ମଶା କାମୁଡ଼ାରେ କରୋନାଭୂତାଣୁ ବ୍ୟାପେନି
ନୂଆଦିଲ୍ଲୀ: ବର୍ଷାଦିନ ଆସିଲେ ସାଧାରଣତଃ ମଶାଙ୍କର ଉପଦ୍ରବ ବଢ଼ିଥାଏ। ସେଥିଯୋଗୁଁ ମ୍ୟାଲେରିଆ, ଡେଙ୍ଗୁ ଓ ଚିକନ୍ଗୁନିଆରେ ପୀଡ଼ିତଙ୍କ ସଂଖ୍ୟା ଉଲ୍ଲେଖନୀୟ ଜଣାପଡ଼ିଥାଏ। ସଂପୃକ୍ତ ରୋଗର ଜୀବାଣୁଗୁଡ଼ିକ ମଶାଦ୍ବାରା ହିଁ ମନୁଷ୍ୟ ଶରୀରରୁ ମନୁଷ୍ୟ ଶରୀରକୁ ପରିବାହିତ ହେଉଥିବାରୁ ଏହି ମଶାକାମୁଡ଼ା ଦ୍ବାରା ମଧ୍ୟ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ସଂକ୍ରମିତ ହେଉଥିବାର ଆଶଙ୍କା ସୃଷ୍ଟି ହେବାଟା ସ୍ବାଭାବିକ ଘଟଣା। ମାତ୍ର ଆଶ୍ବସ୍ତିର କଥା, ସେଭଳି ସମ୍ଭାବନାକୁ ବିଶେଷଜ୍ଞମାନେ ମନା କରିଛନ୍ତି। ମଶା ଦ୍ବାରା ଏହି ମହାମାରୀ ଭୂତାଣୁ ପରିବାହିତ ହୁଏନାହିଁ ବୋଲି ଆମେରିକାର କାନ୍ସାସ ବିଶ୍ବବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଏପରିକି ମଶା ଦେହରେ ସାର୍ସ-କୋଭ୍-୨ ଭୂତାଣୁ ଛଡ଼ାଗଲେ ବି ସେମାନେ ମଶା ରକ୍ତରେ ବହୁଗୁଣିତ ହେବାରେ ଅକ୍ଷମ ବୋଲି ପରୀକ୍ଷାଗାରରୁ ସେମାନେ ଜାଣିପାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁତରାଂ କୌଣସି ପରିସ୍ଥିତିରେ ବି କୋଭିଡ୍-୧୯ ସଂକ୍ରମଣ ମଶା ଦ୍ବାରା ସମ୍ଭବ ନୁହେଁ ବୋଲି କାନ୍ସାସ ବିଶ୍ବବିଦ୍ୟାଳୟର ବାୟୋସିକ୍ୟୁରିଟି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ନିର୍ଦ୍ଦେଶକ ଷ୍ଟିଫେନ୍ ହିଗ୍ସ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ମଶା ଦ୍ବାରା କରୋନାଭୂତାଣୁ ସଂକ୍ରମିତ ହେବା ନେଇ କୌଣସି ପ୍ରକାର ପ୍ରମାଣ ମିଳିନଥିଲେ ହେଁ ବି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ସେଭଳି ଆଶଙ୍କାକୁ ଗ୍ରହଣ କରିନାହିଁ। ତେବେ କାନ୍ସାସ ବିଶେଷଜ୍ଞମାନେ ସେ ସଂକ୍ରାନ୍ତ ପ୍ରମାଣଗତ ନିର୍ଯାସ ଆଣି ହୁ’ର ଅନୁମାନକୁ ବଳବତ୍ତର କରିଛନ୍ତି। ଅନ୍ୟ ପ୍ରଜାତିର କରୋନାଭୂତାଣୁର ଗତିବିଧିକୁ ନିରୀକ୍ଷଣ କରି ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ସେହିପରି ମଶା ଦେହରେ ସାର୍ସ-କୋଭ୍-୨ ସଂକ୍ରମିତ ହୋଇପାରିବ ନାହିଁ ବୋଲି ମଧ୍ୟ ସେମାନେ ବିଜ୍ଞାନାଗାରରେ ଦୃଢ଼ ନିଶ୍ଚିତ ହୋଇଥିବା ହିଗ୍ସ କହିଛନ୍ତି।