ଫେରାର୍ ପ୍ରେମୀଯୁଗଳ ଗାଁକୁ ଫେରିଲେ: ସଙ୍ଗରୋଧ କେନ୍ଦ୍ରରୁ ଅଭିନବ ଉପାୟରେ ବିଦା, ଝିଅ ସମ୍ମାନ ଦେଇ ବିଦା କଲେ ସରପଞ୍ଚ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହାସିଂହା ଗ୍ରାମର ପ୍ରେମି ଯୁଗଳ ବର୍ଷେ ପୂର୍ବେ ଫେରାର୍ ମାରିଥିଲେ। ସେମାନେ ଗୁଜୁରାଟରେ ରହୁଥିବା ବେଳେ ବର୍ତ୍ତମାନ କରୋନା ଭୁତାଣୁ ଯୋଗୁଁ ପୁଣି ନିଜ ଗାଁକୁ ପ୍ରତ୍ୟାବର୍ତ୍ତନ କରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ମଙ୍ଗଳବାର ସରପଞ୍ଚଙ୍କ ଉକ୍ତ ପ୍ରେମୀ ଯୁଗଳଙ୍କୁ ଝିଅ ଭଳି ସମ୍ମାନ ଦେଇ ବିଦା କରିଥିବା ଜଣାପଡିଛି । ଖପ୍ରାଖୋଲ ବ୍ଲକ ଲୁହାସିଂହା ଗ୍ରାମରେ ସରୋଜ କସାଣ୍ଡିଙ୍କ ଇଂରାଜି ବରିହାଙ୍କ ପରିବାର ରହନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ବର୍ଷ ପୂର୍ବେ ସରୋଜ କସାଣ୍ଡିଙ୍କ ପୁଅ ସୁନିଧି କସାଣ୍ଡି ଓ ଇଂରାଜି ବରିହାଙ୍କ ଝିଅ ମୋନାଲିସା ବରିହାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେମାନେ ଦୁହେଁ ଦୁହିଁଙ୍କୁ ଏପରି ଭଲ ପାଇଥିଲେ ସେ ପରେ ଉଭୟେ ବିବାହ ବନ୍ଦନରେ ଆବଦ୍ଧ ହେବା ନେଇ ନିଷ୍ପତ୍ତି ନେଇଥିଲେ । ହେଲେ ଉଭୟ ଥିରେ ଅନ୍ୟ ଜାତିର । ଦୁହେଁ ପୃଥକ ପୃଥକ ଜାତିର ହୋଇଥିବା ହେତୁ ଉଭୟଙ୍କ ପରିବାର ଲୋକେ ସେମାନଙ୍କ ବିବାହକୁ ନେଇ ସହମତି ହୋଇ ନ ଥିଲେ । ଏହା ଜାଣି ପ୍ରେମି ଯୁଗଳ ସୁନିଧି ଓ ମୋନାଲିସା ବର୍ଷେ ପୂର୍ବେ ଗ୍ରାମରୁ ଫେରାର୍ ମାରିଥିଲେ ।
ସେମାନେ ଫେରାର୍ ହୋଇ ଗୁଜୁରାଟକୁ ଯାଇଥିଲେ । ସେଠାରେ ପହଞ୍ଚି ସେମାନେ ଏକ ଓୌଷଧ କମ୍ପାନୀରେ କାମ କରୁଥିଲେ। ଓୌଷଧ କମ୍ପାନୀରେ ଓୌଷଧ ପେକିଂ କାମ କରୁଥିବା ନେଇ ଦୁହେଁ କହିଛନ୍ତି। ଅପର ପକ୍ଷରେ ମୋନାଲିସା ଟିକ୍ ଟକ୍ ଭିଡିଓ କରୁଥିବା ବେଳେ ତାଙ୍କର ବହୁତ ଫଲୋଅର ରହିଥିବା ଜଣାପଡିଛି। କରୋନା ଭୁତାଣୁ ବ୍ୟାପୁଥିବାରୁ ସରକାରଙ୍କ ଦ୍ବାରା ଲକ୍ ଡାଉନ୍ ଜାରି ହୋଇଥିବା ବେଳେ କାମଧନ୍ଧା ବନ୍ଦ ହେବା ଦ୍ବାରା ସେମାନେ ଘରେ ବସି ରହିଥିଲେ। ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ।
ବର୍ତ୍ତମାନ ପ୍ରବାସୀ ଓଡିଆ ମାନେ ନିଜ ନିଜ ଗାଁ କୁ ଫେରୁଥିବା ବେଳେ ସେମାନେ ମଧ୍ୟ ଗାଁକୁ ଫେରି ଆସିଥିଲେ। ଗୁଜୁରାଟରୁ ଆସିଥିବା ହେତୁ ସେମାନେ ନିଜ ଲୁହାସିଂହା ଗ୍ରାମର ସର୍ବୋଦୟ ନୋଡାଲ ବିଦ୍ୟାଳୟରେ କରା ଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ସଙ୍ଗରୋଧରେ ରହିଥିଲେ। ସାତ ଦିନ ଧରି ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ସେମାନଙ୍କୁ ନିଜ ଘରକୁ ଯାଇ ସଙ୍ଗରୋଧରେ ସାତ ଦିନ ରହିବା ପାଇଁ ଅନୁମତି ଦିଆ ଯାଇଥିଲା । ତେବେ ସୁନିଧିଙ୍କ ବାପାଘରେ ଆବଶ୍ୟକ ଅନୁଯାୟୀ କୋଠରୀ ନ ଥିବାରୁ ପୁଅ ବୋହୁ ଘରକୁ ଫେରିବେ ବୋଲି ସୁନିଧିଙ୍କ ବାପା ସରୋଜ ନିଜ ଘର ପାଖରେ ଏକ ଘର ଭଡାରେ ନେଇଥିବା ଜଣାପଡିଛି।
ଅପର ପକ୍ଷରେ ସ୍ଥାନୀୟ ସରପଞ୍ଚ ରଞ୍ଜୀତା ସୁନା ଉଭୟ ପ୍ରେମି ଯୁଗଳଙ୍କ ସହ ଉକ୍ତ ସାତ ଦିନ ଧରି ମିଶି ସେମାନଙ୍କ ଠାରୁ ସମସ୍ତ କଥା ଶୁଣିବାକୁ ପାଇଥିଲେ। ମଙ୍ଗଳବାର ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ନିଜ ଘରକୁ ଯିବା ପାଇଁ ଅନୁମତି ମିଳିଥିଲା। ସରପଞ୍ଚ ଶ୍ରୀମତି ସୁନାଙ୍କ ଝିଅ ନ ଥିବାରୁ ସେ ମୋନାଲିସାକୁ ନିଜ ଝିଅ ଭାବି ଝିଅ ମାଁ ଘରକୁ ଆସି ପୁଣି ଶାଶୁ ଘରକୁ ଯିବା ବେଳେ ଯେପରି ସମ୍ମାନ ଦେଇ ବିଦା କରନ୍ତି ସେ ହିସାବରେ ମୋନାଲିସାକୁ ବିଦା କରିଥିବା ଜଣାପଡିଛି। ଏହି ସମୟରେ ସରପଞ୍ଚଙ୍କ ସ୍ବାମୀ ଲଲିତ ସୁନା ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କୁ ବିଦା କରିବା ସମୟରେ ଉଭୟଙ୍କୁ ନୂଆଁ ଶାଢୀ, ଚୁଡି, ସିନ୍ଦୁର, ପେଣ୍ଟସାର୍ଟ ଆଦି ଦିଆ ଯାଇଥିବା ବେଳେ ସେମାନଙ୍କ ଗୁଜୁରାଣ ମେଣ୍ଟାଇବା ନେଇ ରାସନ ସାମଗ୍ରୀ ସହିତ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାପଡିଛି।
ସେମାନଙ୍କ ସଙ୍ଗରୋଧ କେନ୍ଦ୍ରରୁ ବିଦା କରୁଥିବା ସମୟରେ ସଙ୍ଗରୋଧ କେନ୍ଦ୍ରର ପୂଜକଙ୍କ ଦ୍ବାରା ମନ୍ତ୍ରପାଠ କରା ଯାଇ ପ୍ରେମି ଯୁଗଳଙ୍କ ଉପରେ ଉଭୟ ପାର୍ଶ୍ବରୁ ଫୁଲ ପକାଇ ବିଦା କରା ଯାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପାଇଁ ଗ୍ରାମର ବହୁ ଲୋକ ସଙ୍ଗରୋଧ କେନ୍ଦ୍ର ନିକଟରେ ଉପସ୍ଥିତ ହୋଇଥିଲେ। ତେବେ ଉଭ୍ର ପ୍ରେମି ଯୁଗଳଙ୍କୁ ବିଦା କରିବା ସମୟରେ ମୋନାଲିସା ଓ ସୁନିଧି ବରବଧୁ ବେଶରେ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଉଭୟ ଉତ୍ସାହିତ ଥିବା ଓ ଜିବନ ସାରା ଖୁସିରେ ରହିବା ନେଇ ଗଣମାଧ୍ୟମ ସମ୍ମୁଖରେ କହିଥିବା ଜଣାପଡିଛି।