କେନ୍ଦ୍ରମନ୍ତ୍ରୀ ଶେଖାଵତଙ୍କୁ ନୋଟିସ, ପୁଅ ପରାଜୟର ରାଗ ଶୁଝାଉଛନ୍ତି ମୁଖ୍ୟମନ୍ତ୍ରୀ: ଶେଖାଵତ

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ସମ୍ଭାବ୍ୟ ଘୋଡ଼ାବେପାର ଅଭିଯୋଗ ମାମଲାରେ ତଦନ୍ତକାରୀ ଏସ୍‌ଓପି ସୋମବାର କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଵତଙ୍କୁ ନୋଟିସ ଜାରି କରିଛି। ତାଙ୍କ ବ୍ୟକ୍ତିଗତ ସଚିବଙ୍କ ମାଧ୍ୟମରେ ଏହି ନୋଟିସ ଜାରି ହୋଇଥିବା ରାଜସ୍ଥାନ ଏଡିଜି ଅଶୋକ ରାଠୋର ସ୍ପଷ୍ଟ କରିଛନ୍ତି। ଶେଖାଵତଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ନୋଟିସ ଗ୍ରହଣ କରିଥିବା ନିଶ୍ଚିତ କରିଥିବା ବେଳେ ମାମଲା ସହ ଜଡ଼ିତ ଅଡ଼ିଓ ଟେପ୍‌ର ସତ୍ୟତା ଉପରେ ପ୍ରଶ୍ନ ଉଠାଇ ଏହାକୁ ପ୍ରଥମେ ଅସଲି ବୋଲି ପ୍ରମାଣ କରିବା ଜରୁରୀ ବୋଲି କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଶିବିର ଗତ ଗୁରୁବାର ତିନିଟି ଅଡ଼ିଓ ଟେପ୍‌ ଜାରି କରିଥିଲେ ଯେଉଁଥିରେ ଶେଖାଵତଙ୍କ ସହ ଏଜେଣ୍ଟ ସଞ୍ଜୟ ଜୈନ ଓ ବିଦ୍ରୋହୀ କଂଗ୍ରେସ ବିଧାୟକ ଭଅଁରଲାଲ୍‌ ଶର୍ମା କଥାବାର୍ତ୍ତା ହେଉଥିବା ରେକର୍ଡ କରାଯାଇଛି। ଏହି ମାମଲାରେ ଭଅଁରଲାଲ୍ ଶର୍ମା ଏବଂ ସଞ୍ଜୟ ଜୈନଙ୍କୁ ମଧ୍ୟ ଅନୁରୂପ ନୋଟିସ ଜାରି କରାଯାଇଛି। ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଉକ୍ତ ଅଡ଼ିଓ ଟେପ୍‌ ସମ୍ପର୍କରେ ଶ୍ରୀ ଶେଖାଵତ କହିଛନ୍ତି, ସେଥିରେ ଥିବା ବାର୍ତ୍ତାଳାପ ସହ ତାଙ୍କ କଣ୍ଠସ୍ବର ମିଶୁନାହିଁ, ତେଣୁ ତାଙ୍କର ଏ ବାବଦରେ କିଛି କରିବାର ନାହିଁ। ଅପରପକ୍ଷେ, ଗତବର୍ଷ ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବ ଗେହଲଟ୍‌ଙ୍କ ପରାଜୟର ପ୍ରତିଶୋଧ ନେବା ପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ୍ ଏପରି ଚାଲ୍‌ ଚଳାଇଛନ୍ତି ବୋଲି ଶ୍ରୀ ଶେଖାଵତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର