‘ପୃଥ୍ଵୀ- ୨’ କ୍ଷେପଣାସ୍ତ୍ରର ରାତ୍ରିକାଳୀନ ବ୍ୟାବହାରିକ ପରୀକ୍ଷଣ ସଫଳ : ପ୍ରଥମ ଥର ପାଇଁ ଲଗାତର ୨ ଥର ପରୀକ୍ଷା

ବାଲେଶ୍ୱର/ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚପ୍ୟାଡରୁ ପୃଥ୍ଵୀ-୨ ମିସାଇଲର ବ୍ୟବହାରିକ ପରୀକ୍ଷା କରାଯାଇଛି। ବୁଧବାର ସଂଧ୍ୟା ପ୍ରାୟ ୭ଟା ୬ ମିନିଟ୍‌ ଓ ୭ଟା ୧୦ ମିନିଟ୍‌ ଦୁଇଥର ଏହି ପରୀକ୍ଷଣ ହୋଇଥିବା ବେଳେ ତାହା ସଫଳ ହୋଇଥିବା ବିଭଗୀୟ ସୂତ୍ରରୁ ଜାଣିବାକୁ ମିଳିଛି।

ଏହି ମିଜାଇଲ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ। ଡିଆରଡିଓ ସହଯୋଗରେ ପ୍ରତିରକ୍ଷା ବାହିନୀର ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡ ପକ୍ଷରୁ ନିୟମିତ ଭାବେ ଏହାର ବ୍ୟବହାରିକ ଦିଗକୁ ନେଇ ପରୀକ୍ଷଣ କରାଯାଇ ଆସୁଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତକ୍ଷେପଣ କରାଯାଇପାରୁଥିବା ଏହି ମିସାଇଲ ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ ସହ ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ପୂର୍ବରୁ ପୃଥ୍ଵୀ-୨ର ଏକାଧିକବାର ରାତ୍ରିକାଳୀନ ପରୀକ୍ଷଣ ହୋଇଛି। ଏହାର ଲମ୍ବ ୯ମିଟର, ମୋଟେଇ ୧୧୦ସେମି ଏବଂ ଓଜନ ୪.୬ଟନ୍‌ ବୋଲି ଜଣାପଡ଼ିଛି।

ଡିଆରଡିଓର ରାଡାର, ଇଲେକ୍ଟ୍ରୋ ଅପ୍ଟଟକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୂଳରେ ରହିଥିବା ଟେଲିମେଟ୍ରି ଷ୍ଟେସନ ସହାୟତାରେ ଏହି ମିସାଇଲର ଗତିପଥ ଉପରେ ନଜର ରଖାଯାଇଥିଲା। ୨୦୦୩ ମସିହାରୁ ଭାରତୀୟ ସେନାରେ ଏହା ନିୟୋଜିତ ହୋଇଛି।

ସମ୍ବନ୍ଧିତ ଖବର