘାତରେ ୫୦ ଆହତ
ବାଡମେର : ରାଜସ୍ଥାନର ବାଡମେର ଜିଲ୍ଲା ଅନ୍ତର୍ଗତ ଜସୋଲ୍ ଗ୍ରାମରେ ଆଜି ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପେଣ୍ଡାଲ ଭୁଶୁଡ଼ି ପଡ଼ିବାରୁ ଅତି କମ୍ରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ନାହଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଝଡ଼ ତୋଫାନ ଯୋଗୁଁ ପେଣ୍ଡାଲ ଭାଙ୍ଗି ପଡ଼ିଥିବା ବେଳେ ଏହାର ତିଆରିରେ ମଧ୍ୟ ବ୍ୟାପକ ତ୍ରୁଟି ଥିଲା ବୋଲି ଜଣାପଡ଼ିଛି। ପେଣ୍ଡାଲ ଭୁଶୁଡ଼ି ପଡ଼ିବା ପରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା ଏବଂ ବିଦ୍ୟୁତ ତା’ର ଛିଣ୍ଡି ପଡ଼ିବାରୁ ଏଭଳି ଭୟଙ୍କର ସ୍ଥିତି ଉପୁଜିଲା ବୋଲି ଗ୍ରାମବାସୀମାନେ କହିଛନ୍ତି। ଏହି ଦୁର୍ଘଟଣା
ଅପରାହ୍ନ ସାଢ଼େ ୪ଟା ବେଳେ ଘଟିଛି। ଘଟଣାସ୍ଥଳରେ ୫୦୦ରୁ ଅଧିକ ଗ୍ରାମବାସୀ ସମବେତ ହୋଇ ରାମକଥା ଶୁଣୁଥିଲେ। ଏକ ସନ୍ତସନ୍ତିଆ ସ୍ଥାନରେ ପେଣ୍ଡାଲ ନିର୍ମାଣ ହୋଇଥିଲା ଏବଂ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ଦିଆଯାଇ ନଥିଲା। ଏଥିରେ ଜସୋଲ୍ ସମେତ ଆଖପାଖ ଗ୍ରାମରୁ ମଧ୍ୟ ଲୋକେ ସାମିଲ ହୋଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିବା ସହ ପୀଡ଼ିତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ସମସ୍ତ ସହାୟତା ଯୋଗାଇ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।