ବଡ଼ ଜମାକାରୀ ପ୍ରସଙ୍ଗରେ ଚିଟ୍ଫଣ୍ଡ କମିସନଙ୍କ ନୋଟିସ୍
କଟକ : ଚିଟ୍ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ବୃହତ ଜମାକାରୀଙ୍କ ପ୍ରସଂଗରେ କିଛିଦିନ ତଳେ ତଦନ୍ତ ଆରମ୍ଭ କରିଥିବାବେଳେ ଆଜି କେତେକ ଅର୍ଥ ଲଗାଣକାରୀ ସଂସ୍ଥାକୁ ନୋଟିସ୍ ଜାରି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୧୦ ହଜାର ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିଥିବା ଜମାକାରୀଙ୍କ ପ୍ରସଂଗରେ କମିସନ ବିଭିନ୍ନ କମ୍ପାନିକୁ ନୋଟିସ୍ ଜାରି କରିଛନ୍ତି। ଆଜିଠାରୁ ବୃହତ ଜମାକାରୀଙ୍କ ପ୍ରସଂଗରେ ନୋଟିସ୍ ଜାରି ଆରମ୍ଭ ହୋଇଥିବାବେଳେ ନଭେମ୍ବର ୨୫ରୁ କମିସନ୍ ଏ ସଂପର୍କିତ ତଦନ୍ତ ମାମଲାର ଶୁଣାଣି କରିବେ ବୋଲି ସୂଚନା ମିଳିଛି।
ପ୍ରଥମ ପର୍ଯ୍ୟାୟରେ ୨୦୧୩ରେ କମିସନଙ୍କ ନିକଟରେ ଦାଖଲ ସତ୍ୟପାଠ ଗୁଡିକୁ ଯାଞ୍ଚ କରାଯାଇ ବୃହତ ଜମାକରୀଙ୍କୁ ଚିହ୍ନଟ ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥତତ୍ତ୍ବ, ସିସୋର, ରୋଜଭ୍ୟାଲି ସମେତ ପ୍ରାୟ ଏକ ହଜାର ଅର୍ଥ ଲଗାଣକାରୀ ସଂସ୍ଥାକୁ କମିସନ ବୃହତ ଜମାକାରୀଙ୍କ ପ୍ରସଂଗରେ ନୋଟିସ୍ ଜାରି କରିବେ ବୋଲି ସୂଚନା ମିଳିଛି। କେତେକ ଅର୍ଥ ଲାଗାଣକାରୀ ସଂସ୍ଥାର ପଦାଧିକାରୀଙ୍କ ଠିକଣା ମିଳୁ ନ ଥିବାବେଳେ ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ କମିସନ ଚିଠି ଲେଖିବେ। କ୍ରାଇମବ୍ରାଞ୍ଚ ନିକଟରୁ ଏପରି କମ୍ପାନି ଗୁଡିକର ପଦାଧିକାରୀଙ୍କଠିକ ଠିକଣା ମିଳିବା ପରେ କମିସନ୍ ସେମାନଙ୍କୁ ବୃହତ ଜମାକରୀଙ୍କ ପ୍ରସଂଗରେ ନୋଟିସ୍ ଜାରି କରିବେ। ସେହିପରି ଭାବେ ଯେଉଁ କମ୍ପାନିର ପଦାଧିକାରୀ ଗିରଫ ହୋଇ ଜେଲ୍ରେ ଅଛନ୍ତି ସେମାନଙ୍କୁ ସଂପୃକ୍ତ ଜେଲର ଅଧୀକ୍ଷକଙ୍କ ଜରିଆରେ ନୋଟିସ୍ ପ୍ରଦାନ କରାଯିବ ବୋଲି ଜଣା ପଡିଛି।
ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୩, ଅଗଷ୍ଟ ୫ରୁ ୨୦୧୩, ଅକ୍ଟୋବର ୩୧ ତାରିଖ ସୁଦ୍ଧା ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ୮ଲକ୍ଷ ୧୭ ହଜାର ୨୫୩ଟି ଠିକ ସତ୍ୟପାଠ କମିସନଙ୍କ ନିକଟରେ ଦାଖଲ କରାଯାଇଥିଲା। ୨୦୧୩ରେ ଦାଖଲ ସତ୍ୟପାଠ ଗୁଡିକ ଯାଞ୍ଚ କରି କମିସନ୍ ସରକାରଙ୍କୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଏ ପର୍ଯ୍ୟନ୍ତ ୭ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରି ସାରିଛନ୍ତି।