ଭୁବନେଶ୍ବର: ସେ ଦିନର କଥା ମନେପଡ଼ିଲେ ଆଜି ବି ଶିତେଇ ଉଠେ ଦେହ। କଶ୍ମୀରର ପୁଲଓ୍ୱାମାରୁ ଆସିଥିଲା ଛାତିଥରା ଖବର- ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଗଲେ ୪୦ ଜଣ ବୀର ଯବାନ। ସମଗ୍ର ଦେଶ ସ୍ତମ୍ଭୀଭୂତ ! ଆତଙ୍କୀ ଆକ୍ରମଣର ରକ୍ତରଂଜିତ ଇତିହାସର ସବୁଠୁ ବଡ଼ ଘଟଣା। ଦେଶରେ ଗୋଟିଏ ପଟେ ଥିଲା କ୍ରୋଧର ଲହୁ ଓ ଅନ୍ୟ ପଟେ ବୀର ଯବାନଙ୍କୁ ହରାଇବାର ଦୁଃଖର ଲୁହ। ଓଡ଼ିଶା ମାଟି ବି ଭିଜିଥିଲା ଲୁହ ଓ ଲହୁରେ- ପୁଲଓ୍ୱାମା ଆକ୍ରମଣରେ ସହିଦ ହୋଇଥିଲେ ଓଡିଆ ପୁଅ ମନୋଜ ବେହେରା। କଟକ ଜିଲ୍ଲା ନିଆଳୀ ବ୍ଲକର ରତନପୁର ଗାଁର ବୀର ସନ୍ତାନ ମନୋଜ ।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ଷେ ପରେ ବି ସହିଦଙ୍କ ସ୍ମୃତିରେ ଉଜାଗର ସାରା ଗାଁ। ରତ୍ନ ହରାଇ ରହିରହି କାନ୍ଦୁଛି ରତନପୁର ମାଟି ମାଆ । ଆଜିକୁ ଠିକ ବର୍ଷେ ତଳେ ଅର୍ଥାତ ୧୪ ଫେବୃୟାରୀ ୨୦୧୯ରେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିଲେ ନିଆଳୀ ରତନପୁର ଗାଁର ବୀର ଯବାନ ମନୋଜ ବେହେରା । ଜମ୍ମୁକଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ଦେଶ ପାଇଁ ପ୍ରାଣବଳି ଦେଇଥିଲେ ଓଡିଆ ପୁଅ ମନୋଜ । ସେପାରିରେ ମନୋଜ, ଏପାରିରେ ମନୋଜଙ୍କ ସ୍ମୃତି । ଗେହ୍ଲା ପୁଅର ଗୋଟି ଗୋଟି ମୂହୂର୍ତ୍ତକୁ ମନେପକାଇ ଏବେ ବି ମାଆ ତାଙ୍କର କାନ୍ଦୁଛନ୍ତି ତ ଗାଁ ବି ଝୁରୁଛି ଅହରହ।
ଦେଶ ପାଇଁ ପୁଅ ଜୀବନ ଦେବା ପରେ ଏବେ ଦୟନୀୟ ଅବସ୍ଥାରେ କଟୁଛି ପରିବାରର ଦିନ । ରାତି ପାହି ସକାଳ ହେଲେ ପେଟ ପାଇଁ ସଙ୍ଘର୍ଷ ଆରମ୍ଭ କରି ଦେଉଛନ୍ତି ମନୋଜଙ୍କ ବାପାମାଆ । କେମିତି ଚଳିବ ପରିବାର ? କେଉଁଠୁ ଆସିବ ଦାନା? ଏଇ ଚିନ୍ତାରେ କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି ସହିଦ ପରିବାର।
ପୁଅ ଥିଲେ ହୁଏତ ବୟସର ଅପରାହ୍ଣରେ ଏମିତି କଷ୍ଟ, ଏମିତି ଯନ୍ତ୍ରଣା ଭୋଗିବାକୁ ପଡି ନଥାନ୍ତା । ହେଲେ ପୁଅକୁ ନେଇ ଦେଖିଥିବା ସବୁ ସ୍ୱପ୍ନ ସୀମାରେ ସହିଦ ହେବା ପରେ ଏବେ ଭାଗ୍ୟକୁ ନେଇ ବଞ୍ଚୁଛନ୍ତି ମନୋଜଙ୍କ ମାଆବାପା । ଯେଉଁ ପୁଅ ଦେଶର ଟେକ ରଖିଲା ଆଜି ସେହି ପୁଅର ପରିବାର ଝାଡୁ, ପହଁରା, ତାଳପତ୍ରର ଟୋକେଇ ତିଆରି କରି ବଜାରରେ ବିକୁଛନ୍ତି । ତେବେ ସରକାରଙ୍କ ସବୁ ସୁବିଧା ମନୋଜଙ୍କ ପତ୍ନୀ ଇଲିଲତା ଭୁବନେଶ୍ୱରରେ ରହି ପାଉଥିବା ବେଳେ ସେମାନଙ୍କୁ କିଛି ମିଳୁ ନ ଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି ।
ସେପଟେ ପ୍ରତି ମୁହୂର୍ତ୍ତରେ ମନେପକାଇ ମନୋଜଙ୍କ ଝୁରୁଛନ୍ତି ତାଙ୍କ ସାଙ୍ଗ । ଆଉ ମନୋଜ ପଢିଥିବା ସ୍କୁଲରେ ବି ସେ ସମାନ ସ୍ଥିତି । କୁନି କୁନି ପିଲାମାନେ ବଡ ହୋଇ ମନୋଜଙ୍କ ପରି ହେବେ ବୋଲି ଶପଥ ନେଇଛନ୍ତି । ପୁଅ ଗାଁକୁ ଫେରିବନି କି ମାଆ କୋଳକୁ ଫେରିବନି । ଚିରନ୍ତନ ସତ୍ୟ ଆଉ ଜୀବନର ବାସ୍ତବତା ଜାଣି ବି ଶୁଖିଯାଇଥିବା ଘାଆ ତଳୁ ଦରଜକୁ ଭୁଲିପାରୁନି ମାଆ, ଭୁଲିପାରୁନି ଗାଁ…।