ଶିକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସରକାରଙ୍କ ପ୍ରୋତ୍ସାହନ : ୬୨୪୮ ବିଦ୍ୟାଳୟ ପାଇବେ ଗରିମା ତାମ୍ର ପୁରସ୍କାର
ଡିସେମ୍ବରରେ ଦିଆଯିବ ଗରିମା ରୌପ୍ୟ ପୁରସ୍କାର, ପାଠ୍ୟସ୍ତରରେ ଉତ୍କର୍ଷ ଲାଗି ମିଳିବ ସ୍ବର୍ଣ୍ଣ ପୁରସ୍କାର
ଭୁବନେଶ୍ବର : ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୬୨୪୮ ସରକାରୀ ବିଦ୍ୟାଳୟକୁ ପ୍ରମାଣପତ୍ର ସହ ଗରିମା ତାମ୍ର ପୁରସ୍କାର ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ନୂତନ ଭାବେ ପ୍ରଚଳନ କରାଯାଇଥିବା ସାର୍ଟିଫିକେଟ୍ ପୋଗ୍ରାମ ଅନୁଯାୟୀ ଗରିମା ତାମ୍ର, ରୌପ୍ୟ ଓ ସ୍ବର୍ଣ୍ଣ ପୁରସ୍କାର ପର୍ଯ୍ୟାୟ କ୍ରମେ ଦିଆଯିବ। ଗତ ଅଗଷ୍ଟ ମାସରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୩ ହଜାର ୫୦୦ ସରକାରୀ ବିଦ୍ୟାଳୟ ପକ୍ଷରୁ ଏହି ପୁରସ୍କାର ଲାଗି ପ୍ରସ୍ତାବ ଆସିଥିଲା। ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ମାନଙ୍କ ନେତୃତ୍ବରେ ଗଠିତ ଏକ ଦଳ ବିଦ୍ୟାଳୟଗୁଡ଼ିକୁ ଯାଞ୍ଚ କରିବା ପରେ ସମ୍ପୃକ୍ତ ଜିଲ୍ଲାର ଡାଏଟ୍ କର୍ତୃପକ୍ଷ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରିଥିଲେ। ବ୍ଲକ୍ସ୍ତରରେ ପ୍ରାଥମିକ ପର୍ଯ୍ୟାୟରେ ପଞ୍ଜୀକୃତ ୧୮ ହଜାର ୩୫୩ ବିଦ୍ୟାଳୟ ମଧ୍ୟରୁ ୬୨୪୮ ବିଦ୍ୟାଳୟକୁ ଗରିମା ତାମ୍ର ପୁରସ୍କାର ଦେବା ପାଇଁ ସୁପାରିସ୍ କରାଯାଇଥିଲା। ପ୍ରଥମେ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି ତାମ୍ର ପୁରସ୍କାର ଦିଆଯାଉଛି। ଆଗାମୀ ଦିନରେ ପାଠ୍ୟସ୍ତର ଅନୁଯାୟୀ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ସ୍ବର୍ଣ୍ଣ ପୁରସ୍କାର ଦିଆଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲାସ୍ତରରେ ଅନୁଷ୍ଠିତ ‘ସୁରଭି-୨୦୧୯’ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଜିଲ୍ଲାପାଳମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ।
ଗତ ଅଗଷ୍ଟ ମାସରେ ଅନୁଷ୍ଠିତ ବ୍ଲକ୍ ଓ କ୍ଲଷ୍ଟରସ୍ତରରେ ୭୦ ପ୍ରତିଶତ ଦକ୍ଷତା ପ୍ରଦର୍ଶନ କରିଥିବା ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ଓ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ୍ ସମେତ ୫୮ଟି କ୍ଲଷ୍ଟର ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଏହି ଚୟନ ପ୍ରକ୍ରିୟାରେ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ, ଡାଏଟ୍ ଅଧ୍ୟକ୍ଷ, ସିଆରସିସିଙ୍କୁ ନେଇ ଗଠିତ ଦଳ ୨୩ ହଜାର ୫୦୦ ବିଦ୍ୟାଳୟକୁ ଯାଞ୍ଚ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିଥିଲେ। ଏହି ନୂତନ ପ୍ରୋତ୍ସାହନ ବ୍ୟବସ୍ଥା ଶିକ୍ଷା, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ହାସଲରେ ନିଶ୍ଚିତ ସକାରାତ୍ମକ ଅଭିବୃଦ୍ଧି ଆଣିବା ସହ ଆସନ୍ତା ଡିସେମ୍ବର ମାସରେ ଗରିମା ରୌପ୍ୟ ପୁରସ୍କାର ପାଇବାରେ ସହାୟକ ହେବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି।