ଇସ୍ରୋର ମିସନ୍ ‘ସେଫ ଇଣ୍ଡିଆ’ : ମହାକାଶରୁ ଭାରତୀୟ ସୀମା ଓ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବ ଉପଗ୍ରହ
ନୂଆଦିଲ୍ଲୀ: ଦେଶର ସୁରକ୍ଷା ଦିଗରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ) ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଆତଙ୍କବାଦୀଙ୍କ ଆକ୍ରମଣଠାରୁ ଆରମ୍ଭ କରି ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ରୋ ଏକ ବଡ଼ ମିଶନ ଉପରେ ଗୁରୁତ୍ୱ ଦେଉଛି । ଆଉ ତାହା ହେଲା ‘ସେଫ ଇଣ୍ଡିଆ’ ମିଶନ୍ । ଚଳିତ ବର୍ଷ ଇସ୍ରୋର ଏକାଧିକ ସାଟେଲାଇଟ୍ ମହାକାଶକୁ ପଠାଇବାକୁ ଯାଉଛି, ଯାହା ପ୍ରତିରକ୍ଷା ବିଭାଗକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବ।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଟୋସାଟ-୩ (CARTOSAT-3) – ଏହି ସାଟେଲାଇଟକୁ ୨୫ନଭେମ୍ବର ୨୦୧୯ ସକାଳ ୯.୨୮ସମୟରେ ପିଏସଏଲବି ସି -୪୭ ଏକ୍ସେଲ ରକେଟ ଦ୍ୱାରା ଲଞ୍ଚ କରାଯିବ । ଏହି ଉପଗ୍ରହ ପୃଥିବୀରୁ ୫୦୯କିଲୋମିଟରର ଉଚ୍ଚତା ଉପରେ ପୋଲର ଆର୍ବିଟ ଚାରିପଟେ ବୁଲିବ । ଏହାର କ୍ୟାମେରା ଦୁନିଆର ସବୁଠାରୁ ଶକ୍ତିଶାଳୀ ସାଟେଲାଇଟ କ୍ୟାମେରା ହେବ । ହାତରେ ଥିବା ଘଣ୍ଟାର ସମୟ ମଧ୍ୟ ଦେଖିପାରିବ ଏହି ସାଟେଲାଇଟ୍ ।
ଜିସାଟ୍ -୧ ( GiSAT-1) – ଏହି ସାଟେଲାଇଟକୁ ଇସ୍ରୋ ପ୍ରଥମ ଥର ପାଇଁ ଲଞ୍ଚ କରିବ । ଡିସେମ୍ବର ଶେଷରେ ଏହାର ସମ୍ଭାବିତ ଲଞ୍ଚିଙ୍ଗ । ଏହା ଦ୍ୱାରା ଦୁଇଟି ଉପଗ୍ରହ ଛଡାଯିବ । ଯାହା ଭାରତ ସୀମାର ଫଟୋ ଉତ୍ତୋଳନ କରିବ । ଗୋଟେ ସାଟେଲାଇଟର ବୟସ ଦଶ ବର୍ଷ ହେବ । ଏହାର ଓଜନ ୨୧୦୦ କିଲୋଗ୍ରାମ । ଏହାକୁ ଜିଏସଏଲଭି ଏମକେ-୩ ରକେଟରେ ଲଞ୍ଚ କରାଯିବ । ଏହା ପ୍ରଥମ ପ୍ରତିରକ୍ଷା ଉପଗ୍ରହ ହେବ ଯାହା ଜିଓ ଷ୍ଟେସନାରୀ ଆର୍ବିଟରେ ଗୋଟିଏ ଜାଗାରେ ସ୍ଥିର ରହି ଭାରତ ସୀମାର ସୁରକ୍ଷା ଉପରେ ଦୃଷ୍ଟି ଦେବ ।
ରିସାଟ-୨-ବିଆର୧ ଓ ୨ (RiSAT-2BR1 & 2BR2) – ଏହି ସାଟଲାଇଟ୍ ସମସ୍ତ ପରିସ୍ଥିତିରେ ପୃଥିବୀର ଫଟୋ ଉଠାଇବା ପାଇଁ ସକ୍ଷମ । ଏହି ଉପଗ୍ରହ ଜରିଆରେ ମହାକାଶରେ ଭୁପୃଷ୍ଠ ଉପରୁ ୩ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଫଟୋ ଉତ୍ତୋଳନ କରିପାରିବ । ଏହି ସିରିଜର ଉପଗ୍ରହକୁ ସୀମାର ସୁରକ୍ଷା ଏବଂ ଆତଙ୍କବାଦୀଙ୍କ ଦମନ କରିବା ପାଇଁ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ବିକଶିତ କରାଯାଇଥିଲା ।
ଏଥିସହ ପୂର୍ବରୁ ଇସ୍ରୋ ପଠାଇଥିବା ନିମ୍ନୋକ୍ତ ଉପଗ୍ରହ ପ୍ରତିରକ୍ଷା ଦିଗରେ ସହାୟକ ହୋଇଛି।
ମାଇକ୍ରୋସାଟ-ଆର (MICROSAT-R) – ଏହି ଉପଗ୍ରହ ୨୪ ଫେବୃଆରି ୨୦୧୯ରେ ପିଏସଏଲଭି ସି -୪୪ ରକେଟରେ ଲଞ୍ଚ କରାଯାଇଥିଲା । ଏହାର ଭୂମିକା ହେଉଛି ଭାରତ ଭୂପୃଷ୍ଠର ଛବି ଉତ୍ତୋଳନ କରିବା । ଏହା ପୃଥିବୀରୁ ୨୭୪କିମିର ଉଚ୍ଚତା ଉପରେ ସନ-ସିଙ୍କୋନସ ପୋଲର ଆର୍ବିଟରେ ଘୂରି ବୁଲୁଛି ।
ଏମିସାଟ (EMISAT) – ଏହି ସାଟେଲାଇଟକୁ ୧ଏପ୍ରିଲ ୨୦୧୯ରେ ପିଏସଏଲବି-ସି ୪୫ରକେଟ ଦ୍ୱାରା ଲଞ୍ଚ କରାଯାଇଥିଲା । ଏହାର ଭୂମିକା ହେଉଛି ଇଲେକ୍ଟ୍ରୋମ୍ୟାଗନେଟିକ ସ୍ପେକ୍ଟ୍ରମ ଜରିଆରେ ଶତ୍ରୁର ବୈଦୁତିକ ଯନ୍ତ୍ରପାତି ଉପରେ ନଜର ରଖିବା । ୪୩୬କିଲୋଗ୍ରାମ ବିଶିଷ୍ଟ ଏହି ଉପଗ୍ରହ ୭୪୮କିମି ଉଚ୍ଚତାରୁ ସନ-ସିଙ୍କୋନଓ ପୋଲର ଅର୍ବିଟ ଚାରିପଟେ ଘୂରି ବୁଲୁଛି ।
ରିସାଟ-୨ବି (RISAT-2B) – ଏହି ସାଟେଲାଇଟକୁ ୨୨ମେ ୨୦୧୯ରେ ପିଏସଏଲବି-ସି ୪୬ ରକେଟ ସାହାଯ୍ୟରେ ଲଞ୍ଚ କରାଯାଇଥିଲା । ଏହାର ଭୂମିକା ହେଉଛି ରାଡାର ଆଧାରିତ ଚିତ୍ର ଉତ୍ତୋଳନ କରିବା । ଏହା ପୃଥିବୀ ଠାରୁ ୫୫୭କିଲୋମିଟର ଉପରେ ଭାରତ ଚାରିପଟେ ଘୁରୁଛି।