ଶ୍ରମିକଙ୍କୁ ୧୨ ଘଣ୍ଟା କାମ କରାଇବା ଅମାନୁଷିକ: ନିରଞ୍ଜନ
ଭୁବନେଶ୍ବର : ଶ୍ରମିକମାନଙ୍କୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରାଇବା ଅମାନୁଷିକ କାର୍ଯ୍ୟ। ସରକାରଙ୍କ ଏପରି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଶ୍ରମିକମାରଣ ନୀତି। କରୋନା ମହାମାରୀ ଜାରି ରହିଥିବା ବେଳେ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ କରିବା ସମୟ ବୃଦ୍ଧିକୁ ନେଇ ଏପରି ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରମିକମାନଙ୍କ ସମସ୍ୟା ଯେଭଳି ଭାବେ ବଢ଼ିଚାଲିଛି, ସେ ନେଇ ସରକାର ତତ୍ପର ନ ହେଲେ ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ପ୍ରେସ୍ ବିବୃତି ଜରିଆରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ୧୯୧୯ ମସିହାରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଷ୍ପତ୍ତି ହୋଇଥିଲା ଶ୍ରମିକମାନଙ୍କ ଦୈନିକ କାର୍ଯ୍ୟ କରିବାର ଅବଧି ୮ ଘଣ୍ଟା ହେବ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ନିୟମକୁ ହିଟଲର୍ ଭାଙ୍ଗି ୧୨ ଘଣ୍ଟା କରିଥିଲେ। ଆଜି ଆମ ଦେଶରେ ସେହି ହିଟଲରଙ୍କ ପଦାଙ୍କ ଅନୁସରଣ କରାଯାଇଛି। ଏବେ ସରକାର କହିଲେଣି ଶ୍ରମିକମାନେ ୧୨ ଘଣ୍ଟା କାମ କରିବେ ଓ ମଝିରେ ୩୦ ମିନିଟ୍ ବିଶ୍ରାମ କରିବେ। ଏହାର ଅର୍ଥ ଜଣେ ଶ୍ରମିକ କର୍ମକ୍ଷେତ୍ରରେ ପ୍ରାୟ ୧୩ ଘଣ୍ଟା ରହିବ। ଏହା ସମ୍ଭବ କି ବୋଲି ପିସିସି ସଭାପତି ପ୍ରଶ୍ନ ଉଠାଇଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ ଏହାକୁ ପ୍ରଥମେ ପ୍ରଚଳନ କଲେ ଓ ଏବେ ଓଡ଼ିଶା ଏହାକୁ ଅନୁସରଣ କରୁଛି। ଆମ ଦେଶ ଓ ରାଜ୍ୟରେ ଅସଂଗଠିତ ଶ୍ରମିକମାନଙ୍କ ସଂଖ୍ୟା ବହୁତ ଅଧିକ ବୋଲି ସରକାର ତଥ୍ୟ ରଖିଛନ୍ତି। ବର୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକ, ଛୋଟ ଚାଷୀ, ମଧ୍ୟବିତ୍ତ ପରିବାରର ଚାଷୀ ଓ ଭାଗଚାଷୀଙ୍କୁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା କରାଯାଉ । ତା ନହେଲେ ଆମ ଦେଶରେ ଓ ରାଜ୍ୟରେ ଥିବା କୋଟି କୋଟି ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ। ସମସ୍ୟାରେ ଜର୍ଜରିତ ହୋଇ ଏବେ ଶ୍ରମିକମାନେ ଆତ୍ମହତ୍ୟା କଲେଣି, ରାସ୍ତାରେ ଚାଲି ଚାଲି ପ୍ରାଣହାନୀ ଘଟୁଛି ଓ ପୁଲିସ ମାଡରେ ମଧ୍ୟ ମୃତ୍ୟୁବରଣ କଲେଣି। ଯଦି ପ୍ରକୃତରେ ଦେଶ ଓ ରାଜ୍ୟର ଶ୍ରମିକମାନଙ୍କୁ ବଞ୍ଚାଇବାର ଅଛି ତେବେ ସରକାରଙ୍କୁ ନିବେଦନ ଯେ ସିଧାସଳଖ ଶ୍ରମିକମାନଙ୍କୁ ଅର୍ଥ ଦେବାର ବ୍ୟବସ୍ଥା କରନ୍ତୁ।