ଜମି ଆସୁଛି କଟକ ବାଲିଯାତ୍ରା
ମୁଖ୍ୟ ବିଚାରପତି କଲେ ମହାନଦୀ ମହାଆଳତି, ପଥ ଉତ୍ସବରେ ହେଲା ଯୋଗ, ସଂକୀର୍ତ୍ତନ, ସ୍କେଟିଂ, ଘୋଡ଼ା ନାଚ
କଟକ : ପଥ ଉତ୍ସବରେ ଯୋଗ, ସଂକୀର୍ତ୍ତନ, ସ୍କେଟିଂ ସାଙ୍ଗକୁ ଘୋଡ଼ା ନାଚ। ଅପରାହ୍ନରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀଙ୍କ ମହାନଦୀ ମହା ଆଳତି ଏବଂ ସଂଧ୍ୟାରେ ରଂଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କଟକର ଐତିହାସିକ ବାଲିଯାତ୍ରାରେ ଚମକ ଆଣିଛି। ଗୋଟିଏ ପଟେ ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ ଅନ୍ୟପଟେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଆୟୋଜନ ହେଉଥିବା ଅନେକ ନିଆରା କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ଭିତରେ ଉତ୍କଣ୍ଠା ବଢିବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ସଂଧ୍ୟାରେ ବାଲିଯାତ୍ରା ଉଦ୍ଘାଟିତ ହୋଇଥିବା ବେଳେ ଆଜି ଦ୍ବିତୀୟ ଦିନରେ ପଡ଼ିଆରେ ଭିଡ଼ ଜମିବା ସହିତ ବିଭିନ୍ନ ଷ୍ଟଲରେ ଜୋରଦାର ବେପାର ହୋଇଛି। ଗତକାଲି ଆରମ୍ଭ ଦିନରେ ବି ଓରମାସ୍ ପରିସରରେ ଥିବା ବିଭିନ୍ନ ଷ୍ଟଲରେ ୧୫ ଲକ୍ଷ ୬୨ ହଜାର ୩୫୦ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ଆଜି ଏହି ବେପାର ପରିମାଣ ବଢିବା ସହ ଉଭୟ ପଡ଼ିଆରେ ଭିଡ଼ ବି ବଢିଛି। ବିଶେଷ କରି ଆଜି ଛାଡ଼ ଖାଇ ଯୋଗୁଁ ଉଭୟ ତଳ ଓ ଉପର ପଡିଆରେ ଥିବା ବିଭିନ୍ନ ଆମିଷ ଖାଦ୍ୟ ଷ୍ଟଲରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଜି ଗଣକବି ବୈଷ୍ଣବ ପାଣି ମଞ୍ଚରେ ବିଶିଷ୍ଟ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ସଂଗୀତ ପରିବେଷଣ ହୋଇଥିବା ବେଳେ ହଜାର ହଜାର ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଆସନ୍ତାକାଲି ସାଂସ୍କୃତିକ ମଞ୍ଚରେ ଇରା ମହାନ୍ତି, ଶୀତଲ ପରିଡ଼ା, ଅନନ୍ୟାଙ୍କ ଭଳି ଲୋକପ୍ରିୟ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ବାଲିଯାତ୍ରାର ଉଭୟ ତଳ ଓ ଉପର ପଡିଆରେ ଚଳିତ ବର୍ଷ ୨ ହଜାରରୁ ଅଧିକ ଷ୍ଟଲ୍ ଖୋଲିଥିବା ବେଳେ ୨ ହଜାରରୁ ଅଧିକ ଉଠା ଦୋକାନୀ ବ୍ୟବସାୟ କରୁଛନ୍ତି।